ମେଲ୍, ଏକ୍ସପ୍ରେସ୍, ପାସେଞ୍ଜର ଓ ବିଶେଷ ଟ୍ରେନ୍ ପୂର୍ବଭଳି ଚାଲିବ

କୋଭିଡ୍ ପୂର୍ବ ଟ୍ରେନ ଭଡା ରହିବ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବର୍ତ୍ତମାନ ଚଳାଚଳ କରୁଥିବା ମେଲ, ଏକ୍ସପ୍ରେସ୍, ପାସେଞ୍ଜର ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ନିୟମିତ ସେବାରେ ପରିବର୍ତ୍ତନ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ପୂର୍ବ ଭଳି ଟ୍ରେନ ଭଡ଼ା ଅନୁଯାୟୀ ତତ୍କାଳ ଟ୍ରେନ୍ ଚଳାଚଳ କରାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା କିମ୍ବା ଯାତ୍ରା ସମାପ୍ତ କରୁଥିବା ପ୍ରାୟ ୭୬ଟି ମେଲ୍, ଏକ୍ସପ୍ରେସ ଓ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୪ଟି ପାସେଞ୍ଜର ଟ୍ରେନ୍ ତୁରନ୍ତ ଚଳାଚଳ କରାଇବା ପାଇଁ ସ୍ଥିର ହୋଇଛି। କୋଭିଡ୍ ମହାମାରୀ ସମୟରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଏହା ସହିତ ଜାରି ରହିବ।

ଟ୍ରେନ ନମ୍ବରର ପ୍ରଥମ ଅଙ୍କ ବର୍ତ୍ତମାନ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ପରି ଶୂନ୍ୟ ରହିବ ନାହିଁ। ଟ୍ରେନ୍ ଗୁଡିକ ବର୍ତ୍ତମାନ ସେମାନଙ୍କର ନିୟମିତ ସଂଖ୍ୟା ସହିତ ପୂର୍ବଭଳି ଚଳାଚଳ କରିବ ଏବଂ ଟ୍ରେନ ଭଡା କୋଭିଡ୍ ପୂର୍ବବତୀ ସମୟ ପରି ସ୍ୱାଭାବିକ ଅବସ୍ଥାକୁ ଫେରିବ। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ନିୟମିତ ମେଲ୍, ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକ ସ୍ୱତନ୍ତ୍ର ମେଲ୍, ଏକ୍ସପ୍ରେସ୍ ଏବଂ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଭାବରେ ପରିଚାଳିତ ହେଉଥିଲା। ବର୍ତ୍ତମାନ ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକୁ ୱାର୍କିଂ ଟାଇମ୍ ଟେବୁଲ୍ ୨୦୨୧ରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିସ୍ତୃତ ନିୟମ ଅନୁଯାୟୀ ଟ୍ରେନ୍ ସେବା ନିୟମିତ ନମ୍ବର ଏବଂ କୋଭିଡ୍ ପୂର୍ବ ଭଡ଼ା ସହିତ ସମ୍ପୃକ୍ତ ଶ୍ରେଣୀ ଏବଂ ଟ୍ରେନ୍ ଗୁଡିକର ପ୍ରକାର ପାଇଁ ପ୍ରଯୁଜ୍ୟ ହେବ। ଦୀର୍ଘ ଦୂରତା ମେଲ୍ ଏକ୍ସପ୍ରେସ୍ ଟ୍ରେନରେ ଦ୍ୱିତୀୟ ଶ୍ରେଣୀ (ସାଧାରଣ କୋଚ୍ ଏବଂ ଏସଏଲଆର୍ କୋଚର ଯାତ୍ରୀ ଅଂଶ) ସଂରକ୍ଷିତ ଭାବରେ ବୁକ୍ ହୋଇ ରହିବ ଏବଂ ବିଶେଷ କ୍ଷେତ୍ରରେ ଅନୁମତିପ୍ରାପ୍ତ କେତେକ ଟ୍ରେନରେ ଅଣସଂରକ୍ଷିତ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର