ଛତ୍ରପୁର : ଓଡିଆର୍‌ପି କଲୋନି ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲାଗି ପ୍ରତି କଲୋନିରେ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ଓ କଣମଣା ପଞ୍ଚାୟତ ଓଡିଆରପି କଲୋନିରେ ୨ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଲାଗି କୋଠା ନିର୍ମାଣ ସରିଛି। କୋଠା ନିର୍ମାଣର ପ୍ରାୟ ୧ ବର୍ଷ ବିତିଥିଲେ ଏ ଯାବତ୍‌ ଉକ୍ତ କୋଠାକୁ ବିଦ୍ୟୁତ ଓ ପାଣି ସଂଯୋଗ ଦିଆଯାଇନି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱୟ କାର୍ଯ୍ୟକ୍ଷମ ହୋଇପାରୁନି।

Advertisment

ଓଡି‌ଆର୍‌ପିରେ ଆର୍ଯ୍ୟପଲ୍ଲୀ ଓ କଣମଣା ପଞ୍ଚାୟତର ପ୍ରାୟ ୧ ହଜାରରୁ ଅଧିକ ପରିବାର ପାଇଁ ବିଶ୍ୱବ୍ୟାଙ୍କ୍‌ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପକ୍କା ଘର ନିର୍ମାଣ କରି ୨୦୧୭ ମସିହାରେ ହସ୍ତାନ୍ତର କରାଯାଇଛି। କଲୋନିରେ ବିଦ୍ୟାଳୟ, ଖେଳ ପଡ଼ିଆ, ପାନୀୟ ଜଳ, ବିଦ୍ୟୁତ୍‌, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ମଧ୍ୟ ନିର୍ମାଣ କରାଯାଇଛି। ଏହି ଦୁଇ ପଞ୍ଚାୟତରେ ପ୍ରାୟ ବର୍ଷ ତଳେ ୨୨ ଲକ୍ଷ ଟଙ୍କା ଲେଖାଁଏ ଅନୁଦାନରେ ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହୋଇଥିଲେ ହେଁ ତାହା କାମରେ ଲାଗିପାରୁନି। ଦୁଇ ସ୍ୱାସ୍ଥ୍ୟକେନ୍ଦ୍ର କୋଠାରେ ପାଣି ଓ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ସରିଛି। ପାଣି, ବିଜୁଳି କାହିଁକି ସଂଯୋଗ କରାଯାଉ ନାହିଁ ବୋଲି ଓଡିଆରପି କଲୋନିବାସୀ ଅଭିଯୋଗ କରିଛନ୍ତି।

ନିର୍ମାଣ ଦିନରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱୟରେ ତାଲା ଝୁଲୁଛି। ସଞ୍ଜ ନଇଁଲେ ସେଠାରେ ମଦ୍ୟପଙ୍କ ଆଡ଼ା ଜମୁଛି। କୋଠା କାର୍ଯ୍ୟକ୍ଷମ ନ ହେବାରୁ ତାହା ନଷ୍ଟ ହେବାକୁ ମଧ୍ୟ ବସିଲାଣି। ଏଥିସହ ଓଡିଆରପି କଲୋନି ପରିସରରେ ଥିବା ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ମଧ୍ୟ ତାଲା ଝୁଲୁଥିବା ନେଇ ଆର୍ଯ୍ୟପଲ୍ଲୀ କଲୋନିବାସୀ ଅଭିଯୋଗ କରିଛନ୍ତି। ସେହିପରି ଡ୍ରେନ୍‌ ନଥିବା ଯୋଗୁଁ ସାମାନ୍ୟ ବର୍ଷାରେ କଲୋନିରେ ବର୍ଷା ଜଳ ଜମି ରହୁଛି। ରାସ୍ତାରେ ବର୍ଷା ପାଣି ଜମିବା ଦ୍ୱାରା ବିଦ୍ୟୁତ୍‌ ଖୁଣ୍ଟ ଗୁଡିକ ମଧ୍ୟ ପାଣି ଘେରରେ ରହୁଛି। ଗଲା ବର୍ଷ ଲଗାଣ ବର୍ଷାରେ ଜଳ ନିଷ୍କାସନ ହୋଇ ନ ପାରି କଲୋନିବାସୀ ଜଳବନ୍ଦୀ ହୋଇ ରହିଥିଲେ। ଏ ଦିଗରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରା ଯାଉଥିଲେ ସୁଦ୍ଧା ସୁବ୍ୟବସ୍ଥା କରାଯାଉ ନାହିଁ। ସେହିପରି ଦୀର୍ଘ ଦିନ ହେଲା ନିର୍ମାଣ ହୋଇ ପଡ଼ି ରହିଥିବା କଣମଣା ପଞ୍ଚାୟତ ଓଡିଆରପି କଲୋନି ସ୍ୱାସ୍ଥ୍ୟକେନ୍ଦ୍ରରେ ପାଣି ସୁବିଧା ଲାଗି ପଞ୍ଚାୟତ ଅନୁଦାନରୁ ଏକ ଲକ୍ଷ ଟଙ୍କା ରଖାଯାଇଛି। ପାନୀୟ ଜଳର ସୁବ୍ୟବସ୍ଥା କରିବା ପରେ ଜିଲ୍ଲା ପ୍ରଶାସନ ଠାରେ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯିବ ବୋଲି କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ କହିଛନ୍ତି।