ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ନିଅାଁ

ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ସନ୍ଦେହ
ସିଟି ଷ୍ଟାଇଲ୍‌ ସମେତ ୫ ଦୋକାନ ଜଳିଗଲା
ନିଆଁ ଲିଭାଇଲେ ୨୧ଟି ଦମକଳ, ଓଡ୍ରାଫ ଟିମ୍‌

କଟକ : ଆଜି କଟକ ସହରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବାଦାମବାଡ଼ି ନିକଟ ସିଟି ଷ୍ଟାଇଲ୍‌ ସପିଙ୍ଗ ମଲ୍‌ର ତିନି ମହଲା କୋଠା ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଏହି ଭୟାଭୟ ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଥିବା ଅଗ୍ନିଶମ ବିଭାଗ ଆକଳନ କରିଛି। ମୁଖ୍ୟ ଇଲେକ୍ଟ୍ରି କଣ୍ଟ୍ରୋଲ ପ୍ୟାନେଲ୍‌ରୁ ସଟ୍‌ ସର୍କିଟ୍‌ ହୋଇ ନିଆଁ ମଲ୍‌ ସାରା ବ୍ୟାପିଥିବା କୁହାଯାଉଛି। ସୌଭାଗ୍ୟବଶତଃ ମଲ୍‌ର ସମସ୍ତ କର୍ମଚାରୀ ସୁରକ୍ଷିତ ସ୍ଥାନକୁ ଖସିଆସିଥିଲେ। କଟକ ସହରରେ ଏଭଳି ଭୟାବହ ଅଗ୍ନିକାଣ୍ଡ ପ୍ରଥମ ଥର ପାଇଁ ଘଟିଥିବା କୁହାଯାଉଛି। ସିଟି ଷ୍ଟାଇଲ୍‌ ସମେତ ନିଆଁ ଧାସରେ ମଲ୍‌ କୋଠାକୁ ଲାଗିକରି ଥିବା ଆହୁରି ୫ଟି ଦୋକାନ ଜଳିଯାଇଛି।

ବାଦାମବାଡ଼ି ମଲ୍‌ ବାଦ୍‌ ବିଡ଼ାନାସି ଦେଉଳସାହିର ପ୍ରଶାନ୍ତ ଆପାର୍ଟମେଣ୍ଟ ଏବଂ କୃଷକ ବଜାରରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି। ସିଟି ଷ୍ଟାଇଲ୍‌ରେ ଅଗ୍ନିକାଣ୍ଡ ଘଟଣାରେ ଅଗ୍ନିଶମ ବିଭାଗର ଡିଜି ବିଜୟ ଶର୍ମା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପୃକ୍ତ ମଲ୍‌ରେ ବ୍ୟବହାର କରାଯାଇଥିଲା କି ନାହିଁ, ସେସବୁର ତଦନ୍ତ କରିବାକୁ ତିନି ଜଣିଆ କମିଟି ଆସନ୍ତାକାଲିଠାରୁ ତଦନ୍ତ କରିବ। ତଦନ୍ତ ରିପୋର୍ଟ ଆଧାରରେ ସମ୍ପୃକ୍ତ ମଲ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଉକ୍ତ ମଲ୍‌ ମାଲିକ ଅଗ୍ନିଶମ ବିଭାଗର ଲାଇସେନ୍ସ ଆଣି ନଥିବା ବେଳେ କୌଣସି ଅଗ୍ନି ନିର୍ବାପକ ବ୍ୟବସ୍ଥା ମଧ୍ୟ ବ୍ୟବହାର କରୁ ନଥିଲେ। ସିଡିଏର ଆପ୍ରୁଭାଲ ମଧ୍ୟ କୋଠାକୁ ମିଳି ନଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।

ପ୍ରକାଶ ଯେ ସିଟି ଷ୍ଟାଇଲ୍‌ର ସପିଙ୍ଗ୍‌ ମଲ୍‌ରେ ଆଜି ଦିନ ପ୍ରାୟ ୧୧ଟା ବେଳେ ସାମ୍‌ନା ପାର୍ଶ୍ୱର ଏସି ପାଇପ୍‌ ଲାଇନ୍‌ରୁ ସର୍ଟ ସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ହୋଇଥିଲା। ମଲ୍‌ର ଦ୍ୱିତୀୟ ମହଲାରେ ଫସିଯାଇଥିବା ୬ ଜଣ କର୍ମଚାରୀ ଅଳ୍ପକେ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଥିଲେ। ସିଟି ଷ୍ଟାଇଲ୍‌ରେ ଲାଗିଥିବା ନିଆଁ ଅଳ୍ପ ସମୟ ମଧ୍ୟରେ ପାଖରେ ଥିବା ଇଲେକ୍ଟ୍ରି ଦୋକାନ ସ୍ପାର୍କ ଲାଇଟ୍‌, ନାରାୟଣୀ ହୋଟେଲ୍‌, ଦୁଇଟି ଚୁଡ଼ି ଗୋଦାମ, ଫାଷ୍ଟ ଫୁଡ୍‌ ଦୋକାନକୁ ବ୍ୟାପିଥିଲା। ସିଟି ଷ୍ଟାଇଲ୍‌ ବାମ ପଟେ ଥିବା ଗୀତା ଫ୍ୟାସନ ସପିଂ ମଲ୍‌ର ସାମ୍‌ନା ପଟେ ମଧ୍ୟ ନିଆଁ ଲାଗିଯାଇଥିଲା। ତୁରନ୍ତ ଖବର ପାଇ ବକ୍ସିବଜାର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲା। ଅପରାହ୍ନ ପ୍ରାୟ ୪ଟା ପର୍ଯ୍ୟନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଥିଲା। ନିଆଁ ଲିଭାଇବାକୁ କଟକ ଓ ଭୁବନେଶ୍ୱରର ୨୧ଟି ଦମକଳ, ଓଡ୍ରାଫ ଟିମ୍‌ ନିୟୋଜିତ ହୋଇଥିଲେ।

ଭୁବନେଶ୍ୱରରୁ ଅତ୍ୟାଧୁନିକ ନିଆଁ ଲିଭା ଗାଡ଼ି ସ୍କାଏ ଲିଫ୍ଟ ଆସିଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ସ୍କାଏଲ ଲିଫ୍ଟ କାମ କରି ନଥିଲା। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନ୍ୟପଟେ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟ ଅଗ୍ନିଶମ ଅଧିକାରୀ ବ୍ରଜେନ୍ଦୁ ଭୂଷଣ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କମିଟି ଆସନ୍ତାକାଲିଠାରୁ ଅଗ୍ନିକାଣ୍ଡର ତଦନ୍ତ କରିବ। ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ସିଟି ଷ୍ଟାଇଲ୍‌ କୌଣସି ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଫାୟାର ସେଫ୍ଟି ସାର୍ଟିଫିକେଟ୍‌ ନଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ମହଲାକୁ ଯିବାକୁ ମାତ୍ର ଦେଢ଼ ଫୁଟିଆ ସିଡି ରହିଛି। ମଲ୍‌ର ପ୍ରସ୍ଥାନ ଦ୍ୱାର ମାତ୍ର ଗୋଟିଏ ଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିଛନ୍ତି ଯେ ସିଟି ଷ୍ଟାଇଲ୍‌ରେ ହୋଇଥିବା ଅଗ୍ନିକାଣ୍ଡ କେଉଁ ପରିସ୍ଥିତିରେ ଲାଗିଲା, କେତେ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ଏବଂ ଅଗ୍ନି ନିରୋଧ ଉପକରଣ ବ୍ୟବହାର କରୁଥିଲେ କି ନାହିଁ, ସେ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ଚିଠି ଲେଖାଯିବ। ଏହାସହିତ ବ୍ୟବସାୟୀକ କାରବାର ପାଇଁ କୋଠାକୁ ଅନୁମତି ଦେଉଥିବା ସିଏମ୍‌ସି ଏବଂ କୋଠା ଆପ୍ରୁଭାଲ୍‌ କରୁଥିବା ସିଡିଏ ଅନୁମତି ମିଳିଥିଲା କି ନାହିଁ, ଉଭୟ କାର୍ଯ୍ୟାଳୟକୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ନିୟମ ଖିଲାଫ କରିଥିଲେ ସମ୍ପୃକ୍ତ ମଲ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ପ୍ରାଥମିକ ତଦନ୍ତରୁ ଉକ୍ତ ମଲ୍‌ ମାଲିକ ସିଡିଏର ବିନା ଆପ୍ରୁଭାଲରେ ମଲ୍‌ ବେଆଇନ ଭାବେ ଖୋଲିଥିବା ଅନୁମାନ କରାଯାଉଛି। ଅଧିକ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅଗ୍ନିକାଣ୍ଡ ଖବର ପାଇ ଓଡ୍ରାଫ୍‌ର ନିର୍ଦ୍ଦେଶକ ତଥା ମୁଖ୍ୟ ଅଗ୍ନିଶମ ଅଧିକାରୀ ବ୍ରଜେନ୍ଦୁ ଭୂଷଣ ଦାସ, ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, କେନ୍ଦ୍ରାଞ୍ଚଳ ରେଞ୍ଜ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ, ରମେଶ ଚନ୍ଦ୍ର ମାଝି, ଡିସିପି ଅଖିଳେଶ୍ୱର ସିଂହ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମେତ ଏଡିଏମ୍‌ ରଘୁରାମ ଆର୍‌. ଆୟାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର