ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାଇଁ ବିପଦ ସାଜିଛନ୍ତି ଛତିଶଗଡ଼ ହାତୀପଲ। ମକା ଫସଲ ଆକୃଷ୍ଟ କରିଥିବାରୁ ବାରମ୍ବାର ପଶି ଯେତିକି ମକା ଖାଉଛନ୍ତି ତାଠାରୁ ଢେର୍‌ ଅଧିକ ଦଳିଚକଟି ନଷ୍ଟ କରୁଛନ୍ତି। କେବଳ ଛତିଶଗଡ଼ ହାତୀ ନୁହଁନ୍ତି, କଳାହାଣ୍ଡି ଜିଲ୍ଲାରୁ ପଶୁଥିବା ହାତୀ ଅନୁରୂପ ଦାଉ ସାଧୁଛନ୍ତି। ଏବେ ମକା କଷି ଧରିଥିବା ବେଳେ ବ୍ୟାପକ ଫସଲ ହାତୀ ମୁହଁରେ ଯାଉଥିବା ଚାଷୀ କହିଛନ୍ତି।

Advertisment

ଗତବର୍ଷ ହାତୀପଲ ରାଇଘର ବ୍ଲକ୍‌ ଚାଷୀଙ୍କୁ ଅନୁରୂପ ହଇରାଣ କରିଥିବା ବେଳେ ଚଳିତ ବର୍ଷ ଉପଦ୍ରବ ବଢ଼ିଛି। ଅନ୍ୟାନ୍ୟ ଫସଲ ମଧ୍ୟ ସେମାନଙ୍କ ମୁହଁରେ ଯାଉଛି। ଏଣେ କଳାହାଣ୍ଡି ହାତୀପଲ ସୀମାନ୍ତ ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି। ବର୍ଷକ ମଧ୍ୟରେ ୨ଜଣଙ୍କୁ ଦଳି ମାରିଲାଣି। ଅନେକ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ବିଶେଷ କରି ଛତିଶଗଡ଼ ହାତୀପଲ ନିୟମିତ ଭାବେ ଗତବର୍ଷଠାରୁ ରାଇଘର ବ୍ଲକ ସୀମାନ୍ତ ଅଞ୍ଚଳରେ ବାରମ୍ବାର ଉପଦ୍ରବ କରୁଛନ୍ତି। ଗତ ୩ ଦିନ ହେବ କୁନ୍ଦେଇ ପଞ୍ଚାୟତ ବରଖାମହୁଲି ଓ ଖିଲୋଲି ଅଞ୍ଚଳରେ ପ୍ରାୟ ୫୦ଟି ହାତୀ ପଶି ଅନେକ ବ୍ୟକ୍ତିଙ୍କ ମକା ଫସଲ ନଷ୍ଟ କରିଥିବା ଅଞ୍ଚଳବାସୀ କହିଛନ୍ତି। ଏ ସ୍ଥିତି ବନବିଭାଗ ପାଇଁ ବି ମୁଣ୍ଡବ୍ୟଥାର କାରଣ ହୋଇଛି। ସବୁ କାମ ଛାଡ଼ି ହାତୀ ପଛରେ ପଡ଼ିଛି ବନ ବିଭାଗ। ସୀମାନ୍ତ ଗାଁଗୁଡ଼ିକରେ ବିଭାଗ ପକ୍ଷରୁ ସଚେତନତା କରାଯିବା ସହ ହାତୀ ଉପରେ ନଜର ରଖାଯାଇଛି।