ବେଧଡ଼କ ଚାଲିଥିଲା ମହୁଲ ଚୋରା ଚାଲାଣ: ୨୪ ହଜାର କେଜି ମହୁଲ ଜବତ, ୨ ଗିରଫ

ସମ୍ବଲପୁର : ଶାସନ ଥାନା ଅଞ୍ଚଳରେ ବେଆଇନ୍‌ ଭାବେ ଲୋକଙ୍କ ଠାରୁ କମ୍‌ ଦାମ୍‌ରେ ମହୁଲ କିଣି ବାହାରକୁ ଚୋରା ଚାଲାଣ ଚାଲିଥିଲା। କିଛି ବ୍ୟବସାୟୀଙ୍କ ସ୍ବାର୍ଥ ଦୃଷ୍ଟିରୁ ମହୁଲ ଗୋଟାଉ ଥିବା ଗରିବ ଲୋକେ ଅଭାବି ବିକ୍ରିର ଶିକାର ହେଉଥିଲେ। କିଛି ଅସାଧୁ ବ୍ୟବସାୟୀ ଏଭଳି କାରବାର ଲଗାତାର ଭାବେ କରି ଆସୁଥିବା ବେଳେ ଏହା ପଦାକୁ ବାହାରୁ ନଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏଭଳି ଘଟଣା ବିଷୟରେ ପୁଲିସ ଟେର୍‌ ପାଇ ନଥିବା ବେଳେ ଅବକାରୀ ବିଭାଗକୁ କୌଣସି ସୂଚନା ନଥିଲା। ଯେଉଁ କାରଣରୁ ବ୍ୟବସାୟୀମାନେ ବେଧଡ଼କ ଚୋରା ଚାଲାଣ କରିଆସୁଥିଲେ। ତେବେ ମଙ୍ଗଳବାର ଦିନ ମହୁଲ ଚୋରା ଚାଲାଣ କରୁଥିବା ସୂଚନା ପାଇବା ପରେ ଚଢ଼ଉ କରି ଶାସନ ପୁଲିସ ଜଣେ ବ୍ୟବସାୟୀ ଓ ଜଣେ ଟ୍ରକ୍‌ ଚାଳକଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଶାସନ ଥାନା ଅଇଁଲାମାଳର ବୈଦ୍ୟନାଥ ସ୍ବାଇଁ ବେଆଇନ ଭାବେ ମହୁଲ ଫୁଲ ଘରେ ରଖିଥିଲେ। ଏହାକୁ ଝାରସୁଗୁଡ଼ା ଚାଲାଣ କରିବା ପାଇଁ ଏକ ଟ୍ରକ୍‌ରେ ବୋଝେଇ କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇବା ପରେ ଶାସନ ପୁଲିସ ଚଢ଼ଉ କରିଥିଲା। ଚଢ଼ଉବେଳେ ଖୁଣ୍ଟାପାଲି ନିକଟରେ ୨୧,୬୫୦ କେଜି ମହୁଲ ଫୁଲ ବୋଝେଇ ଟ୍ରକ୍‌(ଓଆର୍‌ ୧୪ ଏସ୍‌ ୩୨୦୨)କୁ ଜବତ କରିବା ସହ ବ୍ୟବସାୟୀ ବୈଦ୍ୟନାଥ ସ୍ବାଇଁ ଓ ଟ୍ରକ୍‌ ଚାଳକ ରାଉରକେଲା ବଣ୍ଡାମୁଣ୍ଡାର ସୁରେଶ ଯାଦବଙ୍କୁ ପୁଲିସ ଗିରଫ କରିଥିଲା। ଏହାପରେ ପୁଲିସ ବୈଦ୍ୟନାଥଙ୍କ ଘରେ ଚଢ଼ଉ କରି ୩୦୫୫ କେଜି ମହୁଲ ଫୁଲ ଏବଂ ଏକ ଓଜନ ଯନ୍ତ୍ର ଜବତ କରିଥିଲା। ତେବେ ଆହୁରି ଅନେକ ବ୍ୟବସାୟୀ ଲୋକଙ୍କ ସରଳତା ଓ ଆବଶ୍ୟକତାର ଫାଇଦା ଉଠାଇ ବହୁତ କମ୍‌ ମୂଲ୍ୟରେ ମହୁଲ ଫୁଲ କିଣି ଚଢ଼ା ଦରରେ ଜିଲ୍ଲା ତଥା ରାଜ୍ୟ ବାହାରେ ବିକ୍ରି କରି ଲାଭବାନ ହେଉଛନ୍ତି। ଏଭଳି କାରବାର ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ଅବକାରୀ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର