ରାୟଗଡ଼ା: କଟକଣା ଭିତରେ ସରିଲା ବଡ଼ଦିନ। ୫୦ ପ୍ରତିଶତ ଲୋକଙ୍କ ଉପସ୍ଥିତିରେ ଚର୍ଚ୍ଚରେ ପାଳନ ହେଲା ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ କାର୍ଯ୍ୟକ୍ରମ। ନାଚ, ଗୀତ ଉପରେ ପ୍ରଶାସନର କଟକଣା ଯୋଗୁ ନିରାଡ଼ମ୍ବର ଭାବେ ଖ୍ରୀଷ୍ଟାଧର୍ମାବଲମ୍ବୀ ଚର୍ଚ୍ଚରେ ପାର୍ଥନା କରିବା ପରେ ଘରକୁ ଫେରି ଯାଇଥିଲେ। ଫଳରେ ଚଳିତ ଥର ଜମିଲାନି ବଡ଼ ଦିନ କାର୍ଯ୍ୟକ୍ରମ। ବର୍ଷକୁ ଥରେ ଖ୍ରୀଷ୍ଟାଧର୍ମାବଲମ୍ବୀ ବଡ଼ ଦିନ କାର୍ଯ୍ୟକ୍ରମକୁ ଧୁମଧାମରେ ପାଳନ କରିବା ପାଇଁ ଆଶା ରଖୁଥିବା ବେଳେ ଓମିକ୍ରନ୍ କଟକଣା ଯୋଗୁ ତାହା ସମ୍ଭବ ହୋଇପାରିନି। ରାୟଗଡ଼ା ସହରର ସମସ୍ତ ଚର୍ଚ୍ଚରେ କୋଭିଡ଼୍ କଟକଣା ମଧ୍ୟରେ ବଡ଼ ଦିନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଗ୍ରାମାଞ୍ଚଳ ଚର୍ଚ୍ଚରେ ସାଜସଜ୍ଜାକୁ ଛାଡ଼ିଲେ ବିଶେଷ କାର୍ଯ୍ୟକ୍ରମ ହୋଇନି।
ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଦିନ (ଡିସେମ୍ବର ୨୫) ସମେତ ଡିସେମ୍ବର ୩୧ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ କୋଭିଡ଼୍ କଟକଣାକୁ କଡାକଡ଼ି କରାଯାଇଛି। ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ପ୍ରଶାସନ ରୋକ୍ ଲଗାଇଥିବା ବେଳେ ବାହାରେ ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଲୋକ ଏକାଠି ନ ହେବାକୁ ନିର୍ଦେଶ ଜାରି ହୋଇଛି। ସେହିପରି ସମସ୍ତ ପିକନିକ୍ ସ୍ପଷ୍ଟରେ ଭୋଜିଭାତ ଉପରେ କଟକଣା ଜାରି କରାଯାଇଛି। ନୂତନ ବର୍ଷରେ ରାୟଗଡ଼ାର ଆରାଧ୍ୟ ଦେବୀ ମା’ ମଝିଘରିଆଣୀଙ୍କ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ନୂତନ ବର୍ଷରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ଡିସେମ୍ବର ୩୧ରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ।
ନୀତିକାନ୍ତି ପାଇଁ କେବଳ ପୂଜକ ଓ ସେବାୟତ ମା’ଙ୍କ ମନ୍ଦିରରେ ପ୍ରବେଶ କରିବେ। ଚର୍ଚ୍ଚ ଓ ଅନ୍ୟ ମନ୍ଦିର, ମସଜିଦ୍ ହଲର ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବ। ସଭିଁଏ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜର ବ୍ୟବହାର କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି। ଓମିକ୍ରନକୁ ନେଇ ପ୍ରଶାସନ ଏପରି କଟକଣା ଜାରି କରିବା ପରେ ନୂଆ ବର୍ଷ ପାଳନ ଫିକା ପଡ଼ିବା ସ୍ପଷ୍ଟ ହୋଇଯାଇଛି। କୌଣସି ହଲ୍ କିମ୍ବା କଲ୍ୟାଣ ମଣ୍ଡପରେ କୋଭିଡ଼୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ଜିରୋ ନାଇଟ୍ କିମ୍ବା ନୂଆବର୍ଷ ପାଳନ ହେଉଥିବା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶ ଦେଇଛନ୍ତି। ଡିସେମ୍ବର ସଂଧ୍ୟାରୁ ଜାନୁଆରୀ ୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ପୁଲିସ୍ ପେଟ୍ରୋଲିଂକୁ କଡାକଡି କରିବାକୁ ନିର୍ଦେଶ ହୋଇଛି। ସମସ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳ ବିଶେଷ କରି ଝୁଲାପୋଲ, ବାଇସିଂ ପାହାଡ଼, ପିକନିକ୍ ସ୍ପଟ ଗୁଡ଼ିକରେ ପୁଲିସ୍ ପଇଁତରା ମାରିବା ସହ ସହରର ବିଭିନ୍ନ ଛକରେ ମାସ୍କ ଯାଞ୍ଚକୁ କଡାକଡି କରିବାକୁ ରାୟଗଡ଼ା ପୁଲିସ୍ ଯୋଜନା କରିଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ଆଜି ସୁଦ୍ଧା ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡ଼ି କରାଯାଇଛି। ଜିଲ୍ଲାରୁ ଆଜି ସୁଦ୍ଧା ୨୦ ହଜାର ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦ ହଜାର ୭୪ ଜଣ ସୁସ୍ଥ ହୋଇଛନ୍ତି। ୧୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।