ମାଲକାନଗିରି/ରାଇଘର: ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ମେନପୁର ଅଞ୍ଚଳରେ ନକ୍ସଲ-ପୁଲିସ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ପ୍ରାଣ ହରାଇଛନ୍ତି। ଏହି ବଡ଼ଧରଣର ଏନ୍କାଉଣ୍ଟର୍ରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ମନୋଜ ଓରଫ୍ ମୋଡେମ୍ ବାଲକ୍ରିଷ୍ଣା ନିହତ ହୋଇଛି। ମାଓ ନେତା ବାଲକ୍ରିଷ୍ଣା ପାଇଁ ସରକାର ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତା’ ଘର ତେଲେଙ୍ଗାନାର ଵାରଙ୍ଗଲ ଜିଲ୍ଲାରେ ବୋଲି ଜଣାପଡ଼ିଛି।
ମୁଣ୍ଡରେ ଥିଲା
୧ କୋଟି ଟଙ୍କାର ପୁରସ୍କାର
୧୦ ନକ୍ସଲ ମୃତ ସୂଚନା, କମ୍ବିଂ ଜାରି
ଓଡ଼ିଶା ସୀମା ଛତିଶଗଡ଼ ମେନପୁର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍ କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ଯୋଜନା କରୁଥିଲେ। ଏ ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିବା ପରେ ଜିଲ୍ଲା ପୁଲିସ୍, ଡିଆର୍ଜି, ଏସ୍ଟିଏଫ୍ ଏବଂ ସିଆର୍ପିଏଫ୍ କୋବ୍ରା ଯବାନ କମ୍ବିଂ ଅପରେସନ୍ରେ ବାହାରିଥିଲେ। ଗୁରୁବାର ସକାଳେ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ କମ୍ବିଂ ଅପରେସନ୍ ସହ ଗୁଳି ବିନିମୟ ଜାରି ରହିଥିବା ଏସ୍ପି ନିଖିଲ ରାଖେଚା ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବହୁ ମାଓବାଦୀଙ୍କ ମୃତଦେହ ପଡ଼ିଥିବା ଏସ୍ପି କହିଛନ୍ତି। ସର୍ଚ୍ଚ ଅପରେସନ୍ ସମୟରେ ଅତ୍ୟାଧୁନିକ ବନ୍ଧୁକ ଓ ମାଓ ସାମଗ୍ରୀ ଠାବ ହୋଇଛି। ଯବାନ ଫେରିବା ପରେ ସବିଶେଷ ବିବରଣୀ ଜଣାପଡ଼ିବ।
ପ୍ରକାଶଥାଉକି, ମେନପୁର ଜଙ୍ଗଲରେ ହିଁ ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତିକୁ ପୁଲିସ ଏନ୍କାଉଣ୍ଟର୍ କରିଥିଲା। ମାଓ ଦମନ ଅଭିଯାନରେ ପୁଲିସକୁ ଏହା ଦ୍ବିତୀୟ ବଡ଼ ସଫଳତା। ଏନ୍କାଉଣ୍ଟର୍ରେ ଓଡ଼ିଶା କ୍ୟାଡର୍ ଏସ୍ଜେଡସିଏମ୍ ପ୍ରମୋଦ ଓରଫ ପାଣ୍ଡୁ ସହିତ ଅନ୍ୟ ୩ ବଡ଼ ମାଓ ନେତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ମୃତ ସମସ୍ତ ନକ୍ସଲ ଓଡ଼ିଶା ରାଜ୍ୟ କମିଟିର। ଅଘଟଣ ଘଟାଇବା ପୂର୍ବରୁ ମାଓ ନେତା ଭାଲୁଡୋଗି ଜଙ୍ଗଲରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। କିନ୍ତୁ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଥିବା ପୁଲିସ ଚଳିତ ଥର ମାଓବାଦୀଙ୍କ ସମସ୍ତ ଚାଲ୍କୁ ବିଫଳ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/12/fhsfhfhhfs-2025-09-12-00-47-53.jpg)