ତେର ବର୍ଷ ପରେ ତାଜା ହେଲା ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା : ଧରାପଡ଼ିଲା ଫେରାର ବିକ୍ରମାଦିତ୍ୟ

ଭୁବନେଶ୍ବର : ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ୨୨ ବର୍ଷ ପରେ ଧରା ପଡ଼ିଥିଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ। ଅନୁରୂପ ଭାବେ ୧୩ ବର୍ଷ ତଳର ଏକ ହତ୍ୟା ମାମଲାର ଅଭିଯୁକ୍ତକୁ କମିସନରେଟ୍‌ ପୁଲିସ ଗିରଫ କରିଛି। ଏଥିସହିତ ୨୦୦୮ରେ ସଂଘଟିତ ବହୁ ଚର୍ଚ୍ଚିତ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା ପୁଣି ତାଜା ହୋଇଛି। ଏହି ମାମଲାରେ ପୂର୍ବରୁ ୪ ଜଣ ଧରା ପଡ଼ିଥିବା ବେଳେ ଫେରାର ଥିବା ପଞ୍ଚମ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ମାମଲାର ମୁଖ୍ୟ ଅଭିଯୁକ୍ତ ମାନସ ରଞ୍ଜନ ବେଦାନ୍ତ ଓରଫ୍ ସାଗରର ଝାରପଡ଼ା ଘରୁ ଗିରଫ କରିଛି ସ୍ପେସାଲ୍ ଟିମ୍। ବିକ୍ରମାଦିତ୍ୟକୁ ଧରିବା ପାଇଁ ତିନିଦିନ ହେଲା ଡେରା ପକାଇଥିବା ପୁଲିସ ଗତକାଲି ରାତିରେ ତା’କୁ ମାନସର ଘରୁ ଉଠାଇ ଆଣିଥିଲା। ଧରା ପଡ଼ିଥିବା ଅଭିଯୁକ୍ତ ବିକ୍ରମାଦିତ୍ୟ ବୋଲି ତାର ପରିବାର ଲୋକ ଓ ମାନସ ଚିହ୍ନଟ କରିଥିଲେ। ଆଜି କୋର୍ଟଚାଲାଣ ପରେ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ରବିବାର ପୁଲିସ ସେବା ଭବନ(କମିସନରେଟ ମୁଖ୍ୟାଳୟ)ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ପୁରୁଣା ହତ୍ୟା ଓ ଅପରାଧ ମାମଲାରେ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କମିସ‌ନରେଟ୍‌ ପୁଲିସର ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଛି। ଅନେକ ପୁରୁଣା ଫାଇଲ ଖୋଲା ଯାଇଥିବା ବେଳେ ୨୦୦୮ ମସିହାର ଏହି ବହୁଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଥିଲା। ଫେରାର ଥିବା ବିକ୍ରମାଦିତ୍ୟ ସମ୍ପର୍କରେ ତଥ୍ୟ ହାସଲ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। କିଛିଦିନ ତଳେ ବିକ୍ରମାଦିତ୍ୟ ଭୁବନେଶ୍ବର ଆସିଥିବା ଖବର ମିଳିବା ପରେ ତା’କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିକ୍ରମାଦିତ୍ୟ ଗିରଫ ହେବା ପରେ ସେ ମହାରାଷ୍ଟ୍ରର ପୁଣେରେ ରହି ଜିମ୍ ଇନଷ୍ଟ୍ରକକ୍ଟର ଭାବେ କାମ କରୁଥିଲା। ଏହାଛଡ଼ା ସେ ଏକ ନାମୀ ଆଇଟି କମ୍ପାନିରୁ ତାଲିମ ନେଇଥିଲା ଏବଂ ସେଠାରେ ଏକ ଆଇଟି ଫାର୍ମରେ ମଧ୍ୟ କାମ କରୁଥିଲା। ଘଟଣା ପରଠାରୁ ବିକ୍ରମାଦିତ୍ୟ ଫେରାର ହେବା ସହ ପୁଣେରେ ରହୁଥିଲା। ୨୦୧୭ରେ ବିକ୍ରମାଦିତ୍ୟର ମା’ଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ମାଙ୍କୁ ଦେଖିବା ପାଇଁ ସେ ଭୁବନେଶ୍ବର ଆସିଥିଲା। ୨୦୧୯ରେ ବିକ୍ରମାଦିତ୍ୟ ଏକ ଦୁର୍ଘଟଣାର ଶିକାର ହୋଇଥିଲା। ଏହା ପରେ ସେ ଆଉ ଚାକିରି କରି ନ ଥିଲା। ତେବେ ପରିବାର ଲୋକଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲା ଏବଂ ଭୁବନେଶ୍ବର ଆସିବା ପାଇଁ ଯୋଜନା କରୁଥିଲା। କିଛିଦିନ ହେଲା ଭୁବନେଶ୍ବରରେ ଆସି ସେ ମାନସର ଝ‌ାରପଡ଼ା ଘରେ ରହୁଥିଲା ବୋଲି ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ପ୍ରତିଶୋଧରୁ ହୋଇଥିଲା ହତ୍ୟା
ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ପଛରେ ପ୍ରତିଶୋଧ ହିଁ ମୁଖ୍ୟ କାରଣ ଥିଲା ବୋଲି ଜଣାପଡ଼ିଛି। ୨୦୦୧ ମସିହାରୁ ପ୍ରତିଶୋଧର ନିଆଁ ଜଳୁଥିଲା ମୁଖ୍ୟ ଅଭିଯୁକ୍ତ ମାନସ ରଞ୍ଜନ ବେଦାନ୍ତ ଓରଫ୍ ସାଗର ମନରେ। ମାନସ ସେତେବେଳେ ସଂଗୀତ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟ ବିଭାଗର ଛାତ୍ର ଥିଲା। କମେଣ୍ଟ ମରାକୁ କେନ୍ଦ୍ର କରି ମାନସ ଓ ପୁରାତନ ଛାତ୍ର ସୁମନ୍ତ ମହାନ୍ତିଙ୍କ ମଧ୍ୟରେ ବଚସା ହୋଇଥିଲା। ମାନସ ମହାବିଦ୍ୟାଳୟ ଫାଟକ ନିକଟରେ ଏକ ଛୁରିରେ ସୁମନ୍ତଙ୍କୁ ଆକ୍ରମଣ କରିଥିଲା। ଏ ନେଇ ସୁମନ୍ତ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ-୨୬୨/୨୦୦୧ରେ ମାମଲା ରୁଜୁ କରିଥିଲା। ମାନସ ଗିରଫ ହୋଇ ଦେଢ଼ମାସ କାଳ ଜେଲରେ ରହିବା ସହ କଲେଜରୁ ବହିଷ୍କୃତ ହୋଇଥିଲା।

ଅନ୍ୟପକ୍ଷରେ ସୁମନ୍ତ ସଂଗୀତ ଓ ଆଲବମ୍ ଜଗତରେ ବେଶ୍ ନାଁ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ତାଙ୍କର ସୁନାମ ଥିଲା। ତେଣୁ ଅଧିକ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା ମାନସ। କଲେଜରୁ ବହିଷ୍କୃତ ହୋଇ ନ ଥିଲେ ସେ ମଧ୍ୟ ତାଙ୍କ ପରି ନାଁ କମାଇଥାନ୍ତା ବୋଲି ଭ‌ାବିଥିଲା। ଆଉ ସେବେଠାରୁ ତା ମନରେ ପ୍ରତିଶୋଧର ନିଆଁ ଜଳୁଥିଲା। ଶେଷରେ କଲେଜ ଅପମାନର ୭ ବର୍ଷ ପରେ ୨୦୦୮ ଅକ୍ଟୋବର ୯ ତାରିଖ ରାତିରେ ମାନସ ସହଯୋଗୀ ସୁନୀଲ କୁମାର ଜେନା, ଶୁଭକାନ୍ତ ଜେନା, ସୁଶୀଲ ସାମନ୍ତରାୟ ଓ ବିକ୍ରମାଦିତ୍ୟ ଜେନାଙ୍କ ସହ ମିଶି ସୁମନ୍ତଙ୍କୁ ଭୁଜାଲି ଓ ଫାର୍ସାରେ ହାଣି ନୃଶଂସ ଭାବେ ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର