ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ର ୧୮ଟି ପଞ୍ଚାୟତର ଆଦିବାସୀଙ୍କର ମହୁଲ ସଂଗ୍ରହ ହେଉଛି ଏକ ପ୍ରଧାନ ଜୀବିକା। ମାର୍ଚ୍ଚ ଓ ଏପ୍ରିଲ ମାସରେ ସକାଳେ ପରିବାରର ସବୁ ସଦସ୍ୟ ମହୁଲଫୁଲ ସଂଗ୍ରହ କରିବାରେ ଲାଗିଯାନ୍ତି। କିନ୍ତୁ ସମସ୍ତେ ପ୍ରାୟ ନିଜନିଜ ଜମିରେ ଥିବା ଗଛରୁ ହିଁ ମହୁଲ ସଂଗ୍ରହ କରିଥାନ୍ତି। ଲାଠିକଟା ବ୍ଲକ୍‌ର ଲାଠିକଟା, ବଲାଣୀ, ବିରଡ଼ା, ବିରକେରା, ହାତୀବଂଧା, ଜଲଦା, ରାମଯୋଡ଼ି, ମୁଣ୍ଡାଯୋର, ସିଉଡିହି ଆଦି ପଞ୍ଚାୟତର ଲୋକମାନେ ମହୁଲ ସଂଗ୍ରହ କରିଥାନ୍ତି। ମହୁଲରୁ ମୁଖ୍ୟତଃ ମଦ ତିଆରି ହେଉଥିବାବେଳେ ଏହାକୁ ଖାଦ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ବର୍ଷକ ୪ରୁ ୫ ମାସ ମହୁଲରୁ ହେଉଥିବା ରୋଜଗାର ସେମାନଙ୍କ ପରିବାର ପୋଷଣ କରିଥାଏ।

Advertisment

କିନ୍ତୁ ମହୁଲଗୋଟାଳି ଅଭାବୀ ବିକ୍ରିର ଶିକାର ହେଉଥିବା ଦେଖାଯାଉଛି। ସରକାରୀ ନିୟମ ଅନୁସାରେ, ପଞ୍ଚାୟତ ପକ୍ଷରୁ ମହୁଲର ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। କିନ୍ତୁ ପ୍ରକୃତପକ୍ଷେ ପଞ୍ଚାୟତ ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଉ ନଥିବାରୁ ସଂଗ୍ରହକାରୀ ଅଭାବୀବିକ୍ରିର ଶିକାର ହୋଇଥାଏ। ସଂଗ୍ରହକାରୀମାନେ ଏହାକୁ ହାଟବଜାରରେ ଅଳ୍ପମୂଲ୍ୟରେ ବିକ୍ରି କରୁଥିବା ଦେଖାଯାଏ। ମହୁଲର ସବୁଠାରୁ ବଡ଼ଗ୍ରାହକ ହେଉଛନ୍ତି ଭାଟିମାଲିକ। ତେଣୁ ସେମାନେ ବେପାରୀ ଓ ଦଲାଲ ଲଗାଇ ସଂଗ୍ରହକାରୀଙ୍କଠାରୁ ଅତି ଅଳ୍ପମୂଲ୍ୟରେ ମହୁଲ କିଣିନେବା ଦେଖାଯାଏ। ସରକାରୀ ବ୍ୟବସ୍ଥାରେ ଫାଙ୍କ ଯୋଗୁ ମହୁଲଗୋଟାଳି ଶୋଷଣର ଶିକାର ହେଉଥିବାବେଳେ ବେପାରୀ ଓ ଭାଟିମାଲିକ ମାଲାମାଲ ହୁଅନ୍ତି। ବେପାରୀ ଓ ଦଲାଲମାନେ ନିଜ ଇଚ୍ଛା​ ମୁତାବକ ଦର ନିର୍ଦ୍ଧାରଣ କରିଥାନ୍ତି। ସଂଗ୍ରହକାରୀମାନେ ନିକଟସ୍ଥ ହାଟରେ ପାହିରେ ମାପି(ଟିଣଡବା ମାପ) ୨୦-୨୫ ଟଙ୍କାରେ ଦିଅନ୍ତି। ତେବେ ଅଲଗାଅଲଗା ଜାଗାରେ ଭିନ୍ନଭିନ୍ନ ଦର ମଧ୍ୟ ରହିଥିବା ଦେଖାଯାଏ। ଏ ସମୁଦାୟ ପ୍ରସଙ୍ଗରେ ସଂଗ୍ରହକାରୀ ଅବସ୍ଥାର କିଛି ପରିବର୍ତ୍ତନ ହେଉନଥିବାବେଳେ ବେପାରୀ, ଦଲାଲ ଓ ଭାଟିମାଲିକଙ୍କ ‘କଚେପୁଅ ବାର’ ହୋଇଥାଏ।