ରାଜ୍ୟ ଅର୍ଥନୀତିର ପୁନରୁଦ୍ଧାର ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରନ୍ତୁ ମୁଖ୍ୟମନ୍ତ୍ରୀ: ପିସିସି ସଭାପତି

ଭୁବନେଶ୍ବର: ଓଡ଼ିଶା ଅର୍ଥନୀତିର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରନ୍ତୁ। ତାଲାବନ୍ଦର ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧିକୁ ପୂର୍ବ ଅବସ୍ଥାକୁ ଫେରାଇବା ପାଇଁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଉ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛନ୍ତି। ଏହାସହିତ ଗଞ୍ଜାମର ସ୍ଥିତି ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ, ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଉପାଦେୟତା ରହିଛି। ଏଥିପାଇଁ ସେ ଉଭୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସାରା ଦେଶ ପାଇଁ ଗୋଟିଏ ଷ୍ଟାଣ୍ଡାର୍ଡ଼୍‌ ଅପରେଟିଂ ପ୍ରୋସେଜିଓର ଓ ସଂକ୍ରମିତ ଅଞ୍ଚଳକୁ ରେଡ୍‌, ଅରେଞ୍ଜ୍‌ ଓ ଗ୍ରିନ୍‌ ଜୋନ୍‌ରେ ବିଭକ୍ତ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏସ୍‌ଓପି ପ୍ରସ୍ତୁତ କଲାବେଳେ ଓଡ଼ିଶାର ସ୍ଥିତିକୁ ଦେଖିବା ଦରକାର। ଯଦି ତାହା କରା ନଯିବ ଭବିଷ୍ୟତରେ ଏଥିପାଇଁ ଆମକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଓ ଅବସ୍ଥା ଅସମ୍ଭାଳ ହୋଇଯିବ। ଗଞ୍ଜାମ ଜିଲ୍ଲାରେ ଗମ୍ଭୀର ସ୍ଥିତି ହୋଇଛି। ଆଗାମୀ ଦିନରେ ବଲାଙ୍ଗୀରକୁ ୧ ଲକ୍ଷ ଲୋକ ଫେରିବା ନେଇ ପଞ୍ଜୀକୃତ କରିଛନ୍ତି। ଅନ୍ୟ ଜିଲ୍ଲା ଭିତରୁ ଯେଉଁଗୁଡ଼ିକ ଅଧିକ ସଂକ୍ରମିତ ହୋଇଛନ୍ତି କିମ୍ବା ହେବାର ସମ୍ଭାବନା ଅଛି, ସେସବୁ ଜିଲ୍ଲା ପାଇଁ ଅଧିକ ସତର୍କତା ପଦକ୍ଷେପ ନେବାକୁ ପଡ଼ିବ। ସରକାର ତୁରନ୍ତ ପଦକ୍ଷେପ ନ ନେଲେ ପରିସ୍ଥିତି ଭୟାବହ ହେବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇଦେଇଥିଲେ।

ସମ୍ବନ୍ଧିତ ଖବର