ମୁଖ୍ୟ କେନାଲରେ ଉଛୁଳା ପାଣି, ଶାଖା କେନାଲ ଶୁଖିଲା

କଳାବାଡ଼ିଆ : ଚାଷୀଙ୍କ ଆବଶ୍ୟକତା ସମୟରେ ପାଣି ଯୋଗାଇ ପାରୁନି ସୁବର୍ଣ୍ଣରେଖା ସେଚ ପ୍ରକଳ୍ପ। ଗଲା ୩ ଦଶନ୍ଧି ଧରି ମୟୂରଭଞ୍ଜ ଜିଲ୍ଲାର ଚାଷୀ ଏ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନି। ଆଉ ଏଥର ବି ଏହି ସମସ୍ୟା ଭୋଗିଛନ୍ତି ବାଙ୍ଗିରିପୋଷି ବ୍ଲକ୍‌ କଳାବାଡ଼ିଆ ପଞ୍ଚାୟତର ଜଗନ୍ନାଥଖୁଣ୍ଟା, କେନ୍ଦୁଡିହା, କଳାବାଡିଆ, ପାଣିଶାଳ, ବ୍ରାହ୍ମଣଗାଁ, ମହୁଲିଶୋଳ, ପଣସଡ଼ିହା, ଜଗନ୍ନାଥପୁର, ପଥୁରୀ ପଞ୍ଚାୟତର ଧଡାଙ୍ଗିରି, ବୁଡ଼ାମରା ଗାଁର ୪ ଶହରୁ ଅଧିକ ଚାଷୀ। କେନାଲ ପାଣିକୁ ଭରସା କରି ଚାଷୀମାନେ ଜମିରେ ତଳି ପକାଇଥିଲେ। ହେଲେ ଧୋକା ଖାଇଛନ୍ତି ଚାଷୀ। କେନାଲରେ ପାଣି ନ ଆସିବାରୁ ମରିବାକୁ ବସିଛି ତଳି।

ଉଦ୍‌ବେଗର ବିଷୟ ହେଉଛି, ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଏ ବର୍ଷ ଆଗୁଆ ପାଣି ଛାଡ଼ି ସରକାରଙ୍କ ପାଖରୁ ବାହାବା ନେଇଛି ଜଳସେଚନ ବିଭାଗ। ମୁଖ୍ୟ କେନାଲରେ ଏବେ ପାଣି ଉଛୁଳୁଛି। ହେଲେ ଶାଖା କେନାଲରେ ପାଣି ଆସୁନି। ପାଣି ଅଭାବରୁ ଚାଷୀଙ୍କ ବିଲ ଫାଟି ଆଁ କରିଛି। ତଳିଆ ଅଞ୍ଚଳରେ ତ ସ୍ଥିତି ଆହୁରି ଖରାପ। ଚାଷୀ ପାଣି ପାଉନଥିବା ବେଳେ ଶାଖା କେନାଲ ମଜବୁତ୍‌ ନଥିବାରୁ ଅଧା ବାଟରେ ପାଣି ସବୁ ଗଳିଯାଉଛି। କିଛିସ୍ଥାନରେ ଚାଷୀଙ୍କ ବିଲ ଅଧିକ ଉଚ୍ଚରେ ରହୁଥିବାରୁ କେନାଲ ପାଣି ତଳକୁ ଗଡ଼ିଯାଉଛି। ପ୍ରତିବର୍ଷ କେନାଲ ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଚାଷୀମାନେ ଉପକୃତ ହୋଇ ପାରୁନାହାନ୍ତି। କେବଳ ଠିକାଦାରଙ୍କ ଭଳି ଧଳାହାତୀଙ୍କୁ ପୋଷିବା ପାଇଁ କେନାଲ ମରାମତି କରାଯାଉଛି। କେନାଲର କେନ୍ଦୁଡିହା ପାଖରେ ଗେଟ୍‌ ବନ୍ଦ କରାଗଲେ ଜଗନ୍ନାଥଖୁଣ୍ଟା ସହିତ ଆଖପାଖ ଅଞ୍ଚଳର ଚାଷୀ ଉପକୃତ ହୋଇପାରନ୍ତେ। ହେଲେ ମୁଖ୍ୟ କେନାଲରେ ପାଣି ଥିବାରୁ ଚାଷୀଙ୍କ ଅସଲ ସମସ୍ୟା ପ୍ରତି କାହାର ନଜର ପଡ଼ୁନି ବୋଲି ଚାଷୀ ଲକ୍ଷ୍ମୀନାରାୟଣ ମିଶ୍ର, ଧ୍ୟାନଚାନ୍ଦ ହୋତା, ସୁନୀଲ କୁମାର ହୋତା, ସୁନିଲ କଲିଆ, ପ୍ରଭାତ ହୋତା, ଶାନ୍ତନୁ ହୋତା, ଅସିତ କୁମାର ପଣ୍ଡା, ସତ୍ୟବାନ ଭୂୟାଁ, ସୁଶାନ୍ତ ପାଣି, ଦୁଶିଆ ଜେନା, କାଳିପଦ ପାଣି, ଶିଶିର କୁମାର ହୋତା ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ଏ ନେଇ ଅଧୀକ୍ଷଣ ଯନ୍ତ୍ରୀ ପ୍ରଣବ କୁମାର କୁଣ୍ଡୁଙ୍କୁ ପଚରାଯିବାରୁ ସେ କହିଥିଲେ, ’ ଆସନ୍ତାବର୍ଷ ଶାଖା କେନାଲର ପୁନଃଉଦ୍ଧାର କରାଯିବ। ମୁଁ ନିଜେ ଏହାର ତଦାରଖ କରିବି।’

ସମ୍ବନ୍ଧିତ ଖବର