ହାତୀ ଦଳିଦେଲେ ଏକର ଏକର ମକା ଫସଲ

ବାଂଶପାଳ : ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଉପର ଚମ୍ପେଇ, ବାଲରାଇ, କଣ୍ଡକଳା ଆଦି ଅଂଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଚାଲିଛି। ହାତୀ ପଲ ତଳ ବୈତରଣୀ, ଚମ୍ପେଇ ଗାଁ ନିକଟସ୍ଥ ଜଙ୍ଗଲରେ ଦିନ ବେଳା ରହୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ମୁହାଁ ହୋଇ ଫସଲ ଦଳିଚକଟି ନଷ୍ଟ କରୁଛନ୍ତି। ଘର ଭାଙ୍ଗୁଛନ୍ତି ତ ଆଉ କେତେ ବେଳେ ହିଂସ୍ର ହୋଇ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଲୋକେ ଭୟଭୀତ ହୋଇ ରହୁଛନ୍ତି। ବନବିଭାଗ ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ହେଁ ବିଫଳ ହେଉଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଉପର ଚମ୍ପେଇ ଗ୍ରାମର ବିଦ୍ୟାଧର ପରିଡ଼ାଙ୍କ ଅମଳ ହେବାକୁ ଥିବା ୨ ଏକର ମିଠା ମକା କ୍ଷେତରେ ପଶି ହାତୀପଲ ଦଳିମକଚି ନଷ୍ଟ କରିଦେଇଛନ୍ତି। ଗତ କିଛି ଦିନ ତଳେ ହାତୀ ପଲ ମକା କ୍ଷେତକୁ ନଷ୍ଟ କରିଥିବା ବେଳେ ପୁଣି ଗତକାଲି ସମ୍ପୂର୍ଣ କ୍ଷେତକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ବିଦ୍ୟାଧର ହଜାର ହଜାର ଟଙ୍କା ଖର୍ଚ୍ଚ କରି ମକା ଚାଷ କରିଥିଲେ। ଅମଳ ସମୟରେ ହାତୀ ପଲ ନଷ୍ଟ କରିଦେଇଥିବାରୁ ସେ ଅସହାୟ ହୋଇ ପଡିଛନ୍ତି। ବନ ବିଭାଗ ହାତୀ ପଲକୁ ଘଉଡାଇବା ସହିତ କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର