ମାଲକାନଗିରି: ସରକାର ସର୍ବନିମ୍ନ ମୂଲ୍ୟରେ ଜଂଗଲଜାତ ଦ୍ରବ୍ୟ କିଣିବା ନେଇ ବାରମ୍ବାର ନିର୍ଦେଶ ଜାରି କରୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି। ଏଥିପାଇଁ ରାଜ୍ୟ ସରକାର ନିଜର ନୋଡାଲ ଏଜେନ୍ସିମାନଙ୍କୁ ଏହି ନିର୍ଦେଶ ଦେବା କଥା ବୋଲି କୁହାଯାଇଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ମହୁଲ ଫୁଲର ସମ୍ଭାର। ଆଦିବାସୀ ସଂପ୍ରଦାୟର ଲୋକେ ପ୍ରତିଦିନ ସକାଳୁ ମହୁଲ ଗୋଟାଇ ତାକୁ ଶୁଖାଇ ବିକ୍ରି କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାନ୍ତି। ତେବେ ବଜାର ନଥିବାରୁ ଆଦିବାସୀ ଭାଇମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Advertisment

ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲା ହେଉଛି ମହୁଲ ସଂଗ୍ରହରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥାଏ।ମାଲକାନଗିରି ଜିଲ୍ଲାରୁ ହିଁ ପଡୋଶୀ ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନାକୁ ମହୁଲ ରପ୍ତାନୀ ହୋଇଥାଏ। ସରକାର ମହୁଲ ଫୁଲର ସର୍ବନିମ୍ନ ଦାମ ଘୋଷଣା କଲେ ଲୋକେ ସେହି ଦାମରେ ନିଜର ଗଚ୍ଛିତ ମହୁଲକୁ ବିକ୍ରି କରିପାରନ୍ତେ ବୋଲି କୁହାଯାଇଛି। ଏବେ ପ୍ରତ୍ୟେକ ପୁରପଲ୍ଲୀରେ ଲୋକଙ୍କ ପାଖେ ମହୁଲ ଗଚ୍ଛିତ ହୋଇ ରହିଛି, ଯାହାକୁ ଆଦିବାସୀ ବିକ୍ରି କରିପାରୁନାହାନ୍ତି। ଦଲାଲାମାନେ ଏବେ ସକ୍ରିୟ ହୋଇପଡିଛନ୍ତି। ବିଶେଷକରି ଛତିଶଗଡ଼ ଦଲାଲ ମାଲକାନଗିରି ଜିଲ୍ଲାର ଗାଁ ଗାଁ ବୁଲୁଛନ୍ତି। ସରକାରଙ୍କ ତରଫରୁ ଦର ନିର୍ଧାରିତ ହୋଇନଥିବାରୁ ମନଇଛା ଟଂକା ଦେଇ ଆଦିବାସୀଙ୍କୁ ଦିନ ଦ୍ବିପହରରେ ଠକୁଛନ୍ତି।

ସେହିପରି ଜଂଗଲରୁ ମିଳୁଥିବା ମହୁ, ଝୁଣା, ଶାଳ ମଂଜି, କେନ୍ଦୁପତ୍ର ଇତ୍ୟାଦିକୁ ମଧ୍ୟ ଦର ନିର୍ଦ୍ଧାରିତ ହୋଇନଥିବାରୁ ଆଦିବାସୀଙ୍କ ଠାରୁ କମ୍ ଟଂକାରେ ଏହାକୁ ଖରିଦ କରାଯାଇ ବାହାର ରାଜ୍ୟରେ ଚଢା ଦରରେ ବିକ୍ରି କରି ଦଲାଲ ମାଲାମାଲ ହେଉଛନ୍ତି। ପ୍ରତି ବର୍ଷ ମହୁଲ ଆଦିବାସୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାଏ। ମହୁଲର ଦାମ ଚାଳିଶିରୁ ପଚାଶ ପର୍ଯ୍ୟନ୍ତ ରହିଥିବା ବେଳେ ବେପାରୀମାନେ ୧୫ରୁ ୨୦ ଟଂକା ମଧ୍ୟରେ ମହୁଲ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି। ବିଶେଷକରି ମହୁଲ ମଦ ରନ୍ଧାରେ ଏବଂ ଗାଈମାନଙ୍କୁ ଅଧିକା କ୍ଷୀର ଦେବା ପାଇଁ ବ୍ୟବହୃତ ହୋଇଥାଏ। ପ୍ରତିଦିନ ଆଦିବାସୀଙ୍କ ପରିଶ୍ରମ ବୃଥା ହେଉଥିବା କୁହାଯାଇଛି। ପିଲା ଠାରୁ ବୁଢା ପର୍ଯ୍ୟନ୍ସ ସମସ୍ତେ ଜଂଗଲକୁ ଯାଇ ମହୁଲ ଗୋଟାଇବା ବେଳେ ବହୁ ସମୟରେ ଜଂଗଲି ଜନ୍ତୁଙ୍କର ଶିକାର ମଧ୍ୟ ହେଉଛନ୍ତି। ଦିନ ତମାମ ମହୁଲ ଗୋଟାଇ ଆଣି ତାକୁ ଶୁଖାଇବା ପରେ ବଜାରରେ ବିକ୍ରି ହୋଇଥାଏ।

ତେବେ ଯେତିକି ପରିଶ୍ରମ ହେଉଛି, ସେହି ତୁଳନାରେ ପ୍ରାପ୍ୟ ମିଳୁନଥିବା ଆଦିବାସୀ ଭାଇମାନେ ପ୍ରକାଶ କରିଛନ୍ତି। ପଡୋଶୀ ରାଜ୍ୟରେ ମହୁଲର ଦାମ ଅଧିକା ଥିବାରୁ ସ୍ଥାନୀୟ ଦଲାଲ ଏବଂ ଛତିଶଗଡର ଦଲାଲମାନେ ଏବେ ଗାଁ ଗାଁରେ ସକ୍ରିୟ ହୋଇ ଆଦିବାସୀଙ୍କୁ ଠକୁଛନ୍ତି। ସରକାର ଏନେଇ ପଦକ୍ଷେପ ନେଲେ ଆଦିବାସୀ ବର୍ଷକୁ ଥରେ ମହୁଲ ଫୁଲରୁ ରୋଜଗାର କରୁଥିବା ଅର୍ଥ ଦ୍ବିଗୁଣ ହୋଇପାରିବ ବୋଲି କୁହାଯାଇଛି। ପଞ୍ଚାୟତ ତରଫରୁ ଏନେଇ ହସ୍ତକ୍ଷେପ କଲେ ଆଦିବାସୀ ସମାଜ ଉଚିତ ପ୍ରାପ୍ୟ ପାଇପାରିବେ ବୋଲି ମଧ୍ୟ କୁହାଯାଇଛି।