ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ : ଆୟୁଷ ନିର୍ଦ୍ଦେଶକ ହେଲେ ତ୍ରିଲୋଚନ ମାଝୀ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୫ ଜଣ ଓଏଏସ୍‌ ଅଧିକାରୀଙ୍କ ବଦଳି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, କୃଷି ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ବରିଷ୍ଠ ଓଏଏସ୍‌ ମେରି ଲାକ୍ରାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ ଥିବା ଦୟାନିଧି ନାୟକଙ୍କୁ କୃଷି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଅତିରିକ୍ତ ଶାସନ ସଚିବ ଥିବା ଶୈଳେନ୍ଦ୍ର କୁମାର ଦ୍ବିବେଦୀଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ଶାସନ ସଚିବ ଥିବା କୃଷ୍ଣ ପ୍ରସାଦ ପତି ଇଲେକ୍ଟ୍ରୋନିକ୍‌ସ୍‌ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମୋହନ ଚରଣ ଦାସଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବରେ ଥିବା ପ୍ରଭାତ କୁମାର ଭୋଇଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବିଶ୍ବନାଥ ବାରିକଙ୍କୁ ଭୁବନେଶ୍ବର ସ୍ଥିତ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟର ଅତିରିକ୍ତ ଶାସନ ସଚିବ, କୃଷି ବିଭାଗରେ ଅତିରିକ୍ତ ଶାସନ ସଚିବ ଥିବା ଦୁର୍ବାଦଳ ମେହେରଙ୍କୁ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଥିବା ମନୋଜା ଦେବୀଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟରେ ଅତିରିକ୍ତ ଶାସନ ସଚିବ ଥିବା ତ୍ରିଲୋଚନ ମାଝୀଙ୍କୁ ଆୟୁଷ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହାସହିତ ସୁନ୍ଦରଗଡ଼ ଏଡିଏମ୍‌ ଥିବା ନୃସିଂହ ସ୍ବାଇଁଙ୍କୁ ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ବିଜୟ କୁମାର ପୃଷ୍ଟିଙ୍କୁ ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଯୁଗ୍ମ ଶାସନ ସଚିବ ଥିବା ପୁରନ୍ଦର ଧରୁଆ ଜଳ ସମ୍ପଦ ବିଭାଗର ଯୁଗ୍ମ ଶାସନ ସଚିବ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚିବ ଥିବା ଅଞ୍ଜନା ପଣ୍ଡାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ, ପର୍ଯ୍ୟଟନ ବିଭାଗ ଯୁଗ୍ମ ଶାସନ ସଚିବ ଥିବା ଶୁଭ୍ରା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ଦାୟିତ୍ବ ମିଳିଛି।

ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଥିବା ଲିପ୍‌ସା ଦାସଙ୍କୁ ଶକ୍ତି ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଶ୍ରୀମତୀ ଦାସଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ବଦଳି ହୋଇଥିଲା। ସେହି ଆଦେଶକୁ ବାତିଲ କରାଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ଯୁଗ୍ମ ଶାସନ ସଚିବ ଥିବା ନିତ୍ୟାନନ୍ଦ ବାରିକଙ୍କୁ କନ୍ଧମାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଥିବା ପ୍ରଭାତ କୁମାର ମହାପାତ୍ରଙ୍କୁ ଭୁବନେଶ୍ବର ସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସିଇଓ ଭାବେ ଅବସ୍ଥାପିତ କରାଯାଇଛି।

ଏମାନଙ୍କ ବ୍ୟତୀତ ପାନପୋଷ ଉପଜିଲ୍ଲାପାଳ ଥିବା ବିଶ୍ବଜିତ୍‌ ମହାପାତ୍ରଙ୍କୁ ପାନପୋଷ୍ ଆଇଟିଡିଏର ପିଏ ଓ ସୁନ୍ଦରଗଡ଼ ଜିଲ୍ଲାର ଏଡିଏମ୍‌ ଭାବେ ନିଯୁକ୍ତି ମିଳିଛି। ସେହିପରି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ଶିଳ୍ପ ବୋର୍ଡ଼ର ଉପସଚିବ ଥିବା ରେଣୁ ପ୍ରଭା ନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ଶାସନ ସଚିବ ଭାବେ ବଦଳି କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ଶାସନ ସଚିବ ଥିବା ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। କଟକ ସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଫିସର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ସୁମିତ୍ରା ସେନାପତିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଶ୍ରୀମତୀ ସେନାପତିଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଓ ସେରିଫେଡ୍‌ର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏବେ ସେହି ଆଦେଶକୁ ବାତିଲ କରାଯାଇଛି। ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଦୌଲତ ଚନ୍ଦ୍ରାକରଙ୍କୁ ସୁନ୍ଦରଗଡ଼ର ପାନପୋଷ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପଶାସନ ସଚିବ ଥିବା ରାଜେଶ କୁମାର ଅଗ୍ରଓ୍ବାଲାଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗର ଉପଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର