ଭୁବନେଶ୍ବର : ମକା ଉତ୍ପାଦନ ବଢୁଛି କିନ୍ତୁ ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ପ୍ରୋସେସିଂ ୟୁନିଟ ଅଭାବରୁ ମକାର ବଢୁଥିବା ଚାହିଦାର ଲାଭ ସ୍ଥାନୀୟ ଚାଷୀଙ୍କୁ ମିଳିପାରୁ ନାହିଁ। ରାଜ୍ୟରେ ଉତ୍ପାଦିତ ୮୦ରୁ ୯୦ ପ୍ରତିଶତ ମକା ଅତି ସ୍ବଳ୍ପ ମୂଲ୍ୟରେ ବାହାର ରାଜ୍ୟକୁ ଚାଲିଯାଉଛି। ଓସାମ ବୋର୍ଡ ପକ୍ଷରୁ ଇ-ମାର୍କେଟିଂ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ବିଶେଷ ଲାଭପ୍ରଦ ହେଉନଥିବା ଅଭିଯୋଗ ହେଉଛି। ପଞ୍ଜାବ ଭଳି ଏଠାରେ ମଧ୍ୟ ମକା ମଣ୍ଡି କରିବାକୁ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଉଛନ୍ତି। ଏଥିପ୍ରତି ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାର କାହାରି ମଧ୍ୟ ଗୁରୁତ୍ବ ନଥିବା ଅଭିଯୋଗ ହେଉଛି।

Advertisment

publive-image precisionagricultu.re

କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮ ମସିହାରେ ରାଜ୍ୟରେ ୨ ଲକ୍ଷ ୫୧ ହଜାର ହେକ୍ଟର ଜମିରେ ଚାଷ ହୋଇ ସମୁଦାୟ ୭ ଲକ୍ଷ ୫୨ ହଜାର ମେଟ୍ରିକ୍‌ ଟନ୍‌ ମକା ଉତ୍ପାଦିତ ହୋଇଥିଲା। ୨୦୨୧ ମସିହାରେ ୨ ଲକ୍ଷ ୩୫ ହଜାର ୮୦୦ ହେକ୍ଟର ଚାଷ ହୋଇ ଉତ୍ପାଦନ ୮ ଲକ୍ଷ ୪୭ ହଜାର ମେଟ୍ରିକ୍‌ ଟନ୍‌, ୨୦୧୯ ଏବଂ ୨୦୨୦ ମସିହାରେ ସେହି ସମାନ ପରିମାଣ ଜମିରେ ଚାଷ ହୋଇ ଉତ୍ପାଦନ ୭ ଲକ୍ଷ ୩୦ ହଜାର ଏବଂ ୮ ଲକ୍ଷ ୩୨ ହଜାର ମେଟ୍ରିକ୍‌ ଟନ୍‌ ରହିଥିଲା। ରାଜ୍ୟର ପାହାଡ଼ିଆ ଏବଂ ଢିପ ଜମି ଥିବା ୧୬ଟି ଜିଲ୍ଲା ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଫୁଲବାଣୀ, ବୌଦ୍ଧରେ ମୁଖ୍ୟତଃ ମକା ଉତ୍ପାଦନ ହୁଏ। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହି ଚାଷ ହେବାକୁ ଲାଗିଲାଣି। ମକା ବିହନ ପାଇଁ ଚାଷୀ କମ୍ପାନି ବିହନ ଉପରେ ନିର୍ଭର କରନ୍ତି। ଉତ୍ପାଦନ ବୃଦ୍ଧି ନେଇ ଚାଷୀ ଯେଉଁଭଳି ସଫଳତା ପାଉଛନ୍ତି ସେମାନଙ୍କୁ କିନ୍ତୁ ସେହିଭଳି ପ୍ରୋତ୍ସାହନ ମିଳୁ ନାହିଁ। ସରକାର ଅଣଧାନ କରିବାକୁ ପରାମର୍ଶ ଦେଉଛନ୍ତି କିନ୍ତୁ ମାଣ୍ଡିଆ, କଟନ ବ୍ୟତୀତ ମକା ସମେତ କୌଣସି ଅଣଧାନର ମଣ୍ଡି କରି ନାହାନ୍ତି। ୨୦୨୧ ମସିହା ବ୍ୟତୀତ ଅଧିକାଂଶ ସମୟରେ ଚାଷୀମାନେ ଏମ୍‌ଏସ୍‌ପି ତୁଳନାରେ କମ ମୂଲ୍ୟରେ ବିକ୍ରି କରିଥିଲେ।

ସ୍ବଳ୍ପ ମୂଲ୍ୟରେ ବାହାର ରାଜ୍ୟକୁ ଯାଉଛି ୮୦-୯୦ ପ୍ରତିଶତ
କେନ୍ଦ୍ର, ରାଜ୍ୟ ଉଭୟ ବେଫିକର

publive-image Bonanza

ଓୟୁଏଟି ଗବେଷକ ଦିଗବିଜୟ ସ୍ବାଇଁଙ୍କ କହିବା ଅନୁସାରେ, ବର୍ତ୍ତମାନ ମକାର ଚାହିଦା ବଢୁଛି। ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଚାଷୀ ଧାନ ବଦଳରେ ମକା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରିକି ସେଠାରେ ରବିରେ ମଧ୍ୟ ମକା ଚାଷ କରାଯାଉଛି। ରବିରେ ମକା ଚାଷ କଲେ ଉତ୍ପାଦନ ଅଧିକ ହୁଏ କିନ୍ତୁ ଓଡ଼ିଶାରେ କେବଳ ୧୦ ପ୍ରତିଶତ ରବି ଚାଷ ହୁଏ। ତେଣୁ କ୍ଷମତା ଅନୁସାରେ ଉତ୍ପାଦନ ହେଉନାହିଁ। ଗୋଖାଦ୍ୟ, କନଫ୍ଲେକ୍ସ, କନଫ୍ଲୋର, ପପକର୍ଣ୍ଣ ସମେତ ଆହୁରି ବିଭିନ୍ନ ପ୍ରକାର ଆବଶ୍ୟକତା ପାଇଁ ମକାର ଚାହିଦା ରହିଛି। ମାତ୍ର ଓଡ଼ିଶାରେ ପ୍ରୋସେସିଂ ୟୁନିଟ୍‌ ନଥିବାରୁ ପ୍ରାୟ ୮୦ରୁ ୯୦ ପ୍ରତିଶତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାକୁ ଚାଲି ଯାଉଛି। ସେଠାରେ ପଶୁ ଖାଦ୍ୟ ହୋଇ ଆସୁଛି।

ଚଳିତ ବର୍ଷ ରାଜ୍ୟରେ ଗୋଖାଦ୍ୟର ମୂଲ୍ୟ ବଢିଛି। ସେହି ଦୃଷ୍ଟିରୁ ଓଡ଼ିଶା ଏହି ଚାଷୀମାନେ ଲାଭରେ ରହିବା କଥା। ମୟୂରଭଞ୍ଜ ବ୍ୟତୀତ ଅନ୍ୟ କୌଣସି ପଶୁ ଖାଦ୍ୟ ଉତ୍ପାଦନ କାରଖାନା ନଥିବାରୁ ଚାଷୀଙ୍କୁ ଏହାର ଲାଭ ମିଳିବ ନାହିଁ। ଆରଏମସିରେ ସଂରକ୍ଷିତ କରି ରଖିବା ପାଇଁ ଆବଶ୍ୟକତା ଅନୁସାରେ ଗୋଦାମ ନଥିବାରୁ ଉତ୍ପାଦନ ହେବାକ୍ଷଣି ଚାଷୀ ବିକ୍ରି କରିବା ପାଇଁ ବାଧ୍ୟ ହୁଅନ୍ତି। ମକା ପାଇଁ ପାଣି ଆବଶ୍ୟକ, ଜଳବାୟୁ ପରିବର୍ତ୍ତନ ବା ବର୍ଷାର ଅଭାବରୁ ଚାଷୀଙ୍କୁ ଫସଲହାନୀର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜଳବାୟୁ ପରିବର୍ତ୍ତନକୁ ସୁହାଇବା ଭଳି ବିହନ ଆବଶ୍ୟକ। ଏଥିପାଇଁ ଗତବର୍ଷ ଓୟୁଏଟି ପକ୍ଷରୁ ୯୦-୯୫ ଦିନିଆ କଳିଙ୍ଗରାଜ ବିହନ ଉତ୍ପାଦନ କରାଯାଇଛି। ଆଗାମୀ ଦିନରେ ଏଥିପାଇଁ ବ୍ୟବସ୍ଥା କରାଯାଉଛି। ମାତ୍ର ଏହା ଚାଷୀଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ନୂଆପଡ଼ା ଚାଷୀ ନେତାରାମ ପଟେଲ କହିଛନ୍ତି, ୨୦୧୭ ମସିହାରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ବ୍ୟାପକ ଭାବରେ ତାଙ୍କର ଫସଲ ନଷ୍ଟ ହୋଇଥିଲା କିନ୍ତୁ ଏହାର କ୍ଷତିପୂରଣ ମିଳିଲା ନାହିଁ। ଏଥିଯୋଗୁଁ ଚାଷ କମ କରି ଦେଇଛନ୍ତି। ଆର୍‌ଏମ୍‌ସିରେ ବିକ୍ରି ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ଏତେ ଜଟିଳ ଯେ ୨୦୧୪ ମସିହା ବ୍ୟତୀତ ସେମାନେ କେବେ ଆରଏମସି ଯାଇ ନାହାନ୍ତି। ଯାହା ଯେତିକି ଟଙ୍କା ମିଳିଲା ସ୍ଥାନୀୟ ବଜାରରେ ବାହାର ବ୍ୟବସାୟୀଙ୍କୁ ବିକ୍ରି କରି ଦିଅନ୍ତି।

publive-image bizcommunity.com

କୃଷି ବିଭାଗ ପକ୍ଷରୁ କୁହାଯାଇଛି, ନବରଙ୍ଗପୁରରେ ବଡ଼ ପ୍ରୋସେସିଂ ୟୁନିଟ ପାଇଁ କାର୍ଯ୍ୟ ଚାଲିଛି। ଏହା ଖୁବ ଶୀଘ୍ର ଶେଷ ହେବ। ସ୍ଥାନୀୟ ଚାଷୀଙ୍କ କହିବା ଅନୁସାରେ, ମକାର ଉପଯୋଗ ପାଇଁ କେନ୍ଦ୍ର ସରକାର ଇଥାନେଲ ଏବଂ ରାଜ୍ୟ ସରକାର ପ୍ରୋସେସିଂ ୟୁନିଟର ସ୍ବପ୍ନ ଦେଖାଇଛନ୍ତି। ବର୍ଷାଧିକ ସମୟ ହେଲା ଏହା ପୂରଣ ହେଉ ନାହିଁ।