ପୁରୀ : ମକରା ନଦୀର ଘାଇ ଏବେ ପୁରୀ ଜିଲ୍ଲା କଣାସ ବ୍ଲକ୍‌କୁ ଜଳାର୍ଣ୍ଣବ କରି ରଖିଛି। ଲୋକେ ୭ ଦିନ ହେଲାଣି ଜଳବନ୍ଦି ଜୀବନ କାଟୁଛନ୍ତି। କାହା ଘରେ ଛାତିଏ ପାଣି ତ କାହା ଘରେ ଅଣ୍ଟାଏ ପାଣି ପଶିଛି। ‌ଅଖିଆଅପିଆରେ ଅଧିକାଂଶଙ୍କ ଦିନ କଟୁଛି। ଛୋଟପିଲା, ମହିଳା, ଗର୍ଭବତୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ତେବେ, କଣାସରେ କାହିଁକି ମାଡ଼ି ଆସିଲା ଏହି ବିପତ୍ତି? ଯେଉଁ ଲୋକେ ଏଭଳି ବନ୍ୟା ସମ୍ପର୍କରେ କେବେ ବି ଭାବିନଥିଲେ, ସେମାନେ କାହିଁକି ଏଭଳି ଦୁର୍ବିସହ ଜୀବନ କାଟୁଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ବନ୍ୟା ପ୍ରପୀଡ଼ିତଙ୍କୁ ଆନ୍ଦୋଳିତ କରୁଛି। କାରଣ ଖୋଜୁ ଖୋଜୁ ଏହାପଛରେ ତିନି ସରକାରୀ ବିଭାଗର କଳି ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ଏହି ରାସ୍ତାକୁ ନେଇ କିଛିଦିନ ତଳେ ଟେଣ୍ଡର ପାଇଁ ଭିଡ଼ାଭିଡ଼ି ଓ ବିଭାଗୀୟ ଅବହେଳା ଏତେ ବଡ଼ ଘାଇର ପ୍ରମୁଖ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯଦି ଅଭିଯୋଗ ପାଇବା ପରେ କୌଣସି ଅଧିକାରୀ ପହଞ୍ଚି ତ୍ବରିତ୍‌ ପ୍ରତିକାର କରିଥାନ୍ତେ, ‌ସ୍ଥିତି ଏପରି ସମସ୍ୟା ସୃଷ୍ଟି ହୋଇନଥା’ନ୍ତା ବୋଲି କହିଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ମକରା ନଦୀବନ୍ଧ ଜଳସମ୍ପଦ ବିଭାଗର। ଏହା ଚୁପୁରିଙ୍ଗ ଛକରୁ ଏକାଧିକ ପଞ୍ଚାୟତକୁ ସଂଯୋଗ କରୁଛି। ଏହି ରାସ୍ତା ଖରାପ ଥିବାରୁ କିଛିମାସ ତଳେ ଜଳସମ୍ପଦ ବିଭାଗ ରାସ୍ତା ମରାମତି ପାଇଁ ପ୍ରାୟ ୬ କୋଟି ଟଙ୍କାର ଟେଣ୍ଡର କରିଥିଲା। ଟେଣ୍ଡର ବି ଆହ୍ବାନ ହୋଇସାରିଥିଲା। ଠିକ୍‌ ଏହିସମୟରେ ପୁଣିଥରେ ଏହି ନଦୀବନ୍ଧର ସମାନ ରାସ୍ତାର ପୁନରୁଦ୍ଧାର ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ବି ଟେଣ୍ଡର ଆହ୍ବାନ କରିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତାକୁ ଅନ୍ତର୍ଭୁକ୍ତ କରିବା ସହ ୭ କୋଟି ଟଙ୍କାର ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ଚଞ୍ଚକତା ଜଣାପଡ଼ିବା ଓ ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଶେଷରେ ଜଳସମ୍ପଦ ବିଭାଗର ଟେଣ୍ଡର ବାତିଲ୍ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ; ଯେହେତୁ ଜଳସମ୍ପଦ ବିଭାଗର ଟେଣ୍ଡର ବାତିଲ୍‌ କରି ଦିଆଗଲା, ତେଣୁ ଏହି ରାସ୍ତାକୁ ଜଳସମ୍ପଦ ବିଭାଗ ସେତେଟା ଗୁରୁତ୍ବ ଦେଇନଥିଲା। ଯେଉଁ ସ୍ଥାନରେ ଘାଇ ହୋଇଛି, ସେହି ସ୍ଥାନରେ ବନ୍ଧ ଫଟାଇ ଉଠା ଜଳସେଚନ ବିଭାଗ ଜଳସେଚନ ପ୍ରକଳ୍ପ ପାଇଁ ପାଇପ ପକାଇଥିଲେ ବି ବିଭାଗୀୟ ଅଧିକାରୀମାନେ ମୁହଁ ଖୋଲିନଥିଲେ କି ଏହାକୁ ବନ୍ଦ କରି ନଥିଲେ। ଫଳରେ ଏହିଠାରେ ନଦୀବନ୍ଧର ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା।

ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ନେବାପରେ ନିକଟରେ ରାସ୍ତାକୁ ଖୋଳି ଦେଇଥିଲା। ବର୍ଷାରେ ଯେଉଁ ସମୟରେ ନଦୀବନ୍ଧ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲା, ସେ ସମୟରେ ରାସ୍ତା ଖୋଳି ଦିଆଯାଇଥିଲା। ଫଳରେ ରାସ୍ତା ଦୁର୍ବଳ ଥିଲା। ରାସ୍ତା କାମ ଚାଲିଥିଲେ ବି ଉଠା ଜଳସେଚନ ବିଭାଗର ଘଳିଆକୁ ନଜର ଦେଇନଥିଲା। ଦୟା ନଦୀ ଦେଇ ମକରା ନଦୀରେ ଯେତେବେଳେ ବନ୍ୟାପାଣି ପଶିଲା, ସେ ସମୟରେ ଉଠା ଜଳସେଚନ ବିଭାଗ ଖୋଳିଥିବା ବାଟ ଦେଇ ବନ୍ୟାଜଳ ଗହୀରକୁ ପଶିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପ୍ରଥମେ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ତୁରନ୍ତ ମରାମତି ନ କଲେ ଏହା ବଡ଼ ବିପଦ ଆଣିବ ବୋଲି ବି ଚେତାଇ ଦେଇଥିଲେ। କିନ୍ତୁ, ଜଳସମ୍ପଦ ବିଭାଗର କୌଣସି ଯନ୍ତ୍ରୀ କିମ୍ବା ପଦସ୍ଥ ଅଧିକାରୀ ଘଟଣାସ୍ଥଳକୁ ଆସିଲେନି କି ଲୋକଙ୍କ କଥାକୁ ଗୁରୁତ୍ବ ଦେଲେନାହିଁ। ଗାଁ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ପଦସ୍ଥ ଅଧିକାରୀଙ୍କୁ ବି ଖବର ଦେଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ଅଧିକାରୀ ବି ପହଞ୍ଚିଲେନି। ଫଳରେ ଯେଉଁଠି ଉଠାଜଳସେଚନ ପ୍ରକଳ୍ପ ପାଇଁ ବନ୍ଧ ଫଟାଇ ମକରା ନଈକୁ ପାଇପ୍‌ ପକାଯାଇଥିଲା , ସେଠାରେ ଘଳିଆ ସୃଷ୍ଟି କରି ବନ୍ୟାଜଳ ପଶିଥିଲା। ତାହା କ୍ରମେ ବିରାଟ ରୂପ ନେଇଥିଲା। କ୍ରମେ ଏହି ଘଳିଆ ଶହେ ଫୁଟର ଘାଇ ସୃଷ୍ଟି କରି ଗାଁ ଗଣ୍ଡାକୁ ବୁଡ଼ାଇ ଦେଇଥିଲା। ଯେଉଁଥିପାଇଁ କଣାସ ଅଞ୍ଚଳର ହଜାର ହଜାର ଲୋକ ‌ଏବେ ବନ୍ୟାଜଳ ଘେରରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଏହି ଘାଇ ପଛରେ ଯେଉଁ ବିଭାଗୀୟ ଅଧିକାରୀମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।