ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଆଜ୍ଞାପ୍ରସାଦ ଗ୍ରାମକୁ ପିଇବା ପାଣି ଯୋଗାଣ ପାଇଁ ଗ୍ରାମବାସୀ ବିପଜ୍ଜନକ ଭାବେ ଟ୍ରାନ୍ସ୍ଫର୍ମର୍ରୁ ତାର ଟାଣିବା ସହ ଗଛରେ ମେନ୍ ସୁଇଚ୍ ବାନ୍ଧିଛନ୍ତି। ଆଉ ମୋଟର୍ ଚଳାଇ ଗତ ୬ ମାସ ହେଲା ପିଇବା ପାଣି ସଂଗ୍ରହ କରୁଛନ୍ତି। ତେବେ ଏହା ପଛରେ ପଞ୍ଚାୟତ ପାନୀୟଜଳ ବିଭାଗ ଓ ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ବି ପଦାରେ ପଡ଼ିଛି। ଜଳଯୋଗାଣ ପ୍ରକଳ୍ପର ତାର ବାରମ୍ବାର ଚୋରି ହେବା ପରେ ଗ୍ରାମବାସୀ ନିଜ ଉଦ୍ୟମରେ ଏଭଳି ବିକଳ୍ପ ବ୍ୟବସ୍ଥା କରିଛନ୍ତି। ତେବେ ଏହା ଜୀବନ ସହ ଖେଳ ଖେଳିବା ସହ ସମାନ ଓ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି।
ସୂଚନାନୁସାରେ, ଏହି ଗ୍ରାମରେ ତିନିଟି ୱାର୍ଡ଼ ଥିବା ବେଳେ ୩୫୦ ପରିବାର ରହୁଛନ୍ତି। ଜନସଂଖ୍ୟା ୧ ହଜାର ଉପରେ। ଗ୍ରାମକୁ ଲାଗି ଜଗନ୍ନାଥପୁରଶାସନ ଗ୍ରାମରେ ଥିବା ପ୍ରକଳ୍ପ (ପମ୍ପ୍ହାଉସ୍ରୁ) ଜଳଯୋଗାଣ ହେଉଥିଲା। ତେବେ ପିଇବା ପାଣି ନିଅଣ୍ଟ ପଡ଼ୁଥିବାରୁ ଆଜ୍ଞାପ୍ରସାଦ ଗ୍ରାମବାସୀଙ୍କ ଦାବିକୁ ବିଚାରରେ ନେଇ ତିନିବର୍ଷ ପୂର୍ବେ ଗ୍ରାମ ନିକଟରେ ଥିବା ବୋଡ଼ା ନଦୀକୂଳରେ ଏକ ବୋର୍ ଖୋଳା ଯାଇଥିଲା। ଚାରିଶହ ମିଟର ଦୂରରେ ଥିବା ଶାସନପଦର ପମ୍ପ୍ହାଉସ୍ ଭିତରେ ମିଟର୍, ଷ୍ଟାର୍ଟର୍ ଓ କଟ୍ଆଉଟ୍ ଲଗା ଯାଇଥିଲା। ସେଠାରୁ ସର୍ଭିସ୍ ତାର ଟଣାଯାଇ ଆଜ୍ଞାପ୍ରସାଦରେ ଖୋଳା ଯାଇଥିବା ବୋର୍ର ମୋଟର୍କୁ ସଂଯୋଗ କରାଯାଇଥିଲା। ଆଉ ଜଳଯୋଗାଣ ସ୍ବାଭାବିକ ଭାବେ ଜାରି ରହିଥିଲା। ତେବେ ବର୍ଷକ ତଳେ ଟ୍ରାନ୍ସଫର୍ମର୍ରୁ ମୋଟର୍କୁ ଯାଇଥିବା ୫୦୦ ମିଟର ବିଦ୍ୟୁତ୍ ତାରକୁ କେହି ଚୋରି କରି ନେଇଥିଲା। ଫଳରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ବିଭାଗ ପକ୍ଷରୁ ପୁଣି ୫୦ ହଜାର ଟଙ୍କା ବ୍ୟୟରେ ୪୦୦ ମିଟର ତାର ଲଗାଯାଇଥିଲା। ଆଉ ତାହା ମଧ୍ୟ ୬ ମାସ ତଳେ ଚୋରି ହୋଇଯାଇଥିଲା।
ତେବେ ଏଥର ଗ୍ରାମବାସୀ କୌଣସି ଅଧିକାରୀଙ୍କୁ ନଜଣାଇ ବିକଳ୍ପ ଚିନ୍ତା କରିଥିଲେ। ଆଉ ଚାନ୍ଦା କରି ଗାଁ ପ୍ରବେଶପଥରେ ଥିବା ଟ୍ରାନ୍ସଫର୍ମର୍ରୁ ନିଜେ ସର୍ଭିସ୍ ତାର ଲମ୍ବାଇ ମୋଟର୍କୁ ସଂଯୋଗ କରିଥିଲେ। ଖାଲି ଏତିକି ନୁହେଁ, ମୋଟର୍ ନିକଟରେ ଥିବା ଏକ ବଡ଼ ଗଛର ଗଣ୍ଡିରେ ବଳକା ତାରକୁ ବନ୍ଧାଯାଇ ଝୁଲାଯାଇଛି। ଗଣ୍ଡିରେ କଟ୍ଆଉଟ୍ ମେନ୍ସୁଇଚ୍ ଲଗାଯାଇଛି। ଦରକାର ସମୟରେ ଯିଏ ଯେତେବେଳେ ଚାହିଁଲା, ଏହି ସୁଇଚ୍କୁ ମାରି ମୋଟର୍ ଚଳାଉଛନ୍ତି। ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ କଟଆଉଟ୍ ମେନ୍ସୁଇଚ୍ ଗୁଡ଼ିକୁ ଅଖାରେ ଘୋଡ଼ାଇ ରଖାଯାଇଛି। ମୋଟର୍ ଚଳାଇବାକୁ ଥ୍ରି-ଫେଜ୍ କରେଣ୍ଟ୍କୁ ବିପଦପୂର୍ଣ୍ଣ ଭାବେ ବ୍ୟବହାର କରାଯାଉଛି। ଫଳରେ କୌଣସି ଅଘଟଣକୁ ଏଡ଼ାଇ ଦିଆଯାଇପାରିବନି ବୋଲି ମତପ୍ରକାଶ ପାଇଛି। ସେହପରି ବିଭାଗୀୟ ଅଧିକାରୀମାନେ ସବୁ ଦେଖି ବି ନିରବ ସାଜିଛନ୍ତି।