ଭରତପୁର ଗୋଷ୍ଠୀସଂଘର୍ଷ ଓ ପୁଲିସ ଗାଡ଼ି ପୋଡ଼ି ଘଟଣା : ମୁଖ୍ୟ ଅଭିଯୁକ୍ତ ନାଣ୍ଡୁ, ସହଯୋଗୀ ଗିରଫ

ପତିଆରା ପାଇଁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲଢ଼େଇ

ସରପଞ୍ଚଙ୍କ ସ୍ବାମୀ ମିଟୁ ଫେରାର୍
ସନ୍ଦେହ ଘେରରେ ବାଲିଚନ୍ଦ୍ରପୁର ପୁଲିସର ଭୂମିକା
ଏନ୍ଏ‌ସ୍ଏରେ ଗିରଫ ପାଇଁ କଂଗ୍ରେସର ଦାବି

ଯାଜପୁର/ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତର ମାତାମଠ ପୋଲ ଛକରେ ଗତ ୬ ତାରିଖ ସଂଧ୍ୟାରେ ଗୋଷ୍ଠୀ ସଂଘର୍ଷ ସହିତ ୨ଟି ପୁଲିସ୍‌ ଗାଡ଼ିକୁ ଜାଳିଦିଆଯାଇଥିଲା। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ, ପୂର୍ବତନ କନେଷ୍ଟବଳ ତଥା ତୁଳସୀ ଗଣନାଟ୍ୟର ପରିଚାଳକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ଓ ତାଙ୍କ ସହଯୋଗୀ ମନୋଜ ସାମଲ। ଅନ୍ୟ ଗୋଷ୍ଠୀର ମୁଖ୍ୟ ତଥା ଭରତପୁର ସରପଞ୍ଚଙ୍କ ସ୍ବାମୀ ଶିକ୍ଷକ ମିଟୁ ସାମଲ ଫେରାର ଅଛନ୍ତି।

ଘଟଣାଦିନର ସଂଧ୍ୟା ସମୟରେ ନାଣ୍ଡୁ ଗୋଷ୍ଠୀ ଆକ୍ରମଣ କରିବା ପରେ ମିଟୁ ଗୋଷ୍ଠୀ ଜବାବ ଦେଇଥିଲେ। ଉଭୟ ଗୋଷ୍ଠୀ ଶାସକ ବିଜେଡିର ହୋଇଥିଲାବେଳେ ସେମାନଙ୍କ ମଧ୍ୟରେ ପତିଆରାକୁ ନେଇ ଲଢ଼େଇ ଚାଲିଥିଲା। ଏପରିକି, ପୁଲିସ୍‌ ସହିତ ମଧ୍ୟ ଉଭୟ ଗୋଷ୍ଠୀର ମଧୁର ସମ୍ପର୍କ ରହିଥିଳା। ଯେଉଁଥିପାଇଁ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥାଇ ମଧ୍ୟ ନିରବ ରହିଥିଲା। ଏହାର ସୁ‌େଯାଗରେ ଗୋଷ୍ଠୀ ସଂଘର୍ଷ ସହ ଦୁର୍ବୃତ୍ତମାନେ ସେଠାରେ ପୂର୍ବରୁ ଥିବା ୨ଟି ପୁଲିସ ଗାଡ଼ିକୁ ପୋଡ଼ି ଦେଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଗଣ୍ଡଗୋଳକାରୀଙ୍କ ସହ ସମ୍ପର୍କ ଦୃଷ୍ଟିରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିରବ ରହିଥିଲା। ଏହି ଘଟଣାକୁ ନେଇ ସମାଲୋଚନା ହେବାପରେ ପୁଲିସ୍‌ ତତ୍‌ପରତା ପ୍ରକାଶ କରିଥିଲା। ଗୋଷ୍ଠୀସଂଘର୍ଷରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍‌ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଚଢ଼ଉ ଜୋର୍‌ଦାର୍‌ କରିଥିଲା।

ସ୍ବତନ୍ତ୍ର ଟିମ୍ ନାଣ୍ତୁକୁ ଦଙ୍ଗା ସୃଷ୍ଟି, ଜୀବନରୁ ମାରିଦେବା ଉଦ୍ୟମ, ଏସ୍‌ସି‌/ଏସ୍‌ଟି‌ ଭଳି ସଙ୍ଗିନ ଦଫାରେ ଗତକାଲି ଭୁବନେଶ୍ବରରୁ ଗିରଫ କରିଥିଲା। ପୂର୍ବରୁ ୭ଟି ସଙ୍ଗିନ ମାମଲା ନାଣ୍ଡୁ ନାମରେ ରହିଛି । ସେହିପରି ପୁଲିସ ଗାଡ଼ି ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବଡଚଣା ବ୍ଲକ୍ ବିଜେଡି ମହିଳା ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଶିକ୍ଷକ ବସନ୍ତରାଜ ସାମଲ ଓରଫ ମିଟୁ ଏବେ ବି ଫେରାର ଅଛନ୍ତି। ମିଟୁଙ୍କ ନାମରେ ମଧ୍ୟ ପୂର୍ବରୁ ବିଭିନ୍ନ ସଙ୍ଗୀନ ଦଫାରେ ୫ ମାମଲା ରହିଥିବା ପୁଲିସ କହିଛି। ତାଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ନାଣ୍ଡୁଙ୍କ ଭଉଣୀ ବିକ୍ରମତିରଣ ପଞ୍ଚାୟତର ସରପଞ୍ଚ ଥିବାବେଳେ ମିଟୁଙ୍କ ପତ୍ନୀ ଭରତପୁରରେ ଲଗାତାର ସରପଞ୍ଚ ନିର୍ବାଚିତ ହେଉଛନ୍ତି। ନାଣ୍ଡୁ ବିକ୍ରମତିରଣ,ବାଲିପଡ଼ିଆ, ପଲେଇ, ବରଦା ଓ ଭରତପୁର ପଞ୍ଚାୟତରେ ନିଜର ଦବଦବା ବୃଦ୍ଧି କରିବାକୁ ଅର୍ଥବଳ ବ୍ୟବହାର କରି ଅସାମାଜିକ ଯୁବକଙ୍କୁ ଅସ୍ତ୍ର କରିଆସିଛନ୍ତି। ସେହିପରି ମିଟୁ ସରପଞ୍ଚ ପଦବି ଛାଡ଼ି ଶିକ୍ଷକ ହୋଇଥିଲେ‌ ହେଁ ସେ ନିଜ ପ୍ରଭାବ ବଳରେ ନିଜ ପତ୍ନୀଙ୍କୁ ଜିତାଇ ନିଜର ପତିଆରା ବୃଦ୍ଧି କରି ଚାଲିଛନ୍ତି। ଫଳରେ ଉଭୟ ନାଣ୍ଡୁ ଓ ମିଟୁ ଗୋଷ୍ଠୀ ମଧ୍ୟରେ ଅଞ୍ଚଳରେ ପତିଆରା ଲଢ଼େଇ ଲାଗିରହିଛି।

ଅନ୍ୟପକ୍ଷରେ, ଦୁଇ ଜଣଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍ ଲାଗୁ କରିବାକୁ କଂଗ୍ରେସ ଦାବି କରିଛି। ନଚେତ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତବନୀ ଦେଇଛି।

ସମ୍ବନ୍ଧିତ ଖବର