ଯାଜପୁର/ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗର ପାଇଁ ଆସିଛି ଖୁସି ଖବର। ବନ୍ଦ ପଡ଼ିଥିବା କାରଖାନାକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଶ୍ରମିକ, କର୍ମଚାରୀଙ୍କୁ ବକେୟା ଦରମା ଦେବା ଲାଗି ମଧ୍ୟ ଯୋଜନା କରାଯାଇଛି। ଦୀର୍ଘ ୨୨ ମାସ ଧରି ବନ୍ଦ ରହିଥିବା ମୈଥାନ କାରଖାନା ଚିମିନିରୁ ନୂଆବର୍ଷରେ ଧୂଆଁ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କଳିଙ୍ଗନଗର ମଜଦୁର ୟୁନିଅନ ସଭାପତି ତଥା ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇ କାରଖାନାର ନୂତନ ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀ-ଶ୍ରମିକଙ୍କ ସହ ଆଲୋଚନା କରି ଅଚଳାବସ୍ଥା ଦୂର କରିଛନ୍ତି।
ନିଷ୍ପତ୍ତି ଅନୁସାରେ ମୈଥାନର ଉତ୍ପାଦନ ଆରମ୍ଭ ପୂର୍ବରୁ ସ୍ଥାୟୀ ଶ୍ରମିକ-କର୍ମଚାରୀଙ୍କୁ ଗୋଟିଏ ମାସର ବକେୟା ଦରମା ପ୍ରଦାନ କରାଯିବ। କାରଖାନା କାର୍ଯ୍ୟକ୍ଷମ ହେବାର ୨ମାସ ମଧ୍ୟରେ ଆଉ ୨ମାସର ବକେୟା ଦରମା ପ୍ରଦାନ କରିବାକୁ ମୈଥାନର ପରିଚାଳନା ଭାର ନେଇଥିବା କଳିଙ୍ଗ ଏଣ୍ଟ୍ରପ୍ରାଇଜେସ୍ ନିର୍ଦ୍ଦେଶକ ଅମିତ ଗୁପ୍ତା ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ୮୪ଜଣ ସ୍ଥାୟୀ ଶ୍ରମିକଙ୍କୁ ବଳକା ୧୯ ମାସର ମୂଳଦରମା, ଇଏସଆଇ ଓ ପିଏଫ୍ ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଛି । ଅନ୍ୟପଟେ ୪୭୬ ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ କେବଳ ୨୦୧୯ ଫେବ୍ରୁଆରି, ମାର୍ଚ୍ଚ ଏବଂ ଏପ୍ରିଲର ବକେୟା ପ୍ରଦାନ କରାଯିବ। କଂପାନିର ୨୩୨ ସ୍ଥାୟୀ ଏବଂ ୪୭୬ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶ୍ରମିକଙ୍କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି।
ତେବେ ମୈଥାନ କାରଖାନା ଦୀର୍ଘ ୨୨ମାସ ହେବ ବନ୍ଦ ଥିବାରୁ ପୁଣିଥରେ ଆରମ୍ଭ କରିବାକୁ ହେଲେ ସରକାରଙ୍କ ଠାରୁ କନସେଣ୍ଟ ଟୁ ଅପରେଟ୍(ସିଟିଓ) ଆଣିବାକୁ ପଡ଼ିବ। ଏହାସହ ବକେୟା ବିଦ୍ୟୁତ ବିଲ୍, ଜଳ କର ଏବଂ ଜିଏସ୍ଟି ପ୍ରଦାନ ପ୍ରକ୍ରିୟା ଶେଷ ହେବା ଆବଶ୍ୟକ। ସୁକିନ୍ଦା ବିଧାୟକ ଶ୍ରୀ ଘଡ଼ାଇଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଆୟୋଜିତ ବୈଠକରେ କଳିଙ୍ଗନଗର ଶ୍ରମିକ ସଂଘର କର୍ମକର୍ତ୍ତା ଓ କଳିଙ୍ଗ ଏଣ୍ଟରପ୍ରାଇଜର୍ସ ନିର୍ଦ୍ଦେଶକ ଅମିତ ଗୁପ୍ତା ଏବଂ ମାନବ ସମ୍ବଳ ପ୍ରବନ୍ଧକ ଅକ୍ଷୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/dgdgda4g4d4d5a4ddg46d54dg65dg56dg4dg.jpg)