କଟକ: ଭରତପୁର ଥାନାରେ ସେନାବାହିନୀର ମେଜର ଗୁରୁବଂଶ ସିଂ ଗୋସାଲଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାରେ ହାଇକୋର୍ଟ ନିମ୍ନ ଅଦାଲତର ମାଜିଷ୍ଟ୍ରେଟ୍‌ ଓ ପୁଲିସ ଅଧିକାରୀଙ୍କ କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଏହି ମାମଲାରେ ଅଙ୍କିତାଙ୍କୁ ହାଇକୋର୍ଟ ଜାମିନ ଦେବା ସହିତ ତାଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି। ୩୦ ହଜାର ଟଙ୍କାରେ ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଅଙ୍କିତାଙ୍କୁ ଜାମିନରେ ଛାଡ଼ିବେ। ଏଥିସହିତ ନିମ୍ନ ଅଦାଲତ ଅନ୍ୟ ସର୍ତ୍ତ ଧାର୍ଯ୍ୟ କରିପାରିବେ ବୋଲି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅଙ୍କିତାଙ୍କ ଜାମିନ ଆବେଦନ ଖାରଜ କରି ୨୦୨୪, ସେପ୍ଟେମ୍ବର ୧୬ରେ ଭୁବନେଶ୍ବରସ୍ଥିତ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପ୍ରସଂଗରେ ହାଇକୋର୍ଟ କହିଛନ୍ତି ଯେ ମାଜି‌ଷ୍ଟ୍ରେଟ୍‌ ନିଜ ନ୍ୟାୟିକ ବୁଦ୍ଧି ପ୍ରୟୋଗ ନ କରି ସାଧାରଣ ଢଙ୍ଗରେ କାର୍ଯ୍ୟ କରିଛନ୍ତି। ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ବିଚାର କରିବା ବେଳେ ଏଭଳି ଛପା ଫର୍ମାଟ ଆଦେଶ ଅନୁସରଣ ନ କରିବା ପାଇଁ ସମସ୍ତ ମାଜିଷ୍ଟ୍ରେଟ୍‌ଙ୍କୁ ଅବଗତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ହାଇକୋର୍ଟ କହିଛନ୍ତି। ଏଥିସହିତ ବିଏନ୍‌ଏନ୍‌ଏସ୍‌ର ଧାରା ୩୫ରେ ଥିବା ବ୍ୟବସ୍ଥା ଅନୁସରଣ କରିବା କ୍ଷେତ୍ରରେ ଗିରଫ କରିଥିବା ପୁଲିସ ଅଧିକାରୀ ବିଫଳ ହୋଇଥିଲେ ବୋଲି ହାଇକୋର୍ଟ କହିଛନ୍ତି। ଏହା ସୁପ୍ରିମକୋର୍ଟଙ୍କ ନିୟମାବଳୀର ଉଲ୍ଲଂଘନ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ ଏହି ପ୍ରସଂଗରେ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

Advertisment

ଆଜି ହାଇକୋର୍ଟରେ ଶୁଣାଣି ସମୟରେ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ଅଭିଯୋଗ ମିଳିବା ପରେ ଏହି ମାମଲାରେ ତ୍ରୁଟି କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେତେକଙ୍କୁ ବଦଳି କରାଯାଇଛି ଓ କେତେକଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଉଚ୍ଚସ୍ତରୀୟ ପୁଲିସ ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି। ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ଘଟଣା ସମୟରେ ଭରତପୁର ଥାନା ଦାୟିତ୍ବରେ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଭଳି ପ୍ରତିଶ୍ରୁତିକୁ ହାଇକୋର୍ଟ ବିଚାରକୁ ନେଇ ପୁଲିସ ନିଷ୍ଠୁରତା ଅଭିଯୋଗକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବ ଓ ଏହି ପ୍ରସଂଗକୁ ତାର୍କିକ ନିଷ୍କର୍ଷରେ ପହଞ୍ଚାଯିବ ବୋଲି କହିଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଯୁକ୍ତ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ତାଙ୍କୁ ଓ ତାଙ୍କ ବନ୍ଧୁ ମେଜର ଗୁରୁବଂଶ ସିଂହ ଗୋସାଲଙ୍କୁ ଘଟଣା ଦିନ ରାତିରେ ଭରତପୁର ଥାନାରେ ଆକ୍ରମଣ କରାଯିବା ସହିତ ବେଆଇନ ଭାବେ ଅଟକ ରଖାଯାଇଥିଲା। ଏତଲାରେ ବିଏନ୍‌ଏସ୍‌ର ଧାରା ୧୨୬ (୨), ୧୧୫(୨), ୨୯୬, ୩୨୪(୨), ୧୧୮(୧), ୭୪, ୧୩୨, ୩୫୧(୩), ୩(୫) ନେଇ ଅଭିଯୋଗ ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ଅର୍ଣ୍ଣେସ କୁମାର ଓ ସତ୍ୟେନ୍ଦ୍ର କୁମାର ଅନ୍ତିଲଙ୍କ ରାୟ ଅନୁସାରେ ଆବେଦନକାରୀଙ୍କୁ ବିଏନ୍‌ଏସ୍‌ସର ଧାରା ୩୫(୪)(୫) ଅନୁସାରେ ଥାନାରୁ ଛାଡ଼ି ଦିଆଯିବା କଥା। କିନ୍ତୁ ବେଆଇନ ଭାବେ ଆବେଦନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ମାତ୍ର ଦୁଇ ଧାଡ଼ିଆ ଆଦେଶରେ ତାଙ୍କ ଜାମିନ ଆବେଦନ ଜେଏମ୍‌ଏଫ୍‌ସି ଅଦାଲତ ଖାରଜ କରିଥିଲେ। ପୁଲିସ ଆକ୍ରମଣରେ ଆବେଦନକାରୀ ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ବିଚାରକୁ ନିଆଯାଇ ନଥିଲା। ହାଇକୋର୍ଟଙ୍କ ସେପ୍ଟେମ୍ବର ୧୭ର ନିର୍ଦ୍ଦେଶ ପରେ ଆବେଦନକାରୀଙ୍କୁ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ବୋଲି ଦର୍ଶାଯାଇଥିଲା। ଏତଲା ଅନୁସାରେ ଆବେଦନକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି ବୋଲି ସରକାରଙ୍କ ତରଫରୁ ଏଜିଏ ବିଜୟ କୁମାର ରଗଡ଼ ଦର୍ଶାଇଥିଲେ।  

ଅନ୍ୟପକ୍ଷରେ ଭରତପୁର ଥାନାରେ ରୁଜୁ ମାମଲା ରଦ୍ଦ ପାଇଁ ଅଙ୍କିତା ଓ ମେଜର ଗୁରୁବଂଶ ସିଂହ ଗୋସାଲ ଦାୟର କରିଥିବା ପୃଥକ ମାମଲାର ହାଇକୋର୍ଟ ଆଜି ଶୁଣାଣି କରି ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ସେପ୍ଟେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାଶ ମାମଲା ପରିଚାଳନା କରୁଥିଲେ।

ବିବାଦୀୟ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ

କଟକ: ଭରତପୁର ଥାନାରେ ସେନାବାହିନୀର ମେଜର ଗୁରୁବଂଶ ସିଂହ ଗୋସାଲଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ପ୍ରସଂଗରେ ବିବାଦୀୟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ପୁଲିସ ଡିଜି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଟକ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ ଡିଜି ୱାଇ. ବି ଖୁରାନିଆ ଗଲା ୧୭ ତାରିଖରେ ଭରତପୁର ଥାନାରେ ଏଭଳି ନିର୍ଯାତନା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ୍ ଭରତପୁର ଥାନାରେ ସମସ୍ତ ପ୍ରତ୍ୟକ୍ଷଦର୍ଶୀ ଓ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ଆଜି ପୁଲିସ ଡିଜି ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଇ ସାଗରିକା ରଥ, କନଷ୍ଟେବଳ 

ବଳରାମ ହାଁସଦାଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ କମିସନରେଟ୍ ପୁଲିସ ମୁଖ୍ୟାଳୟ ଅଧୀନରେ ରହିବା ନେଇ ପୁଲିସ ଡିଜିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। 
ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଦୀନକୃଷ୍ଣ ମିଶ୍ର କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଥିବା ବେଳେ ତାଙ୍କ ବିରୋଧରେ ବଟି ମାଗିବା ଅଭିଯୋଗ ଆସିଥିଲା। ୨୦୨୨ ବାଲିଯାତ୍ରାରେ ସାଇକେଲ୍ ଷ୍ଟାଣ୍ଡ ଲିଜ୍‌ରେ ନେଇଥିବା ଭବାନୀ ଶଙ୍କର ବେଉରା ଓ ତାଙ୍କ ସାଙ୍ଗ ସ୍ମୃତି ରଂଜନ ମିଶ୍ରଙ୍କ ଠାରୁ ୫୦ ହଜାର ଟଙ୍କା ବଟି ମାଗିଥିବା ଅଭିଯୋଗ ହୋଇଛି। ଏହି ବଟି ମଗାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ତତ୍କାଳୀନ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏଭଳି ସମ୍ବେଦନଶୀଳ ଘଟଣାରେ ୨୦୨୨ ନଭେମ୍ବର ୨୧ରେ ତାଙ୍କୁ କ୍ୟାଣ୍ଟନମେଣ୍ଟ ଥାନାରୁ ହଟାଇ ଦେଇଥିଲେ। ପରେ ତାଙ୍କୁ କଟକ ଡିସିପି ଅଫିସରେ ଅବସ୍ଥାପିତ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ କଟକରୁ ଭୁବନେଶ୍ବର କମିସନରେଟ୍ ପୁଲିସକୁ ବଦଳି କରାଯାଇଥିଲା।