ରାଉରକେଲା: ଅନୈତିକଭାବେ ମହୁଲ ଫୁଲ ଗଚ୍ଛିତ ରଖିଥିବା ବେପାରିଙ୍କ ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରିବାକୁ ରାଜ୍ୟ ଅବକାରିକମିସନରଙ୍କ ଦ୍ବାରା ନନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଅଭିଯୁକ୍ତଙ୍କ ଗୋଦାମ ଘରେ ଚଢ଼ଉ ତଥା ଚୋରାଚାଲାଣ ରୋକିବାକୁ ଯାନବାହନ ଯାଞ୍ଚ ହୋଇଥିଲା। ତେବେ ଚଢ଼ଉବେଳେ ବିଶେଷ ପରିମାଣରେ ମହୁଲ ଫୁଲ ଧରାପଡ଼ିନଥିଲା। କେବେଳ ଗୋଟିଏଥର ଅଟୋରେ ମହୁଲ ଫୁଲ ଚୋରାଚାଲାଣ ହେଉଥିବାବେଳେ ଅବକାରୀ ପୁଲିସ ତାକୁ ଜବତ କରିଥିଲା। ଅପରପକ୍ଷରେ ଏବେ ସହର ଆଖପାଖ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ମହୁଲ ଫୁଲ ଉପଲବ୍ଧ। ଅବଶ୍ୟ ଚଢ଼ଉ ହେଉଛି; କିନ୍ତୁ ଆଶାନୁରୂପ ନୁହେଁ। କେବଳ ଗତ ଦୁଇ ମାସରେ ରାଉରକେଲା ଅବକାରୀ ପୁଲିସ ୪୬ ହଜାର ୬୪୦ କେଜି ମହୁଲ ପୋଚ ଜବତ କରିଛି। ଅବକାରୀ ଚଢ଼ଉବେଳେ ମହୁଲ ଫୁଲ ଧରାପଡ଼ିନଥିଲା, ତେବେ ପରବର୍ତ୍ତୀ ସମୟରେ ଏତେ ପରିମାଣର ମହୁଲ ଫୁଲ ଆସିଲା କେଉଁଠୁ? ଏ ମଦ ତିଆରି କରୁଥିବା ଲୋକଙ୍କୁ ଏତେ ପରିମାଣର ମହୁଲ ଫୁଲ କିଏ ଯୋଗାଣ କଲା? ପ୍ରକୃତରେ ବେପାରି ଗୋଦାମରେ ଗଚ୍ଛିତ ରଖିଥିଲେ, ନାଁ ସିଧାସଳଖ ଦେଶୀ ମଦ ତିଆରିରେ ଲିପ୍ତ ବ୍ୟକ୍ତିଙ୍କୁ ପୂର୍ବରୁ ବିକ୍ରି କରିସାରିଥିଲେ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଲାଣି।
ରାଉରକେଲା ସଂଲଗ୍ନ ବିଭିନ୍ନ ଅଞ୍ଚଳ, ବିଶେଷକରି କୁଆରମୁଣ୍ଡା, ନୂଆଗାଁ, ବିଶ୍ରା ବ୍ଲକର ବିଭିନ୍ନ ଗାଁରେ ଏକାଧିକ କ୍ବିଣ୍ଟାଲ ମହୁଲ ପୋଚ ଜବତ ହେଲାଣି। ମାତ୍ର ଦୁଇ ମାସ, ଅର୍ଥାତ୍ ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ୪୬ ହଜାର ୬୪୦ କେଜି ମହୁଲ ପୋଚ ଜବତ ହେବା, ଆଖପାଖ ଅଞ୍ଚଳରେ ଗଚ୍ଛିତ ପରିମାଣକୁ ନେଇ ସହଜରେ ଅନୁମାନ କରାଯାଇପାରେ। ସରକାରୀ ଦର ଅନୁସାରେ ଜବତ ମହୁଲ ପୋଚର ମୂଲ୍ୟ ୨୩ ଲକ୍ଷ ୩୨ ହଜାର ଟଙ୍କା ହେବ। ଗତ ଦୁଇ ମାସରେ ଅବକାରୀ ବିଭାଗ ପକ୍ଷରୁ ଦାଏର୍ କରାଯାଇଥିବା ମାତ୍ର ୫ଟି ମାମଲାରେ ଏତେସଂଖ୍ୟକ ମହୁଲ ପୋଚ ଜବତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତକାଲି ଅବକାରୀ ବିଭାଗ ପକ୍ଷରୁ ବୀରମିତ୍ରପୁର ଥାନା ଅନ୍ତର୍ଗତ କାରିଛାପଲ ଅଞ୍ଚଳରେ ଚଢ଼ଉ କରାଯାଇଥିଲା।
ଚଢ଼ଉବେବେଳ ୨୧ ହଜାର ୫ ଶହ କେଜି ମହୁଲ ପୋଚ ସମେତ ୫ ଶହ ଲିଟର ଦେଶୀ ମଦ ମଧ୍ୟ ଜବତ ହୋଇଥିଲା। ସେହିଭଳି ଗତ ଜାନୁଆରି ୨୮ ତାରିଖରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଭାଲୁଲତାରେ ମୋଟ୍ ୭,୨୦୦ କେଜି ମହୁଲ ପୋଚ ଜବତ ହୋଇଥିଲା। ଏହାସହ ଉକ୍ତମାସ ୨୨ ତାରିଖରେ ବିଶ୍ରା ଥାନା ଅନ୍ତର୍ଗତ କେମାଙ୍ଗରେ ୧୩ ହଜାର ୩ ଶହ କେଜି ମହୁଲ ପୋଚ ଜବତ ହୋଇଥିବାବେଳେ ୨୧ ତାରିଖରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ରେଳାପୋଷରୁ ୪,୧୬୦ କେଜି ଓ ୧୯ ତାରିଖରେ ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁରରୁ ୪୮୦ କେଜି ମହୁଲ ପୋଚ ଜବତ ହୋଇଥିଲା। ଏସବୁ ଜବତ ମହୁଲ ପୋଚକୁ ଦେଶୀ ମଦ ପ୍ରସ୍ତୁତ କରିବାକୁ ରଖାଯାଇଥିଲା। ଏହା ଦେଶୀ ମଦରେ ରୂପାନ୍ତରିତ ହେବା ପୂର୍ବରୁ ଅବକାରୀ ବିଭାଗର ନଜରରେ ପଡ଼ିଯାଇଥିଲା। କେବଳ ଏମାନେ ନୁହନ୍ତି, ବରଂ ଉକ୍ତ ଅଞ୍ଚଳର ଏକାଧିକ ଗ୍ରାମରେ ସମାନ ଢ଼ଙ୍ଗରେ ଦେଶୀ ମଦ ପ୍ରସ୍ତୁତ ହେଉଛି। କିଏ ନିଜ ଘରେ ଲୁକ୍କାୟିତଭାବେ ସ୍ବଳ୍ପ ପରିମାଣର ଦେଶୀ ମଦ ତିଆରି କରୁଥିବାବେଳେ ଏକାଧିକ କିନ୍ତୁ ଜଙ୍ଗଲ ଭିତରେ ତଥା ନିକାଞ୍ଚ ଅଞ୍ଚଳରେ ତିଆରି କରୁଛନ୍ତି। ଘରଠାରୁ ଦୂରବର୍ତ୍ତୀ ଅଞ୍ଚଳରେ ମଦ ପ୍ରସ୍ତୁତ ହେଉଥିବାରୁ ସହଜରେ ଧରାପଡ଼ିବାର ଆଶଙ୍କା କମ୍ ରହୁଛି। ଗତ ଦୁଇ ମାସରେ ମାମଲା ଯଦି ୫ରୁ ଅଧିକ ହୋଇଥାନ୍ତା; ତା’ହେଲେ ମୋଟ୍ ଜବତ ପରିମାଣରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଥାନ୍ତା।