ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ଅବକାରୀ ବିଭାଗ ବେଆଇନ ମଦ ଓ ନିଶା କାରବାରକୁ ରୋକିବା ଦିଗରେ ନିଜର ଆଭିମୁଖ୍ୟକୁ ସବୁବେଳେ ସ୍ପଷ୍ଟ କରିଆସିଛନ୍ତି । ଏହି କ୍ରମରେ ରାଜସ୍ୱ ଆଦାୟ ନୁହେଁ ବରଂ ଲୋକଙ୍କ ଧନଜୀବନ ରକ୍ଷା ସରକାରଙ୍କ ପ୍ରାଥମିକତା ରହି ଆସିଛି। ଏହାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିଛି । ଚଳିତ ଥରକୁ ମିଶାଇ ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଥର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ କରାଯାଇ ସାରିଲାଣି ।
ଏହି ଅଭିଯାନରେ ୭୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବେଆଇନ ମଦ ଓ ସାମଗ୍ରୀ ଜବତ ହୋଇଛି । ଏଥି ସହିତ ଏହି କାରବାରରେ ସମ୍ପୃକ୍ତ ଅନେକଙ୍କୁ ଗିରଫ କରାଯିବା ସହ ଚୋରାଚାଲାଣରେ ବ୍ୟବହୃତ ଗାଡ଼ିକୁ ଚଢ଼ାଉକାରୀ ଦଳ ଜବତ କରିଛି । ତେବେ ନିକଟରେ ଚଳିତ ବିଧାନସଭା ଅଧିବେଶନରେ ମାନ୍ୟବର ମନ୍ତ୍ରୀଙ୍କ ଉତ୍ତରକୁ କିଛି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଭିନ୍ନ ରୂପରେ ଉପସ୍ଥାପିତ ହୋଇଥିବା ବିଭାଗର ନଜରକୁ ଆସିଛି ।
ବିଭାଗ ପକ୍ଷରୁ ଏଥି ନେଇ ସବୁ ଜନସାଧାରଣ ତଥା ରାଜ୍ୟବାସୀଙ୍କୁ ଜଣାଇ ଦିଆଯାଉଛି କି ବର୍ତ୍ତମାନ ନୂଆ ମଦ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ କିମ୍ବା ନିକଟ ଭବିଷ୍ୟତରେ ମଧ୍ୟ ପ୍ରସ୍ତାବ ନାହିଁ ।
ଅବକାରୀ ନୀତିର ଅଧିନିୟମ-୨୬ ଅନୁଯାୟୀ ଶିକ୍ଷାନୁଷ୍ଠାନର ୫୦୦ ମିଟର, ଧର୍ମାନୁଷ୍ଠାନର ୩୦୦ ମିଟର ଏବଂ ସର୍ବସାଧାରଣ ସ୍ନାନାଗାରର ୧୦୦ ମିଟର ପରିଧି ମଧ୍ୟରେ ମଦ ଦୋକାନ ଖୋଲିବା ନେଇ ପ୍ରାବଧାନ ନାହିଁ । ଏ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଏଥିସହିତ ସମସ୍ତ ମଦ ଦୋକାନଗୁଡ଼ିକ ଯେପରି କୌଣସି ଶିକ୍ଷାନୁଷ୍ଠାନ, ମନ୍ଦିର କିମ୍ବା ଅନ୍ୟ ନିଷିଦ୍ଧାଞ୍ଚଳରେ ନ ରହିବ ସେଥିନେଇ ପଦକ୍ଷେପ ନିଆଯାଉଛି । ଏଥି ସହ ସବୁ ମଦ ଦୋକାନ ତଥା ବାର୍ଗୁଡ଼ିକୁ ଗୁଗୁଲୁ ମ୍ୟାପ୍ରେ ଚିହ୍ନଟ କରାଯିବା ସହ ସରକାରଙ୍କ ନିକଟରେ ତଥ୍ୟ ରହିବ ।
ଏଠାରେ ସୂଚନା ଯୋଗ୍ୟଯେ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଆବଣ୍ଟିତ ହୋଇଥିବା ମଦ ଦୋକାନ ତଥା ବାର ଗୁଡ଼ିକ ବିଭିନ୍ନ କାରଣ ଯଥା ଜନ ଅସନ୍ତୋଷ, ବେଆଇନ କାରବାରରେ ସମ୍ପୃକ୍ତି, ଦେବାଳିଆ ସ୍ଥିତି ଯୋଗୁଁ ମଦ ଦୋକାନ ଲାଇସେନ୍ସ ନବୀକରଣ ନ କରିବା ଇତ୍ୟାଦି କାରଣ ନେଇ ମଦ ଦୋକାନ ଗୁଡ଼ିକ ବନ୍ଦ ହୋଇଥାଏ । ତେବେ ପରବର୍ତ୍ତୀ ସମୟରେ ଅନୁସନ୍ଧାନ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଏହା ଏକ ସାଧାରଣ ପ୍ରକ୍ରିୟା। ତେବେ ନୂଆ ମଦ ଦୋକାନ ନ ଖୋଲିବା ନେଇ ସରକାର ନିଷ୍ପତ୍ତି ବଳବତ୍ତର ଅଛି।
ଅବକାରୀ ବିଭାଗ ପକ୍ଷରୁ ଆହୁରି ସ୍ପଷ୍ଟ ଭାବେ ସବୁ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ ସମସ୍ତ ପ୍ରକାର ବେଆଇନ ମଦ ତଥା ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ ବିଭାଗ ନିୟମିତ ଭାବେ ବିଭିନ୍ନ ସ୍ଥାନରେ ସଚେତନତା ଅଭିଯାନ ଜାରି ରଖିଛି । ସେହିପରି ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ ମଡେଲ ନିଶାନିବାରଣ କେନ୍ଦ୍ର ଖୋଲାଯିବ । ଆଗାମୀ ଅକ୍ଟୋବର- ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବେଆଇନ ତଥା ସମସ୍ତ ପ୍ରକାର ନିଶାସେବନଠାରୁ ଦୂରେଇ ରହିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିନେଇ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।