ଆଦିବାସୀଙ୍କ ମୁହଁରେ ହସ ଫୁଟାଇ ପାରୁନି ମହୁଲ

କଣ୍ଟା ସାଜିଛି ସରକାରୀ ନିୟମ, ଲୁଟୁଛନ୍ତି ବେପାରୀ

ବାରିପଦା: ଏବେ ଜଙ୍ଗଲ ସାରା ଯେଉଁଆଡ଼େ ଦେଖିଲେ ମହୁଲ। ଦେଖିଲେ ଲାଗିବ, କିଏ ଯେମିତି ଭୂଇଁରେ ଫିକା ହଳଦୀ ରଙ୍ଗର ଶେଯ ପାରିଦେଇଛି। ସେମିତି ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗାଁ’ଗୁଡ଼ିକରୁ ଭାସିଆସୁଥିବା ମହୁଲ ଫୁଲର ବାସ୍ନା ମତୁଆଲା କରିପକାଉଛି।

ମାଦକ ଦ୍ରବ୍ୟ ପ୍ରସ୍ତୁତ ସହ ଅନ୍ୟ କାମରେ ମହୁଲ ଦରକାର ପଡ଼େ। ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରପୂର ମାତ୍ରାରେ ଅଛି। ଫଳରେ ବଜାରରେ ମହୁଲର ଚାହିଦା ରହିଥାଏ। ମହୁଲ ପିଠା ତ’ ଓଡ଼ିଆଙ୍କ ଭାରି ପ୍ରିୟ। ତେଣୁ ରୋଜଗାର ପାଇଁ ମୟୂରଭଞ୍ଜ ଜିଲ୍ଲାର ୨୦ ହଜାରରୁ ଅଧିକ ଆଦିବାସୀ ବଣଜଙ୍ଗଲରୁ ମହୁଲ ଗୋଟାନ୍ତି। ସେମାନେ ତାକୁ କଞ୍ଚା ଅଥବା ଶୁଖାଇ ବିକ୍ରି କରନ୍ତି। ଯାହା ଦୁଇପଇସା ରୋଜଗାର ହୁଏ, ସେମାନଙ୍କୁ ଚଳିବାରେ କିଛିକାଂଶରେ ସାହାଯ୍ୟ କରେ।

୬ ବର୍ଷ ହେଲା ସରକାର ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଯାହାର ପ୍ରଭାବ ମହୁଲ ସଂଗ୍ରହକାରୀଙ୍କ ‌ରୋଜଗାର ଉପରେ ପଡ଼ିଛି। ନିୟମ କହୁଛି; ଯେଉଁମାନଙ୍କ ବ୍ୟକ୍ତିଗତ ମାଲିକାନାରେ ମହୁଲ ଗଛ ରହିଛି, ସେମାନେ ସର୍ବାଧିକ ୫ କୁଇଣ୍ଟାଲ୍‌ ଯାଏ ମହୁଲ ଘରେ ଗଚ୍ଛିତ କରି ରଖିପାରିବେ। ହେଲେ ଯେଉଁମାନେ ଜଙ୍ଗଲରୁ ମହୁଲ ସଂଗ୍ରହ କରୁଛନ୍ତି, ସେମାନେ ଏହାକୁ ଘରେ ମହଜୁଦ ରଖିପାରିବେ ନାହିଁ। ଯେତିକି ମହୁଲ ଗୋଟାଇବେ, ତାକୁ ତୁରନ୍ତ ବିକ୍ରି କରିବେ। ଏପରି ସମୟରେ ଆଦିବାସୀମାନେ କ୍ଷତିରେ ପଡ଼ୁଛନ୍ତି। ସେମାନଙ୍କ ଅସହାୟତାର ସୁଯୋଗ ଉଠାଇ ଝାଡ଼ଖଣ୍ଡ ଓ ଅନ୍ୟ ରାଜ୍ୟର ଚୋରା ବେପାରୀମାନେ ଖୁବ୍‌ କମ୍ ମୂଲ୍ୟରେ ମହୁଲ କିଣି ନେଉଛନ୍ତି। ସରକାରୀ ଭାବେ ମହୁଲ କେଜି ପ୍ରତି ମୂଲ୍ୟ ୧୯ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ବେପାରୀମାନେ ୮ରୁ ୧୦ ଟଙ୍କା ଦରରେ କିଣୁଛନ୍ତି। ଅନ୍ୟପଟେ ପଡ଼ୋଶୀ ରାଜ୍ୟ ବିହାରରେ ଦେଶୀମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାରୁ ମହୁଲ ଫୁଲର ଚାହିଦା ଢ଼େର କମିଯାଇଥିବା କୁହାଯାଉଛି।

ଏମିତି ସ୍ଥିତିରେ ସରକାର ମହୁଲ ଗୋଟାଳିଙ୍କ ଜୀବନଜୀବିକା କଥା ଚିନ୍ତା କରିବା ଉଚିତ। ସରକାର କରିଥିବା ନିୟମକୁ କୋହଳ କରାଯାଉ ବୋଲି ଶ୍ୟାମାଖୁଣ୍ଟା ଅଞ୍ଚଳର ମାଳତୀ ମହାନ୍ତ ଓ ଦୀପିକା ମହାନ୍ତ କହିଛନ୍ତି। ସେହିପରି ମହୁଲ ବିକ୍ରି ନେଇ ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରାଯିବା ଉଚିତ ବୋଲି ବାଙ୍ଗିରିପୋଷି ଅଞ୍ଚଳର କାନ୍ଦରା ମାରାଣ୍ଡି ତଥା ଶିମିଳିପାଳ ବନାଞ୍ଚଳବାସୀ ରାଧାମୋହନ ମହାନ୍ତ ଓ ପ୍ରକାଶ ମହାନ୍ତ ଦାବି ଉଠାଉଛନ୍ତି। ତେବେ ସରକାର ମୟୂରଭଞ୍ଜ ଜିଲ୍ଲାର ହଜାର ହଜାର ମହୁଲ ଗୋଟାଳି ଆଦିବାସୀଙ୍କ ସମସ୍ୟା କଥା କେବେ ବୁଝୁଛନ୍ତି, ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର