ବଣାଇଗଡ଼: ବଣାଇ ଉପଖଣ୍ଡ ଏକ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ଜୀବନଜୀବିକା ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭରଶୀଳ। ବିଶେଷ ଭାବେ ବଣାଇ, ଲହୁଣିପଡ଼ା ଓ ଗୁରୁଣ୍ଡିଆ ବ୍ଲକ୍‌ର ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମହୁଲଫୁଲ, ଫଳ ଏବଂ ମଞ୍ଜି ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ପ୍ରତିବର୍ଷ ସେମାନଙ୍କର ସେହି ଆଶା ନିରାଶାରେ ପରିଣତ ହୋଇଥାଏ। ସରକାର ମହୁଲଫୁଲ ସହ ସମୁଦାୟ ୧୬୯ ପ୍ରକାର ବନଜାତ ଦ୍ରବ୍ୟକୁ ପଞ୍ଚାୟତ ହାତରେ ନ୍ୟସ୍ତକରି ତା’ର ଦର ନିର୍ଦ୍ଧାରଣ କରିବାକୁ ନିର୍ଦେଶ ଦେଇଛନ୍ତି। ହେଲେ ପଞ୍ଚାୟତମାନଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସଂଗ୍ରହକାରୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।

Advertisment

ପରିଶ୍ରମ ଅନୁସାରେ ସେମାନେ ମହୁଲଫୁଲର ଉଚିତ୍ ମୂଲ୍ୟ ପାଉନାହାନ୍ତି।ସରକାରୀ ନିୟମ ହିସାବରେ ପଞ୍ଚାୟତସମିତି ବୈଠକରେ ଆଲୋଚନା ହେଲାପରେ ପ୍ରତି ପଞ୍ଚାୟତରେ ବୈଠକ ମାଧ୍ୟମରେ ମହୁଲଫୁଲର ଦର ନିର୍ଦ୍ଧାରଣ କରି ଉପଜିଲ୍ଲାପାଳଙ୍କୁ ଦେବା କଥା। ଆଉ ସେହି ଦର ହିସାବରେ ବ୍ୟବସାୟୀମାନେ ସଂଗ୍ରହକାରୀଙ୍କଠାରୁ ଉଚିତମୂଲ୍ୟ ଦେଇ ଫୁଲ କିଣିବା କଥା। ହେଲେ ଏଠାରେ ଓଲଟା ନୀତି ଯୋଗୁ ବ୍ୟବସାୟୀମାନେ ଗାଁଗାଁରେ ପହଞ୍ଚି ସଂଗ୍ରହକାରୀଙ୍କଠାରୁ ୨୦ରୁ ୨୫ ଟଙ୍କା ଦରରେ ମହୁଲଫୁଲ କିଣୁଛନ୍ତି। ସଂଗ୍ରହକାରୀମାନେ ଦୀର୍ଘ ୩ରୁ ୪ ମାସ ହାଡ଼ଭଙ୍ଗା ପରିଶ୍ରମ କରି ସପରିବାର ଫୁଲ ସଂଗ୍ରହ କରୁଥିଲେ ମଧ୍ୟ ସବୁ ପରିଶ୍ରମର ଫଳ ବେପାରୀ ମାଡ଼ିବସି ଲାଭବାନ ହେଉଛନ୍ତି।

ଅପରପକ୍ଷରେ ଅବକାରୀ ବିଭାଗ ଜରିଆରେ ଲାଇସେନ୍ସ ପାଇଥିବା ବ୍ୟବସାୟୀ ହିଁ ମହୁଲଫୁଲ କିଣିପାରିବେ। ହେଲେ ଅଞ୍ଚଳରେ ମାଳମାଳ ବ୍ୟବସାୟୀ ଗାଁଗାଁରେ ପହଞ୍ଚି ଫୁଲ କିଣୁଥିଲେ ମଧ୍ୟ ସେ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବାରେ ବିଫଳ ହେଉଥିବା ଦେଖାଯାଉଛି। ପ୍ରତିବର୍ଷ ଫୁଲ କାରବାର ବଢ଼ି ଚାଲିଥିବାବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବଡ଼ ବ୍ୟବସାୟୀମାନେ ମାଲାମାଲ ହେଉଥିବାବେଳେ ସଂଗ୍ରହକାରୀମାନେ ଶୋଷଣର ଶିକାର ହେଉଛନ୍ତି। ଏଥିପାଇଁ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଫୁଲ ସଂଗ୍ରହର ପ୍ରଥମମାସରୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣକଲେ ସଂଗ୍ରହକାରୀ ଶୋଷଣରୁ ମୁକ୍ତି ପାଇପାରିବେ ବୋଲି କୁହାଯାଉଛି।