ପୁରୀ: ବିରଳ ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲାର ଦେବୀ ମୁହାଣଠାରୁ ପ୍ରାୟ ୨୦ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ ସମୁଦ୍ର ଭିତର ୫ କିଲୋମିଟର ଅଞ୍ଚଳକୁ ନଭେମ୍ବର ୧ରୁ ଆସନ୍ତା ବର୍ଷ ମେ ୩୧ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳକୁ ନୋ ଫିସିଂ ଜୋନ୍ (ମାଛମରା ନିଷେଧ) କରାଯାଇଛି। ଯେଉଁମାନେ ଏହି ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ଧରିବେ ଅବା ଯନ୍ତ୍ରଚାଳିତ ବୋଟ୍, ଟ୍ରଲର୍ ଆଦି ଚଳାଚଳ କରିବେ, ସେମାନେ ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆଇନ-୧୯୮୨ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ଦଣ୍ଡିତ ହେବେ। ଟ୍ରଲର୍ ଜବତ ସହ ସେମାନେ ଧରିଥିବା ମାଛକୁ ମତ୍ସ୍ୟ ସଂପଦ ବିଭାଗ ଜବତ କରି ନିଲାମ ଡାକିବ। ଟ୍ରଲର୍ ମାଲିକଙ୍କୁ ନିଲାମ ପରିମାଣର ସର୍ବାଧିକ ୫ ଗୁଣା ଜରିମାନା ମଧ୍ୟ କରାଯିବ। କିନ୍ତୁ ପୁରୀ ଜିଲ୍ଲାରେ ଏଥିରେ ବଡ଼ଧରଣର ଜାଲିଆତି ଦେଖିବାକୁ ମିଳିଛି। ଯେଉଁ ମାଛ ଜବତ ହେଉଛି, ତାହା ଯେଉଁ ଦରରେ ନିଲାମ ହେଉଛି ଓ ବଜାରରେ ଯେଉଁ ଦରରେ ବିକ୍ରି ହେଉଛି; ତା’ ଭିତରେ ତାରତମ୍ୟ ଦେଖିଲେ ଆଖି ଟେରା ହୋଇଯିବ। ଯେଉଁ ମାଛର ବଜାର ଦର କିଲୋ ପ୍ରତି ୬ ଶହରୁ ୮ ଶହ ଟଙ୍କା, ତାକୁ ମାତ୍ର ୩ରୁ ୫ ଟଙ୍କାରେ ନିଲାମ କରାଯାଉଛି। ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଛି। ଯଦି ବି କେହି ଅଧିକ ଦରରେ ମାଛ ନିଲାମ ଡାକୁଛନ୍ତି, ସେମାନଙ୍କ ସହ ଜାଣିଶୁଣି ଗଣ୍ଡଗୋଳ କରାଯାଉଛି ଏବଂ ଚାପ ପକାଇ ଘଟଣାସ୍ଥଳରୁ ଘଉଡ଼ାଇ ଦିଆଯାଉଛି। କୋହଳ ଜରିମାନା ସହ ଟ୍ରଲର୍କୁ ସହଜରେ ଖସାଇଦେବାକୁ ଏଭଳି ସୁଚିନ୍ତିତ ଷଡ଼୍ଯନ୍ତ୍ର କରାଯାଉଥିବାର ଅଭିଯୋଗ ହୋଇଛି।
ଚଳିତବର୍ଷ ନିଷିଦ୍ଧାଞ୍ଚଳରୁ ୩ଟି ଟ୍ରଲର୍ ଜବତ ହୋଇଛି। ନିୟମ ଅନୁଯାୟୀ, ଟ୍ରଲର୍ ଜବତ ପରେ ମତ୍ସ୍ୟ ସଂପଦ ବିଭାଗ ଏଥିରେ ଥିବା ମାଛ ନିଲାମ କରିବ। ମିଳିଥିବା ତଥ୍ୟ ମୁତାବକ, ଚଳିତବର୍ଷ ନଭେମ୍ବର ୮ ତାରିଖ ପୂର୍ବାହ୍ଣ ୧୧ଟା ୪୮ରେ ଦେବୀ ମୁହାଣର ନିଷିଦ୍ଧାଞ୍ଚଳରେ ମାଛ ମାରିବା ଓ ବୁଲିବା ଅଭିଯୋଗରେ ‘ସର୍ବମଙ୍ଗଳ-୭’ (ପଞ୍ଜୀକୃତ ନମ୍ବର ଆଇଏନ୍ଡି-ଓଆର-୦୧-ଏମଏମ-୩୨୨/୨୦.୦୨.୨୩) ନାମରେ ଏକ ଟ୍ରଲର୍ ଜବତ ହୋଇଥିଲା। ଏହି ଯନ୍ତ୍ରଚାଳିତ ଡଙ୍ଗାରୁ ମୋଟ ୫୫୦ କିଲୋ ମାଛ ଜବତ କରାଯାଇଥିଲା। ଯେଉଁଥିରେ ୬୦ କିଲୋ ପମ୍ଫ୍ରେଟ୍, ବି-କ୍ଲାସ୍ ମାଛ (ଖଇଙ୍ଗା ଓ ଅନ୍ୟାନ୍ୟ ଦାମୀ ମାଛ) ୪୧୦ କିଲୋ, ସି-କ୍ଲାସ୍ ମାଛ ୬୦ କିଲୋ ଓ କଙ୍କଡ଼ା ୨୦ କିଲୋ ଥିଲା। ନିୟମ ଅନୁଯାୟୀ, ସମୁଦ୍ର କୂଳରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହାର ଖୋଲା ନିଲାମ କରାଯାଇଥିଲା। କିନ୍ତୁ ପମ୍ଫ୍ରେଟ୍ ଭଳି ୬ ଶହରୁ ୮ ଶହ ଟଙ୍କାର ଦାମୀ ମାଛ କିଲୋ ପିଛା ୫ ଟଙ୍କାରେ ନିଲାମ ହୋଇଥିଲା। ସେହିଭଳି ବି-କ୍ଲାସ୍ ମାଛ କିଲୋ ୩ ଟଙ୍କା, ସି-କ୍ଲାସ୍ ମାଛ କିଲୋ ୩ ଟଙ୍କା ଓ କଙ୍କଡ଼ା କିଲୋ ୩ ଟଙ୍କାରେ ନିଲାମ ହୋଇଥିଲା। ମୋଟ ୫୫୦ କିଲୋ ମାଛ ମାତ୍ର ୧୭୭୦ ଟଙ୍କାରେ ନିଲାମ କରାଯାଇଥିଲା।
ନିଷିଦ୍ଧାଞ୍ଚଳରୁ ଜବତ ଟ୍ରଲରକୁ ଖସାଇବାକୁ ଭିତିରି ଷଡ଼୍ଯନ୍ତ୍ର
ସେହିଭଳି ଗତ ନଭେମ୍ବର ୭ ତାରିଖ ସକାଳ ୮ଟା ୪୭ରେ ‘ଜୟ ମା’ ଦୁର୍ଗା-୨’ ନାମରେ ଆଉ ଏକ ଟ୍ରଲର୍ (ପଞ୍ଜୀକରଣ ନମ୍ବର-ଆଇଏନଡି-ଓଆର-୦୪-ଏମ୍ଏମ୍-୧୨/୩୦.୧୨.୨୦୨୦) ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ଜବତ କରାଯାଇଥିଲା। ଏହି ଡଙ୍ଗାରୁ ମୋଟ ୬୦୮ କିଲୋ ମାଛ ଜବତ ହୋଇଥିଲା। ଯେଉଁଥିରେ ବି-କ୍ଲାସ୍ ମାଛ ୪୦୪ କିଲୋ, କଙ୍କଡ଼ା ୧୦୨ କିଲୋ, ଦାମୀ ଚିଙ୍ଗୁଡ଼ି ୧୦୨ କିଲୋ ଥିଲା। ଏହାର ନିଲାମ ଅର୍ଥ ମାତ୍ର ୧୬୨୪ ଟଙ୍କା ହୋଇଛି। ବି-କ୍ଲାସ୍ ମାଛ କିଲୋ ୨ ଟଙ୍କା, କଙ୍କଡ଼ା କିଲୋ ୩ ଟଙ୍କା ଓ ଦାମୀ ଚିଙ୍ଗୁଡ଼ି କିଲୋ ୫ ଟଙ୍କାରେ ନିଲାମ ହୋଇଛି। ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଜନୈକ ବ୍ୟକ୍ତି କହିଛନ୍ତି, ଯେଉଁ ମାଛ ଦର ୨ ଟଙ୍କା, ୩ ଟଙ୍କାରେ ନିଲାମ ହେଉଛି; ତାକୁ ସେ ୧୦୦ରୁ ୧୧୦ ଟଙ୍କାରେ ଡାକୁଥିଲେ। ପ୍ରାୟ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନିଲାମ ଡାକିବାର ସେ ଲକ୍ଷ୍ୟ ରଖିଥିଲେ। କିନ୍ତୁ ସେଠାରେ ଜଗି ରହିଥିବା କିଛି ବ୍ୟକ୍ତି ତାଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ। ନିଲାମରେ ଅଂଶଗ୍ରହଣ ନ କରିବା ଓ ଏତେ ଟଙ୍କାରେ ନିଲାମ ନ ଡାକିବାକୁ କହି ଗଣ୍ଡଗୋଳ ବି କରିଥିଲେ। ଶେଷରେ ସେ ନିଲାମ ଅଧାରୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେ ଆହୁରି କହିଛନ୍ତି, ଏଭଳି ତଞ୍ଚକତା ପଛରେ ମତ୍ସ୍ୟସଂପଦ ବିଭାଗ, ବନ୍ୟପ୍ରାଣୀ ବିଭାଗ ଓ ଡଙ୍ଗାସଂଘ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହୁଛି। ଏପରିକି ଯେଉଁ ମାଛ ଅଧିକ ଦର, ଅଧିକ ଟଙ୍କାରେ ନିଲାମ ହେବ; ନିଲାମ ପୂର୍ବରୁ ଜାଣିଶୁଣି ସମୁଦ୍ର ଭିତରକୁ ଫିଙ୍ଗି ଦିଆଯାଉଛି। ଯେହେତୁ ନିୟମ ରହିଛି, ଜବତ ମାଛ ନିଲାମ ଦର ଯେତେ ହେବ, ତା’ର ୫ ଗୁଣା ଜରିମାନା ଟ୍ରଲର୍ ମାଲିକଙ୍କଠାରୁ ଆଦାୟ ହେବ, ସେଥିପାଇଁ ଯୋଜନାବଦ୍ଧ ଭାବେ ନିଲାମ ପ୍ରକ୍ରିୟାରେ ଜାଲିଆତି କରାଯାଉଛି। ନିଜ ନିଜ ଭିତରେ ଅଳ୍ପ ଦରରେ ମାଛ କିଣି ନେଉଛନ୍ତି। ଏହା ପଛରେ ମୋଟା ଅଙ୍କର ଟଙ୍କା କାରବାର ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ପୁରୀ ସହକାରୀ ମତ୍ସ୍ୟସଂପଦ ଅଧିକାରୀ (ସାମୁଦ୍ରିକ) ରମେଶ ଚନ୍ଦ୍ର ରାଉଳ କହିଛନ୍ତି, କେବଳ ନିଲାମ ଡାକିବା ଆମ ଦାୟିତ୍ବ। କିନ୍ତୁ କିଏ ନିଲାମ ନେଲା, କେତେ ଟଙ୍କାରେ ନିଲାମ ନେଲା, ସେଥିରେ ଆମର କୌଣସି ସଂପୃକ୍ତି ନାହିଁ। ଯିଏ ଅଧିକ ନିଲାମ ଡାକିବ, ଆମେ ତାକୁ ମାଛ ଦେବୁ। ବାକି ନିଲାମ ଦର ଯେତିକି ହେଲା, ଟ୍ରଲର୍ ମାଲିକଠାରୁ ଅତିବେଶିରେ ତାର ୫ ଗୁଣା ଜରିମାନା ଆକାରରେ ଆଦାୟ ହେବ। ତଥାପି ୫ ଗୁଣା କି ଏହାଠାରୁ କମ୍ ଜରିମାନା ହେବ, ଏହା କଟକସ୍ଥିତ କାର୍ଯ୍ୟାଳୟ ଧାର୍ଯ୍ୟ କରିବ। ଆମେ ନିଲାମ ଅନୁସାରେ ଏହି କାର୍ଯ୍ୟାଳୟକୁ କାଗଜପତ୍ର ପଠାଇଦେଉ ବୋଲି ଶ୍ରୀ ରାଉଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/12/jYFSCH8fw1IC5rgndopi.jpg)