ବରଗଡ଼: ବରଗଡ଼ ଜିଲ୍ଲା ଗୋଟିଏ ଦଶନ୍ଧି ହେଲା ମରୁଡ଼ିର ଶିକାର ହେଉଛି। ସ୍ବାଭାବିକ ବର୍ଷା ଗାଏବ୍ ଯୋଗୁଁ ଅଣଜଳସେଚିତ ଇଲାକାରେ ସ୍ଥିତି ସଂଗିନ ହେଉଛି। ଏଣେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଉଛି। ଏଭଳି ସ୍ଥିତିରେ ଚାଷୀଙ୍କୁ ବିକଳ୍ପ ଲାଭକାରୀ ଫସଲ ଏବଂ ପନିପରିବା ଚାଷ କରିବାକୁ କୁହାଯାଉଛି। କିନ୍ତୁ ବଜାର ସୁବିଧା ଏବଂ ଶୀତଳଭଣ୍ଡାର ଅଭାବ କାରଣରୁ ଏଥିରେ ବି ଚାଷୀ କ୍ଷତି ସହୁଛି। ବନଜାତ ଦ୍ରବ୍ୟ ବିକ୍ରି କରି ପେଟ ପୋଷୁଥିବା ଜନଜାତିଙ୍କ ସ୍ଥିତି ବେହାଲ ହୋଇପଡ଼ିଛି। ବର୍ତ୍ତମାନ ଜଂଗଲରୁ ମହୁଲ ଫୁଲ ପଡ଼ୁଛି। ଯେତେ ଖରା ବଢ଼ୁଛି, ମହୁଲ ସେତେ ପଡ଼ୁଛି। ଏହାକୁ ସଂଗ୍ରହ କରି ଜିଲ୍ଲାର ପାଖାପାଖି ୧୦% ଗ୍ରାମବାସୀ ଖରାଦିନିଆ ଉପାର୍ଜନ କରିଥାନ୍ତି। ପରିସଂଖ୍ୟାନ ଅନୁସାରେ, ପଶ୍ଚିମ ଓଡ଼ିଶାରୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ୧୦ ହଜାର କ୍ବିଣ୍ଟାଲ ମହୁଲ ଫୁଲ ସଂଗ୍ରହ ହୋଇଥାଏ।
ଏଥିରୁ ୩ହଜାର କ୍ବିଣ୍ଟାଲ ଯାଏ କେବଳ ବରଗଡ଼ ଜିଲ୍ଲାରୁ ସଂଗ୍ରହ ହୁଏ। ଜିଲ୍ଲାର ଭଟଲି, ଅମ୍ବାଭୋନା, ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଅଂଚଳରୁ ବ୍ୟାପକ ମହୁଲ ଫୁଲ ମିଳିଥାଏ। ଏଥିରୁ ୨୦ ହଜାରରୁ ଅଧିକ ପରିବାର ଉପାର୍ଜନ କରିଥାନ୍ତି। କିନ୍ତୁ ମହୁଲ ଫୁଲ ଗୋଟାଇ ତାଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ। ଦଲାଲ ହାବୁଡ଼ରେ ପଡ଼ି ଫୁଲ ଗୋଟାଳିମାନେ ସର୍ବସ୍ବାନ୍ତ ହେଉଛନ୍ତି। ଦଲାଲମାନେ ଗୋଟାଳିଙ୍କ ଠାରୁ ମହୁଲ ଫୁଲ କିଲୋ ପିଛା ଅତିବେଶିରେ ୧୦ ଟଙ୍କାରେ କିଣୁଛନ୍ତି। ତାକୁ ଦେଶୀ ମଦ ପ୍ରସ୍ତୁତ କରୁଥିବା ଭାଟିକୁ ୧୭ ରୁ ୨୦ ଟଙ୍କା କିଲୋ ପ୍ରତି ବିକ୍ରି କରୁଛନ୍ତି।
ବର୍ତମାନ ଦଲାଲମାନେ ଦୁର୍ଗମ ଗାଁଗୁଡ଼ିକରେ ସକ୍ରିୟ ରହିଛନ୍ତି। ଏସବୁ ଇଲାକାରୁ ମହୁଲ ଫୁଲ କିଲୋ ୫ ଟଙ୍କା ଦରରେ କିଣାଯାଉଛି। ବିଶେଷକରି ସୀମାନ୍ତ ବ୍ଲକ୍ଗୁଡ଼ିକରେ ସଂଗ୍ରହ ହେଉଥିବା ମହୁଲ ଫୁଲ ଛତିଶଗଡ଼କୁ ଚାଲାଣ ହେଉଛି। ଗୋଟିଏ ହିସାବରେ କହିବାକୁ ଗଲେ, ଏହି କାରବାର ବି ଛତିଶଗଡ଼ର ମାଫିଆଙ୍କ ନିୟନ୍ତ୍ରଣରେ ରହିଛି। କରୋନାର ଦୁଇଟି ଲହର ବେଳେ ଫୁଲ ଗୋଟାଳି ସଂପୂର୍ଣ୍ଣ ହତାଶ ଥିଲେ। କାରଣ ମହୁଲ ସଂଗ୍ରହ କଲେ ବି ତାକୁ କିଣିବାକୁ କେହି ପ୍ରସ୍ତୁତ ନଥିଲେ। ବାହାର ରାଜ୍ୟକୁ ତାହା ଯାଉନଥିଲା। ଲୁଚାଛପା ଜଂଗଲ ଭିତରେ ମଦ ରାନ୍ଧୁଥିବା ଲୋକେ ଏସବୁ ଅତି ସ୍ବଳ୍ପ ଟଙ୍କାରେ କିଣି ନେଉଥିଲେ। ତେଣୁ ଗୋଟାଳିଙ୍କ ପରିଶ୍ରମ ତୁଳନାରେ ମୂଲ ମିଳୁନଥିଲା। ଏବେ ବି ସେହି ଅବସ୍ଥା। ତାଜା ହେଉ କି ଶୁଖିଲା, ମହୁଲ ଫୁଲର ଚାହିଦା ଥିଲେ ହେଁ ତୋଳାଳିଙ୍କ ଭାଗ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ।