ମୁଖ୍ୟ ସମ୍ବଳ ଋଣ : ଖୋଲା ବଜାରରୁ ଆସିବ ୧୮ ହଜାର ୪୬୫ କୋଟି

ବର୍ଷ ଶେଷକୁ ମୋଟ ଋଣ ଛୁଇଁବ ୧.୨୫ଲକ୍ଷ କୋଟି

ଅଭିବୃଦ୍ଧି ୧୦ରୁ ୧୧% ଛୁଇଁପାରେ

ଭୁବନେଶ୍ବର : ଅର୍ଥ କେଉଁଠୁ ଆସିବ? ଏଭଳି ଏକ ପ୍ରଶ୍ନର ଉତ୍ତର ଏଥର ବଜେଟ୍‌ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କୋଭିଡ୍‌ ଯୋଗୁଁ ରାଜ୍ୟ ଅର୍ଥନୀତି ଗଭୀର ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ଏ ନେଇ ସବୁ ମହଲରେ ଉତ୍ସୁକତା ରହିଛି। ଆଜି ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଛନ୍ତି ଯେ ପ୍ରଭାବଶାଳୀ ଅନୁପାଳନ, ଖଣି ଲିଜ୍ ନବୀକରଣ, ବକେୟା ରାଶି ଆଦାୟ ଓ ବିଭିନ୍ନ ବ୍ୟାଙ୍କ ଖାତାରେ ରଖାଯାଇଥିବା ସରକାରୀ ଅର୍ଥକୁ ଟ୍ରେଜେରିରେ ଜମା କରାଯିବା ହେତୁ କୋଭିଡ୍-୧୯ ମହାମାରୀ ପ୍ରଭାବ ସତ୍ତ୍ବେ ଜାନୁଆରି ସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ୭.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଯଦିଓ କେନ୍ଦ୍ରୀୟ ଅର୍ଥ ହସ୍ତାନ୍ତରଣରେ ହ୍ରାସ ଘଟିଛି ତଥାପି ଆସନ୍ତା ବର୍ଷରେ ନିଜସ୍ବ ରାଜସ୍ବ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହାସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ସଂଗଠିତ ପାଣ୍ଠିରୁ ୨୫୦୦ କୋଟି ବ୍ୟବହାର ହୋଇଥିଲା। ୨୦୨୧-୨୨ରେ ଆଉ ୨ ହଜାର କୋଟି ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି। ଆର୍ଥିକ ମନ୍ଥରତା ସମୟରେ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ବଜାୟ ରଖିବା ଲାଗି ଏହି ଅର୍ଥ ବିନିଯୋଗ ହେବ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଆଉ ପାଦେ ଆଗକୁ ଯାଇ ହିସାବ ରଖିଛନ୍ତି ଯେ ଆସନ୍ତାବର୍ଷ ନିଜସ୍ବ ଟିକସ ୧୫.୪% ବୃଦ୍ଧି ଘଟିବ ବୋଲି ହିସାବ କରାଯାଇଛି। ଖଣି କ୍ଷେତ୍ରରୁ ଅଧିକ ୧୦% ରାଜସ୍ବ ଆସିବ। ବଜେଟ୍‌ରେ ହିସାବ ଦିଆଯାଇଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଆକଳିତ ମୋଟ ରାଜସ୍ବ ପ୍ରାପ୍ତି ମଧ୍ୟରେ ନିଜସ୍ବ ଟିକସ ବାବଦରେ ୩୭ ହଜାର ୫ଶହ କୋଟି ଆସିବ। ନିଜସ୍ବ ଅଣଟିକସ ରାଜସ୍ବ ୨୦ ହଜାର କୋଟି ହେବ। ଏହିଭଳି ମୋଟ ୫୭ ହଜାର ୫୦୦ କୋଟି ଉପଲବ୍ଧ ହେବ। କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ୩୦ ହଜାର ୧୩୭ କୋଟି ଟଙ୍କା ଆକଳନ ହୋଇଛି। ଦ୍ରବ୍ୟ ଓ ସେବା କର କ୍ଷତିପୂରଣ ସମେତ କେନ୍ଦ୍ରୀୟ ଅନୁଦାନ ସୂତ୍ରରୁ ୩୭ ହଜାର ୯୬୩ କୋଟି ଟଙ୍କା ମିଳିବ। ବାକି ୪୪ ହଜାର ୪ଶହ କୋଟି ଟଙ୍କା ସରକାର ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ଭରଣା କରିବେ। ଏଥିରେ ନିଟ୍‌ ଋଣ ପରିମାଣ ୧୮ ହଜାର ୪୬୫ କୋଟି ହେବ। ଏଥିସହିତ ୨୦୨୧-୨୨ ବର୍ଷ ଶେଷକୁ ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ୨୫ ହଜାର କୋଟି ଟଙ୍କାକୁ ଛୁଇଁଯିବ। ଏହା ଜିଏସ୍‌ଡିପିର ୨୧.୩ ପ୍ରତିଶତ (ବିତ୍ତୀୟ ଶୃଙ୍ଖଳା ଭିତରେ ରହିଛି) ଅଟେ। ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରେ ରାଜ୍ୟର ଋଣ ପରିମାଣ ୯୨ ହଜାର କୋଟି ଥିଲା। ଏବେ ଏହା ୧ଲକ୍ଷ ୨ହଜାର କୋଟିରେ ପହଞ୍ଚିଛି। ୨୦୨୦-୨୧ ବର୍ଷ ଶେଷକୁ ୧ଲକ୍ଷ ୬ ହଜାର କୋଟି (ଜିଏସ୍‌ଡିପିର ୨୦.୯%) ଛୁଇଁଥିବ।

ସରକାର କିନ୍ତୁ ଦାବି କରିଛନ୍ତି ଯେ ବଜେଟ୍‌ରେ ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ବ ଦିଆଯାଇଛି। ଜିଏସ୍‌ଡିପିର ୫. ୮୩% ଅର୍ଥାତ୍ ପ୍ରାୟ ୩୪ ହଜାର ୨୦୦ କୋଟି ଟଙ୍କା (ପୁଞ୍ଜି ବ୍ୟୟ ବରାଦ ବାବଦରେ ୨୫ ହଜାର ୭୮୮ କୋଟି ଟଙ୍କା ଓ ଅତିରିକ୍ତ ଋଣ, ଅଗ୍ରୀମ ଜରିଆରେ ପୁଞ୍ଜି ସୃଷ୍ଟି ପାଇଁ ୮୩୭୯ କୋଟି ଟଙ୍କା ହିସାବ କରାଯାଇଛି) ଖର୍ଚ୍ଚ ହେବ।

ବଜେଟ୍‌ରେ ରାଜସ୍ବ ପ୍ରାପ୍ତିକୁ ବିଶଦ ଭାବେ ବିଶ୍ଳେଷଣରେ ଜଣାପଡେ ଯେ ରାଜ୍ୟର ନିଜସ୍ବ ଟିକସ ରାଜସ୍ବ (ଉଭୟ ଟିକସ ଓ ଅଣଟିକସ) ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୯.୮୧ ପ୍ରତିଶତ ଆକଳନ କରାଯାଇଛି। ୨୦୨୦-୨୧ (ସଂଶୋଧିତ ଅଟକଳ)ରେ ଏହା ୧୦.୫% ଥିଲା। କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୧୪% ଆକଳନ କରାଯାଇଛି, ଯାହା ୨୦୨୦-୨୧ରେ ୫% ଥିଲା।

ସେହିଭଳି କେନ୍ଦ୍ରୀୟ ଅନୁଦାନ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୪୮% ଆକଳନ କରାଯାଇଛି, ଯାହାକି ୨୦୨୦-୨୧ରେ ୫.୫୪% ଥିଲା। ରାଜ୍ୟର ରାଜସ୍ବ ପ୍ରାପ୍ତି, ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର ୨୧.୪୩% ଆକଳନ କରାଯାଇଛି, ଏହା ୨୦୨୦-୨୧ରେ ୨୧.୦୪ % ଥିଲା।

ଆହୁରି ସ୍ପଷ୍ଟ ଭାବେ କହିଲେ, ୨୦୨୧-୨୨ ବଜେଟ୍‌ ଅଟକଳରେ ରାଜସ୍ବ ପ୍ରାପ୍ତିରେ ରାଜ୍ୟର ନିଜସ୍ବ ଟିକସ, କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ଏବଂ କେନ୍ଦ୍ରୀୟ ଅନୁଦାନରେ ଭାଗ ଯଥାକ୍ରମେ ୪୬%, ୨୪% ଓ ୩୦% ରହିଛି। କିନ୍ତୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ୨୦୨୦-୨୧ରେ ୨୯ % ଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୨୪%କୁ ଖସି ଆସିଛି।

ଓଡ଼ିଶାର ଅର୍ଥନୀତି ଦୃଶ୍ୟପଟ୍ଟ ସଂପର୍କରେ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୯୯୯-୨୦୦୦ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ବଜେଟ୍ ଆକାର ସାମଗ୍ରିକ ଘରୋଇ ଉତ୍ପାଦର ୧୬ ପ୍ରତିଶତରୁ ବୃଦ୍ଧି ପାଇ ୨୬ ପ୍ରତିଶତରେ ପହଞ୍ଚିଛି। ୨୦୨୦-୨୧ ଆର୍ଥିକ ବର୍ଷର ସଂେଶାଧିତ ଅଟକଳ ଅନୁସାରେ, ରାଜସ୍ବ ବଳକା ୨୩୩୬ କୋଟି ଟଙ୍କା ଓ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୩.୫ ପ୍ରତିଶତ ମଧ୍ୟରେ ସୀମିତ ରହିବ।

ବଜେଟ୍‌ରେ ମୋଟ ଆୟ ୧ଲକ୍ଷ ୨୫ ହଜାର ୬୦୦କୋଟି ଟଙ୍କା ହେବ ବୋଲି ଦର୍ଶାଯାଇଥିବା ବେଳେ ୧ଲକ୍ଷ ୧୯ ହଜାର ୫୬୭ କୋଟି ୧୯ ଲକ୍ଷ ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ବର୍ଷ ଶେଷ ବେଳକୁ ୬ ହଜାର ୦୩୨ କୋଟି ୮୧ ଟଙ୍କା ରାଜସ୍ବ ବଳକା ହେବ ବୋଲି ଆକଳନ କରାଯାଇଛି। ଏହି କ୍ରମରେ ଓଡ଼ିଶାର ବିତ୍ତୀୟ ନିଅଣ୍ଟ ୨୦ହଜାର ୪୬୪କୋଟି ୯୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ତେବେ ୨୦୨୧-୨୨ରେ ରାଜ୍ୟର ବାର୍ଷିକ ଅଭିବୃଦ୍ଧି ହାର (ବାସ୍ତବ) ୧୦ରୁ ୧୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଥିବା ବେେଳ ମୁଦ୍ରାସ୍ଫୀତିକୁ ବିଚାରକୁ ନ ନେଲେ ଅଭିବୃଦ୍ଧି ୧୫ ପ୍ରତିଶତ ଛୁଇଁଯିବା ବିଚିତ୍ର ନୁହେଁ।

ସମ୍ବନ୍ଧିତ ଖବର