ରାୟଗଡ଼ା: ୨୦୧୯ ନିର୍ବାଚନରେ ବିରୋଧ କରିଥିଲେ। କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କୁ ସମର୍ଥନ କରି ଜିତାଇଥିଲେ। କିନ୍ତୁ ନିର୍ବାଚନର ୨ ବର୍ଷ ପରେ ମୋହ ଭଙ୍ଗ ଯୋଗୁ ଘର ବାହୁଡ଼ା ହୋଇ ପୁଣି କଂଗ୍ରେସକୁ ଫେରିଛନ୍ତି କାଶୀପୁରର ଶତାଧିକ କର୍ମୀ। ଦଳକୁ ଫେରିଥିବା କର୍ମୀଙ୍କୁ କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା ଫୁଲତୋଡ଼ା, ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି। ଏଥି ସହ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ଟିକିରି ଜୋନ୍ ସଭାପତି ସାନ୍ଧୁ ମାଝି, ଅଡ଼ାଜର ଜୋନ୍ ସଭାପତି ଗଜେନ୍ଦ୍ର ନାୟକଙ୍କ ଉପରୁ ସାଂସଦ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଥିବା ଘୋଷଣା କରିଛନ୍ତି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ ଜିଲ୍ଲା କଂଗ୍ରେସ ଆରମ୍ଭ କରିଛି ଘର ବାହୁଡ଼ା ଅଭିଯାନ। ସାଧାରଣ ଓ ପଞ୍ଚାୟତ ନିର୍ବାଚନରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ନେତା/କର୍ମୀଙ୍କୁ ଫେରାଇ ଆଣିବାକୁ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନର ମଙ୍ଗ ଧରିଛନ୍ତି ସାଂସଦ ସପ୍ତଗିରି। ଆଜି ରାୟଗଡ଼ା ଲାୟନସ୍ କ୍ଲବରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସ୍ବାଧୀନ ବିଧାୟକ ମକରନ୍ଦଙ୍କୁ ସମର୍ଥନ କରୁଥିବା କାଶୀପୁର ବ୍ଲକର ୪ ଶହରୁ ଉର୍ଧ୍ବ କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି। ବିଧାୟକ ମକରନ୍ଦ ଓ ତାଙ୍କ ପରାମର୍ଶଦାତା କୃଷ୍ଣ ମହାପାତ୍ର ନିର୍ବାଚନୀ ଜିତିବା ପରଠୁ ବିକାଶ ପ୍ରକ୍ରିୟାରୁ ଦୂରେଇ ଯାଇ ବିଜେଡ଼ି ସହ ସଲା ସୁତୁରାରେ ଥିବାରୁ କଂଗ୍ରେସ ହିଁ ଆମ ପାଇଁ ସୁରକ୍ଷିତ ବୋଲି ବହୁ ନେତା ଓ କର୍ମୀ ପ୍ରକାଶ କରିଛନ୍ତି। ଏପରିକି କଂଗ୍ରେସକୁ ବିରୋଧ କରି ମକରନ୍ଦଙ୍କୁ ସମର୍ଥନ କରିଥିବା କାଶୀପୁରର ଦୁଇ ଟାଣୁଆ ନେତା ସାନ୍ଧୁ ଓ ଗଜେନ୍ଦ୍ର ମିଶ୍ରଣ ପର୍ବରେ ମକରନ୍ଦ ଓ କୃଷ୍ଣ ମହାପାତ୍ରଙ୍କ କାର୍ଯ୍ୟ କଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମକରନ୍ଦ ଓ କୃଷ୍ଣ ମହାପାତ୍ରଙ୍କୁ ବିରୋଧ କରି ୪ ଶହରୁ ଉର୍ଧ୍ବ ସମର୍ଥକ ଦଳ ଛାଡ଼ିବା ବିଧାୟକଙ୍କ ପାଇଁ ଶକ୍ତ ଧକ୍କା ସଦୃଶ୍ୟ ହୋଇଛି। ଶତାଧିକ କର୍ମୀ କଂଗ୍ରେସକୁ ଫେରିବା ପରେ ବିଜେଡ଼ିର ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ୧ ନଂ ହେବା ସହିତ ୩ ନିର୍ବାଚନ ମଣ୍ଡଳୀରେ ପୁଣି କ୍ଷମତାକୁ ଫେରିବ ବୋଲି କହିଛନ୍ତି ସପ୍ତଗିରି।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ମକରନ୍ଦ କଂଗ୍ରେସ ଟିକେଟରୁ ବଞ୍ଚିତ ହେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ମକରନ୍ଦ କାଶୀପୁର ବାସିନ୍ଦା ହୋଇଥିବାରୁ ଦଳ ମତ ନିର୍ବିଶେଷରେ ମକରନ୍ଦଙ୍କୁ ସମର୍ଥନ ମିଳିଥିଲା। ଯେଉଁଥି ପାଇଁ ବିଜେଡ଼ିର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ୪୮୭୦ ଭୋଟରେ ପରାଜିତ ହୋଇଥିଲେ। ମକରନ୍ଦ ୫୨୮୪୪ ଭୋଟ ପାଇଥିବା ବେଳେ ହିମିରିକା ୪୭୯୭୪, କଂଗ୍ରେସ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରକା ୩୯୬୫୭ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସର ଦୃଢ଼ ସମର୍ଥକ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ମକରନ୍ଦ ଦଳ ଛାଡ଼ି ସ୍ବାଧୀନ ଭାବେ ଲଢ଼ିବା ପରେ ବହୁ କଂଗ୍ରେସ କର୍ମୀ ହିଁ ମକରନ୍ଦଙ୍କୁ ନିର୍ବାଚନ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ନିର୍ବାଚନ ପରେ ନିଜ ଭୁଲ୍ ବୁଝିପାରି ପୁଣି କଂଗ୍ରେସ ମୁହାଁ ହୋଇଛନ୍ତି। ମିଶ୍ରଣ ପର୍ବରେ ରାଜ୍ୟ କଂଗ୍ରେସ ଉପସଭାନେତ୍ରୀ ରତ୍ନମଣି ଉଲାକା, ରାଜ୍ୟ ସଂପାଦକ ସୀମାଞ୍ଚଳଗିରି ଉଲାକା, ବିଧାୟକ ପ୍ରାର୍ଥୀ ଆପଲସ୍ବାମୀ କାଡ୍ରକା, ଜିଲ୍ଲା ଉପସଭାପତି ଝୁନା ପଣ୍ଡା, ଶଙ୍କର୍ଷଣ ମଙ୍ଗରାଜ, ଜଗନ୍ନାଥ ପଣ୍ଡା, କାଶୀପୁର ବ୍ଲକ୍ କଂଗ୍ରେସ ସଭାପତି ଅଙ୍ଗଦ ନାୟକ, ଜିଲ୍ଲା କଂଗ୍ରେସ ସଂପାଦିକା ମାନିନୀ ମାଝି, ସାଧାରଣ ସଂପାଦକ ପାର୍ଥବର୍ଧନ, ଜୀବିତେଶ୍ବର ରାଓ, ଏସସି ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଦୁରିଆ, ସେବା ଦଳ ଅଧ୍ୟକ୍ଷ ଅନୀଲ ଜୈନ୍, କୃଷକ ସେଲ୍ ରାଜ୍ୟ ସାଧାରଣ ସଂପାଦକ ପି. ଦେବେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/RGD_Congress-Misrana-Parba.jpg)