କଟକ: ରାଜଧାନୀ ଭରତପୁର ଥାନାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାର ଆଜି ତ୍ବରିତ ଶୁଣାଣି କରିଛନ୍ତି ହାଇକୋର୍ଟ। ଅଙ୍କିତାଙ୍କ ଜାମିନ ଆବେଦନ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଡାକ୍ତରୀ ପରୀକ୍ଷା ରିପୋର୍ଟରୁ ଅଙ୍କିତାଙ୍କୁ ମାର୍ପିଟ କରାଯାଇଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଅଙ୍କିତାଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆସନ୍ତାକାଲି (ସେପ୍ଟେମ୍ବର ୧୮) ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ମାମଲାର ତଦନ୍ତକାରୀ ଅଧିକାରୀ ଭର୍ଚୁଆଲ୍ ବ୍ୟବସ୍ଥାରେ ହାଜର ହେବେ। ଶୁଣାଣି ସମୟରେ ଅଙ୍କିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ଅଙ୍କିତାଙ୍କୁ ଏମ୍ସ ସ୍ଥାନାନ୍ତର ନିର୍ଦ୍ଦେଶ
ଆଜି ହାଜର ହେବେ ତଦନ୍ତକାରୀ ଅଧିକାରୀ
ଅଙ୍କିତାଙ୍କ ପକ୍ଷରୁ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାଖଲ କରାଯିବା ବେଳେ ମାମଲା ପରିଚାଳନା କରୁଥିବା ତାଙ୍କ ଆଇନଜୀବୀ ତ୍ବରିତ ଶୁଣାଣି ପାଇଁ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ଅଙ୍କିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ଆଜି ଅପରାହ୍ନ ୪ଟା ବେଳେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ। ଶୁଣାଣି ସମୟରେ ଅଙ୍କିତାଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଥାନା ଭିତରେ ଆକ୍ରମଣ କରାଯିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ସେ କରିଥିବା ଅଭିଯୋଗକୁ ଭରତପୁର ଥାନା ପୁଲିସ ପଞ୍ଜୀକରଣ ମଧ୍ୟ କରିନାହିଁ। ଅନ୍ୟପକ୍ଷରେ ଶୁଣାଣି ବେଳେ ପୂର୍ବ ନିର୍ଦ୍ଦେଶ ମୁତାବକ ଅଙ୍କିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଅଙ୍କିତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିବା ଏବଂ ତାଙ୍କୁ ମାରଧର କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା।
ଚିକିତ୍ସା ପାଇଁ ତାଙ୍କୁ ଉଚ୍ଚତର ସରକାରୀ ଡାକ୍ତରଖାନାକୁ ରେଫର୍ କରାଯାଇଥିବା ନେଇ ଜେଲ ଡାକ୍ତର ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏଭଳି ସ୍ଥିତିରେ ତୁରନ୍ତ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଅଙ୍କିତାଙ୍କ ପକ୍ଷରୁ ଜାମିନ ପାଇଁ ଓ ଭରତପୁର ଥାନାରେ ମାମଲା ରଦ୍ଦ ପାଇଁ ଦୁଇଟି ପୃଥକ ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୋହିତ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ସମ୍ବେଦନଶୀଳ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜି ୱାଇ.ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଡିଜିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ୍ ଭରତପୁର ଥାନାରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)