ଜେନାପଦା ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ

କଟକ/ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ ଦାସଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିବାର ଖବର ମିଳିଛି। ତାଙ୍କଠାରୁ ଗୁଳିକାଣ୍ଡରେ ବ୍ୟବହୃତ ମାଉଜର ଓ କେତେକ ଅଫୁଟା ଗୁଳି ଜବତ କରାଯାଇଛି। ଏହି ଘଟଣା ପରେ ସଦାନନ୍ଦ ଫେରାର ଥିଲେ।

ସୂଚନାଯୋଗ୍ୟ, ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ମଝିସାହିରେ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିଲା। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ୮ ରାଉଣ୍ଡ ଗୁଳି ଚଳାଇବାରୁ ଗୋଟିଏ ପରିବାରର ତିନିଜଣ ଗୁରୁତର ଆହତ ହୋଇଥିଲେ। ଆହତ ଦୁଇ ଭାଇ ଓ ପୁତୁରାଙ୍କୁ ପ୍ରଥମେ ଆଠଗଡ଼ ଓ ପରେ ସଂକଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ପରକିୟା ପ୍ରୀତିର ଭିଡିଓ ଭାଇରାଲ୍କୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିଲା।
ପ୍ରକାଶ ଯେ ଭାରତୀୟ ସେନାବାହିନୀରେ ଚାକିରି କରି ଅବସର ଗ୍ରହଣ ତିଗିରିଆ ଥାନା ହରିଡ଼ାପଶି ଗ୍ରାମର ସଦାନନ୍ଦ ଦାସ ଓରଫ ଲିଟୁନା (୪୦) ପୂର୍ବରୁ ନିଜ ମାମୁ ଘର ଜେନାପଦା ଗ୍ରାମରେ ରହୁଥିଲେ।

ଲିଟୁନା ଜେନାପଦା ଗ୍ରାମରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ସେହି ଗ୍ରାମର ବଂଶୀଧର ନାୟକ (୬୦), ଦୀନବନ୍ଧୁ ନାୟକ ଓ ଜିତୁନା ନାୟକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଲିଟୁନା ନିଜ ବନ୍ଧୁକରୁ ଆଠ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିମଧ୍ୟରୁ ଦୁଇ ଭାଇ ବଂଶୀଧର ଓ ଦୀନବନ୍ଧୁଙ୍କ ଶରୀରରେ ତିନିଟି ଲେଖାଏ ଗୁଳି ବାଜିଥିଲା ବେଳେ ଦୁଇଟି ଗୁଳି ପୁତୁରା ଜିତୁନାଙ୍କ ଦେହରେ ବାଜିଥିଲା।

ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର