ବଜ୍ରକାପ୍ତା ଚୋରାଚାଲାଣର ମୁଖ୍ୟ ଅଭିଯୁକ୍ତ ମାଧବ ଗିରଫ; ଆଉ ୨୦ ଜଣଙ୍କୁ ଖୋଜୁଛି ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ

ଆଠଗଡ : ବଜ୍ରକାପ୍ତା ଚୋରାଚାଲାଣ ମୁଖ୍ୟ ଅଭିଯୁକ୍ତ ମାଧବ ଚନ୍ଦ୍ରଙ୍କୁ ଆଜି ବନବିଭାଗ ଗିରଫ କରିଥିବା ଜଣାଯାଇଛି। ତାଙ୍କୁ କଟକ ଜିଲ୍ଲାର ମୁଣ୍ଡଳି ଅଞ୍ଚଳରୁ ଗିରଫ କରାଯାଇଥିବାର ସୂଚନା ମିଳିଛି। ପୂର୍ବରୁ ଏହି ରାକେଟର ୧୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବଜ୍ରକାପ୍ତା ଚାଲାଣ ରାକେଟରେ ଆହୁରି ୨୦ ଜଣ ସଂପୃକ୍ତ ଥିବା ଜଣାପଡ଼ିଛି। ଏମାନେ ବିକ୍ଷିପ୍ତ ଭାବେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବଂ କେତେକ ରାଜ୍ୟ ବାହାରେ ଆତ୍ମଗୋପନ କରିଛନ୍ତି । ସେମାନଙ୍କୁ ଧରିବା ପାଇଁ  ଇତିମଧ୍ୟରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇସାରିଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବନ ବିଭାଗ ଏବଂ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ମାରାଥନ ଜେରା କରିବାପରେ ମିଳିଥିବା ଚାଞ୍ଚଲ୍ୟକର ତଥ୍ୟକୁ ଭିତ୍ତିକରି ମୁଖ୍ୟଅଭିଯୁକ୍ତ ମାଧବ ଚନ୍ଦ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Image Source-Aajtak

ବଜ୍ରକାପ୍ତା ଚାଲାଣ ରାକେଟ୍ ସଂପର୍କରେ ଖୋଳତାଡ଼ ପାଇଁ କିଛି ଦିନ ହେଲା ଡବ୍ଲୁସିସିବି ଟିମ୍ ଆଠଗଡ଼ରେ ଡେରା ପକାଇଥିଲା । ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ରେଞ୍ଜର ଆଡାଳ ନର୍ସରୀଠାରେ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ଓ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଜବଲପୁର ଶାଖା ଗୁଇନ୍ଦା ଅଧିକାରୀ ଦେବେନ୍ଦ୍ର ସିଂ ରାଠୋରଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ଜେରା ସମୟରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଶ୍ବଶୁର-ଜ୍ବାଇଁଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଯାହା ଦ୍ବାରା ମୁଖ୍ୟଅଭିଯୁକ୍ତକୁ ଗିରଫ କରିବା ସମ୍ଭବ ହୋଇଛି।

ଉଲ୍ଲେଖଯୋଗ୍ୟ କି ଅନ୍‌ଲାଇନର ବିଭିନ୍ନ ବ୍ୟବସାୟ ଭଳି ମୋବାଇଲରେ କୋଡିଂ ବ୍ୟବସ୍ଥା ମାଧ୍ୟମରେ ବିଦେଶକୁ ବଜ୍ରକାପ୍ତା, ବଜ୍ରକାପ୍ତା କାତି ଓ ମାଂସ ଚାଲାଣ କରୁଛି ବଜ୍ରକାପ୍ତା ଚାଲାଣ ରାକେଟ। ବଜ୍ରକାପ୍ତା କାତିରୁ ବିଭିନ୍ନ ରୋଗର ଔଷଧ, ବୁଲେଟ୍‌ ପ୍ରୁଫ୍‌ ଜାକେଟ୍ ତିଆରି ହେଉଥିବା ବେଳେ ଚୀନ, ମିଆଁମାର, ଭିଏତ୍‌ନାମକୁ ଏହା ଚାଲାଣ ହେଉଛି।

ସମ୍ବନ୍ଧିତ ଖବର