ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ପାଜିବାହିଲି ରାସ୍ତାରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ରାଜୀବ ମାଝୀ(୧୯)କୁ ୧୫ଦିନ ପରେ ଗିରଫ କରିଛି ପୁଲିସ। ଏହାପରେ ତା’କୁ କୋର୍ଟ ଚାଲାଣ କରାଯାଇଛି। ତେବେ ପୂର୍ବରୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ଅଟକ ରଖିଥିଲା ପୁଲିସ। ସେମାନଙ୍କ ମଧ୍ୟରୁ ଧନଷ୍ଠି ନାଏକ (୩୦), ସୁମନ୍ତ ନାଏକ(୨୭) ଓ ଅଇବନ ହରିଜନ(୨୬)ଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ନାବାଳକ ଥିଲା।

Advertisment

ସୂଚନାନୁସାରେ, ବିଜେପୁର ଥାନା ବେନଗାଁ ଅଞ୍ଚଳର ୨ ଜଣ ନାବାଳିକା ଓ ଜଣେ ଯୁବତୀ ଗତ ୧୬ ଏପ୍ରିଲ ରାତିରେ ନାଟକ ଦେଖି ଫେରୁଥିବା ବେଳେ ସ୍ଥାନୀୟ ପାଜିବାହାଲି ଗାଁ’ର ପାଞ୍ଚଜଣ ଯୁବକ ନାବାଳିକାଙ୍କ ସହ ଥିବା ଯୁବତୀଙ୍କୁ ରାସ୍ତାକଡ଼କୁ ଫୋପାଡ଼ି ଦେବା ସହ ନାବାଳିକା ଦୁହିଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ପୀଡ଼ିତା ନାବାଳିକାମାନଙ୍କୁ ଏକଥା କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବାରୁ ସେମାନେ ଓ ତାଙ୍କ ପରିବାର ସଦସ୍ୟ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଘଟଣାର ୩ ଦିନପରେ ସାହସ ଜୁଟାଇ ଗତ ୧୯ ଏପ୍ରିଲ ସନ୍ଧ୍ୟାରେ ବିଜେପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଏକ ମାମଲା ରୁଜୁ ହୋଇଥିଲା।

ଘଟଣାକୁ ନେଇ ଗତ ୨୪ ତାରିଖ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀଙ୍କ ନେତୃତ୍ୱରେ ପୀଡିତାଙ୍କ ଗ୍ରାମରେ ଏକ ବୈଠକ ବସିଥିଲା। ସଂଘ ପକ୍ଷରୁ ଭବାନୀପାଟଣାରେ ଅତିରିକ୍ତ ପୁଲିସ ଅଧୀକ୍ଷକଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରା ଯାଇଥିଲା। ଗତ ୨୭ ଏପ୍ରିଲରେ ଲାଞ୍ଜିଗଡ଼ ବ୍ଲକ୍ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀଙ୍କ ନେତୃତ୍ୱରେ ପୁଣି ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁ’ରେ ଦ୍ୱିତୀୟ ଥର ବୈଠକ କରିଥିଲେ। ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନ ଥିବାରୁ ପୁଲିସକୁ ତୀବ୍ର ସମାଲୋଚନା କରା ଯାଇଥିଲା। ଅଭିଯୁକ୍ତକୁ ନ ଧରିଲେ ମେ’ ୧୦ ତାରିଖ ବିଜେପୁର ଥାନା ଘେରାଉ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା।

ଏହାପରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ ଏବଂ ଲାଞ୍ଜିଗଡ଼ ବ୍ଲକ୍ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ ମଙ୍ଗଳବାର ପୀଡ଼ିତାଙ୍କ ଗାଁ’କୁ ଯାଇ ପୀଡ଼ିତା ଏବଂ ତାଙ୍କ ପରିବାରକୁ ସାନ୍ତ୍ବନା ଦେବା ସହିତ ବିଜେପୁର ଥାନାକୁ ଯାଇ ଥାନାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ବିଜେପୁର ଥାନାଧିକାରୀ ଲିଙ୍ଗରାଜ ସେଠୀଙ୍କ ନେତୃତ୍ୱରେ ବୁଧବାର ଫେରାର ଅଭିଯୁକ୍ତ ରାଜୀବ ମାଝୀକୁ କେନ୍ଦୁପେଟସ୍ଥିତ ତା’ ଘରୁ ଗିରଫ କରିଥିଲା। ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଧରା ପଡ଼ି ସାରିଥିବା ବେଳେ ସେମାନଙ୍କୁ ଫାଶୀ ଦେବାକୁ ପୀଡ଼ିତାଙ୍କ ପରିବାର ଲୋକେ ଅଡ଼ି ବସିଛନ୍ତି। ଏପରିକି ସେମାନଙ୍କୁ ଜାମିନ ମିଳିଲେ ପୀଡ଼ିତାଙ୍କ ସମେତ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ତା’ଙ୍କ ପରିବାର ଲୋକେ ପୁଲିସକୁ କହିଛନ୍ତି।