ବ୍ରଜରାଜନଗର : ବେଲପାହାଡ଼ ଗାନ୍ଧୀନଗରରେ ରହୁଥିବା ନିତା ଛତରଙ୍କ ମା’ଙ୍କ ଆକାଉଣ୍ଟ୍ରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର୍ ଠକେଇ ଘଟଣାରେ ବ୍ରଜରାଜନଗର ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ବିହାରରୁ ଗିରଫ କରିଛି। ତେବେ ଏଥିରେ ସଂପୃକ୍ତ ଅନ୍ୟମାନେ ନେପାଳ ଫେରାର ହୋଇଯାଇଥିବା ପୁଲିସ କହିଛି। ବୁଧବାର ଏସ୍ପି ବିକାଶ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଗିରଫ ହୋଇଥିବା ନିରଜ କୁମାର ଆକାଉଣ୍ଟ୍ରୁ ଗତ ୨ ମାସ ମଧ୍ୟରେ ୩ କୋଟି ୩୩ ଲକ୍ଷ ଟଙ୍କାର କାରବାର ହୋଇଛି। ଅର୍ଥାତ ନିରଜ ଓ ତାର ସହଯୋଗୀମାନେ ଏତେ ବଡ଼ ପରିମାଣର ଲୁଟ୍ କରିଛନ୍ତି। ନିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ବଡ଼ଧରଣର ଅଭିଯାନ ଆରମ୍ଭ କରିଥିଲା। ଏସପି ଶ୍ରୀ ଦାଶଙ୍କ ତତ୍ତ୍ବାବଧାନରେ ବ୍ରଜରାଜନଗର ଏସ୍ଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ବିହାର ପଶ୍ଚିମ ଚମ୍ପାରନ ଲାଉରିୟା ଥାନା ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ନିରଜକୁ ଗିରଫ କରିଥିଲା।
ଏସ୍ପିଙ୍କ ସୂଚନା ଅନୁଯାୟୀ ‘କୌନ୍ ବନେଗା କରୋଡ୍ ପତି’ରୁ ଫୋନ୍ କରୁଥିବା କହି ଠକମାନେ ନିତାଙ୍କୁ ୩୫ ଲକ୍ଷ ଟଙ୍କାର ଲଟେରି ପାଇଥିବାର ଲୋଭ ଦେଖାଇଥିଲେ। ଏଥିପାଇଁ ତାଙ୍କୁ ଟ୍ୟାକ୍ସ ଆକାରରେ କିଛି ଅର୍ଥ ଜମା କରିବାକୁ କୁହାଯାଇଥିଲା। ଟଙ୍କା ଲୋଭରେ ନିତା ପ୍ରଥମେ ୧୮, ୨୦୦ ଟଙ୍କା, ପରେ ୩୫, ୦୦୦, ୩୬, ୦୦୦ ଟଙ୍କା ବିକାଶ ରାମ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍ (୩୯୯୯୫୬୬୬୨୩୧) ରାକ୍ସୁଆଲ୍ ବ୍ରାଞ୍ଚ୍ରେ ଡିପୋଜିଟ୍ କରିଥିଲେ। ପୁଣି ଥରେ ନିତା ୪୦ ହଜାର ଲେଖାଏଁ ଦୁଇ ଥରରେ ୮୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଲଟେରି ଟଙ୍କା ମିଳି ନଥିଲା। ପରେ ତାଙ୍କୁ ଆଉ ୬୫ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଠକ ଜଣକ କହିଥିଲା। ଏହା ପରେ ସେ ଠକେଇର ଶିକାର ହୋଇଥିବା ଜାଣିପାରି ଗତ ୨ ତାରିଖରେ ବେଲପାହାଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ ବିକାଶ ରାମ ନାମରେ ଥିବା ଉକ୍ତ ଆକାଉଣ୍ଟ୍ ନୂଆ କରି ଖୋଲା ଯାଇଥିଲା। ଏହି ଆକାଉଣ୍ଟ୍ରୁ ଅନ୍ୟ ୩ଟି ଘରୋଇ ବ୍ୟାଙ୍କ ଆକାଉଣ୍ଟ୍କୁ ଟଙ୍କା ଦେଣନେଣ ହୋଇଥିଲା। ଏହି ୩ ଆକାଉଣ୍ଟ୍ ନିରଜ କୁମାର (ଆଇସିଆଇସିଆଇ), ମହେଶ କୁମାର (ଆଇସିଆଇସିଆଇ) ଓ ରମେଶ କୁମାର (ଆଇସିଆଇସିଆଇ)ଙ୍କ ନାଁରେ ରହିଛି। ଗତ ୨ ମାସ ମଧ୍ୟରେ ଏହି ଆକାଉଣ୍ଟ୍ରୁ ପ୍ରାୟ ୩ କୋଟି ୩୩ ଲକ୍ଷ ଟଙ୍କାର କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେହିପରି ରମେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍କୁ ଗତ ୭ ଦିନ ମଧ୍ୟରେ ୩୨ ଲକ୍ଷ ଟଙ୍କା ଓ ମହେଶ କୁମାରଙ୍କ ଆକାଉଣ୍ଟ୍କୁ ୨୬ ଲକ୍ଷ ଟଙ୍କା ପଠାଯାଇଛି। ଏତେ କମ୍ ଦିନ ମଧ୍ୟରେ ଏତେ ଟଙ୍କାର କାରବାର ହୋଇଥିବା ଜାଣିବା ପରେ ପୁଲିସର ସନ୍ଦେହ ଦୃଢ଼ ହୋଇଥିଲା। ଏସ୍ପି ଶ୍ରୀ ଦାସ ଏବଂ ଏସ୍ଡିପିଓ ଶ୍ରୀ ଦାସଙ୍କ ନେତୃତ୍ବରେ ଗଠିତ ଟିମ୍ ବିହାର ପୁଲିସ ସହଯୋଗରେ ଚଢ଼ଉ କରିଥିଲା। ପୁଲିସ ଚଢ଼ଉ ଜାଣିପାରି ଅନ୍ୟମାନେ ନେପାଳ ଖସି ପଳାଇଥିଲେ। ତେବେ ପୁଲିସ ନିରଜ କୁମାରକୁ ଠାବ କରି ଗିରଫ କରିବାରେ ସଫଳ ହୋଇଥିଲା। ପ୍ରାୟ ୩୦ରୁ ଅଧିକ ଆକାଉଣ୍ଟ୍ରେ ଏପରି ବେଆଇନ୍ କାରବାର ହୋଇଥିବା ପୁଲିସ ତଦନ୍ତରେ ଜାଣିବା ପରେ ଠକେଇ ଟଙ୍କା ଥିବା ଆକାଉଣ୍ଟ୍କୁ ସିଜ୍ କରିବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲା। ସିଜ୍ ଆକାଉଣ୍ଟ୍ରେ ପ୍ରାୟ ୪୪ ଲକ୍ଷ ଟଙ୍କା ଥିବା ଏସ୍ଡିପିଓ ଶ୍ରୀ ଦାସ କହିଛନ୍ତି।
ଏହି ଅନ୍ଲାଇନ୍ ଠକେଇ ରୢାକେଟ୍ ଧରିବାକୁ ଝାରସୁଗୁଡ଼ା ସାଇବର୍ କ୍ରାଇମ୍ ସେଲ୍ ସହଯୋଗ କରିଥିଲା। ଏସ୍ଡିପିଓ ଶ୍ରୀ ଦାସଙ୍କ ସହିତ ଏସ୍ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ଓ ପୁଲିସ ଫୋର୍ସ ବିହାର ଯାଇଥିଲେ। ବ୍ରଜରାଜନଗର ପୁଲିସର ଏହି ସଫଳତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ଏସ୍ପି ଶ୍ରୀ ଦାସ କହିଛନ୍ତି। ଅନ୍ୟପକ୍ଷରେ ନିରଜକୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ତେବେ ଏସ୍ପି ଶ୍ରୀ ଦାସ ଝାରସୁଗୁଡ଼ାରେ ଯୋଗ ଦେବା ପରେ ଏପରି ଠକେଇ କରି ସାଧାରଣ ଲୋକଙ୍କ କଷ୍ଟାର୍ଜିତ ଧନ ସମ୍ପତ୍ତି ଲୁଟ୍ କରୁଥିବା ଅପରାଧୀମାନଙ୍କୁ ଧରିବାକୁ ଗୁରୁତ୍ବ ଦିଆଯାଉଥିବା ଝାରସୁଗୁଡ଼ା ପୁଲିସ ପକ୍ଷରୁ କୁହାଯାଇଛି।