କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଥାନା ଖୁଟୁଲୁମୁଣ୍ଡା ଗାଁରେ ଗତ ଅକ୍ଟୋବର ମାସରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଦାମ ବାଗ (୩୦ବର୍ଷ)କୁ ଧରିଛି ପୁଲିସ। ସୁଦାମର ଘର ଟିଟିଲାଗଡ଼ ବ୍ଲକ୍ ବାଲିପଦରରେ। ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିଲେ।
ଖୁଟୁଲୁମୁଣ୍ଡା ଗାଁର ମନୋଜ ବାଗଙ୍କ ଘରୁ ଡକାୟତମାନେ ୨ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ନଗଦ ୧୦ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଥିଲେ। ପୁଲିସ ଗତ ୫ତାରିଖ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା କର୍ଲାପଡ଼ାର ବୌଦ୍ଧ ମାଝୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ପାଖନପଲା ଗାଁର ବିଜୟ ପ୍ରଧାନ ଓରଫ ଲିଲୁ, ତୁରେକେଲା ଥାନା ସେମଲା ଗାଁର ଦୁଷ୍ମନ୍ତ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ପୁଲିସକୁ ଦୁଷ୍ମନ୍ତ ଦେଇଥିବା ତଥ୍ୟ ଅନୁସାରେ, ସେ ପୂର୍ବରୁ ଏକ ଚୋରି ମାମଲାରେ ଜେଲରେ ଥିଲା। ସେତେବେଳେ ଜେଲ ଭିତରେ ହିଁ ଅନ୍ୟ ଲୁଟେରାମାନଙ୍କ ସହ ମିଶି ମାଷ୍ଟରପ୍ଲାନ୍ ତିଆରି କରିଥିଲେ। ଏହି ତଥ୍ୟକୁ ଆଧାର କରି କଣ୍ଟାବାଞ୍ଜି ପୁଲିସ ବାଲିପଦର ଗାଁରେ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ସୁଦାମକୁ ଗିରଫ କରି କୋର୍ଟଚାଲାଣ କରିଛି ବୋଲି ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ କହିଛନ୍ତି।