ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ନବାଙ୍କ ବେଶରେ ମହାପ୍ରଭୁ
ଶ୍ରୀମନ୍ଦିରକୁ ଗଲା ମକର ମାଳ ଓ ତାଡ଼
ଶେଷ ‌ହେଲା ପହିଲି ଭୋଗ ନୀତି

ପୁରୀ :‌ ଶ୍ରୀମନ୍ଦିରରେ ଗତକାଲି ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ସେପଟେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ବି ଗତକାଲି ଶେଷ ହୋଇଛି। କୋଭିଡ୍‌ ପାଇଁ ଦର୍ଶନ ବନ୍ଦ ରହିଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ ବି ପହିଲି ଭୋଗର ଶେଷ ଦିନରେ ହଜାର ହଜାର ଭକ୍ତ ଗତକାଲି ମହାପ୍ରସାଦ ପାଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି।

ଅନ୍ୟପଟେ ଆଜି(ଶୁକ୍ରବାର) ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି ଥିବାରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ମକର ମାଳ ଓ ମକର ତାଡ଼ ଶ୍ରୀମନ୍ଦିରକୁ ନିଆଯାଇଛି। ପ୍ରତିବର୍ଷ ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଅନୁଷ୍ଠିତ ହୋଇଥାଏ। ନବାଙ୍କ ଅବସରରେ ଶ୍ରୀମନ୍ଦିରରେ ଫୁଲ ମେଲାଣ ନୀତି ଅନୁଷ୍ଠିତ ହୋଇଥିଲା। ବଡ଼ଓଡ଼ିଆ ମଠରେ ତିନି ଠାକୁରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଫୁଲ, ତୁଳସୀ ଆଦିରେ ପ୍ରସ୍ତୁତ ତିନୋଟି ବଡ଼ ମାଳକୁ ଶ୍ରୀମନ୍ଦିର ନିଆଯାଇଥିଲା। ମାଳିମାନେ ବାଘମୁହାଁ ବାନ୍ଧି ମାଳ, ଚୁଳ, ଜଳକବରମାନ ଘେନି ପଟୁଆରରେ ଘଣ୍ଟ, ଛତା, କାହାଳି ଆଦି ସହ ବଡ଼ଦେଉଳକୁ ଯାଇଥିଲେ। ବଡ଼ଦେଉଳ ବେଢ଼ା ପ୍ରଦକ୍ଷଣ କରି ବେହରଣ ଦ୍ବାରଠାରେ ମହାପ୍ରଭୁଙ୍କ ବେଶ ପାଇଁ ପାଳିଆ ଖୁଣ୍ଟିଆଙ୍କୁ ମାଳ, ଚୁଳ ଆଦି ଦେଇଥିଲେ। ସଂଧ୍ୟା ଆଳତି ବେଶରେ ଏହି ମାଳ ତିନି ଠାକୁରଙ୍କୁ ଲାଗି ହୋଇଥିଲା।

ସମ୍ବନ୍ଧିତ ଖବର