ବଢ଼ିଲା ଛାତ୍ର ବିଜେଡିର କ‌ଳେବର

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଯୁବ ଓ ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିଛି। ତିନି ଦିନ ତଳେ ଯୁବ ସଙ୍ଗଠନକୁ ପୁନର୍ଗଠନ କରାଯାଇଥିବା ବେଳେ ଆଜି ଛାତ୍ର ସଙ୍ଗଠନରେ ବ୍ୟାପକ ପରିବର୍ତନ କରାଯାଇଛି। ଅଧିକ ସଂଖ୍ୟକ ଛାତ୍ରନେତାଙ୍କୁ ସାମିଲ କରିଛି ଦଳ। ପୂର୍ବ ରାଜ୍ୟ କମିଟିରେ ୩ଜଣ କାର୍ଯ୍ୟକାରୀ ସଭାପତି ସମେତ ମୋଟ ୧୪୧ ଜଣ ଛାତ୍ରନେତା ସାମିଲ ହୋଇଥିଲେ। ମାତ୍ର ଆଜି ପ୍ରକାଶିତ ରାଜ୍ୟ କମିଟିରେ ୫ଜଣ କାର୍ଯ୍ୟକାରୀ ସଭାପତି ସମେତ ମୋଟ ୧୬୯ଜଣଙ୍କୁ ଥଇଥାନ କରାଯାଇଛି। ଏମାନଙ୍କ ବ୍ୟତୀତ ୩୫ଟି ସାଙ୍ଗଠନିକ ଜିଲ୍ଲା ଦାୟିତ୍ବ ୩୮ଜଣ ଛାତ୍ରନେତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ବଲାଙ୍ଗୀର ଓ କୋରାପୁଟ ଜିଲ୍ଲା ଛାତ୍ର ବିଜେଡି ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି। ରାଉରକେଲା, କଟକ ଓ କୋରାପୁଟ ଜିଲ୍ଲାରେ ସଭାପତିଙ୍କ ସହ ଆଉ ଜଣେ ଲେଖାଏ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟ କମିଟିରେ ଭୁବନେଶ୍ୱର ଓ କଟକର ଛାତ୍ରନେତାଙ୍କ ପତିଆରା ଦେଖିବାକୁ ମିଳିଛି।

କାର୍ଯ୍ୟକାରୀ ସଭାପତି ଭାବେ କଳାହାଣ୍ଡିର ଅବିନାଶ ଠାକୁର, ନବରଙ୍ଗପୁରର ପ୍ରଶାନ୍ତ ପଣ୍ଡା, ବରଗଡ଼ ବିଜେପୁରର ବିଶ୍ବ ପ୍ରତାପ ସାହୁ, ଭୁବନେଶ୍ବରର ରାଜେଶ ରାଜ ସ୍ବାଇଁ ଓ ମିକୁ ପ୍ରଧାନ ନିଯୁକ୍ତ ହୋଇଛନ୍ତି। ଇପ୍‌ସିତା ସାହୁଙ୍କୁ ପୁଣିଥରେ ମହାସଚିବ ପଦ ମିଳିଛି। ବରିଷ୍ଠ ଉପ ସଭାପତି ଭାବେ ଅଜିତ୍‌ ବେହେରା, ସ୍ବାଗତିକା ମହାନ୍ତି, ଅପୂର୍ବା ଅପରୂପା‌, ପ୍ରଦୋଷ ପରିଡ଼ା, ଚିନ୍ମୟ ଦାସ, ବିଜୟ ବସନ୍ତିଆ, ଅଭିନାଶ ପଟେଲ, ତାପସ କୁମାର ସାହୁ ନିଯୁକ୍ତ ହୋଇଛନ୍ତି। ଭୁବନେଶ୍ବର ଜୋନ୍‌ ସଭାପତି ଭାବେ ଭଗବାନ ସାହୁ, କଟକ ପାଇଁ ସ୍ମୃତିରଞ୍ଜନ ଦାସ, ଗଞ୍ଜାମ ଲାଗି ଜ୍ୟୋତିରଞ୍ଜନ ସାହୁ, ସମ୍ବଲପୁର ପାଇଁ ମିଲନ୍‌ ହୋତା, ବଲାଙ୍ଗୀର ପାଇଁ ଚିରାଗ ସିଂଦେଓ, କୋରାପୁଟ ଲାଗି ଶଶାଙ୍କ ମିଶ୍ର, ବାଲେଶ୍ବର ଜୋନ୍‌ ପାଇଁ ଅବଦୁଲ୍‌ ହବିବ୍‌ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୧୦ଜଣ ଉପସଭାପତି, ୫୧ଜଣ ସାଧାରଣ ସମ୍ପାଦକ, ୬୧ଜଣ ସମ୍ପାଦକ, ୨୬ଜଣ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଲିକା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର