ଭୁବନେଶ୍ବର: ଓଡ଼ିଶାରେ ପ୍ରବାହିତ ଅଧିକାଂଶ ନଦୀର ଜଳ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ପ୍ରଦୂଷଣର ମାତ୍ରା ଶୀର୍ଷ ସ୍ତରରେ ପହଞ୍ଚିଛି। ତା’ସତ୍ତ୍ବେ କେତେକ ସ୍ଥାନରେ ପ୍ରଦୂଷିତ ଜଳକୁ ଲୋକେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି। କିଛି ସ୍ଥାନରେ ନଦୀ ପାଣିକୁ ପାନୀୟ ଜଳ ଭାବେ ମଧ୍ୟ ବ୍ୟବହାର ହେଉଛି। ପରିଣାମ ସ୍ବରୂପ ଦୟା ନଦୀ ପାଣି ପିଇ ଲୋକେ ହଇଜାରେ ଆକ୍ରାନ୍ତ ହେଉଛନ୍ତି। ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସମସ୍ତ ନଦୀକୁ ପ୍ରଦୂଷଣମୁକ୍ତ କରିବାକୁ ଦାବି ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, ଚିଲିକା ବଞ୍ଚାଅ ଅଭିଯାନ, ନିର୍ମଳ ଦୟା, ଓଡ଼ିଶା ନଦୀ ସୁରକ୍ଷା ସମିତି, ଓଡ଼ିଶା ପରିବେଶ ସମିତି ପରି ସଙ୍ଗଠନର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦୟା, ଗଙ୍ଗୁଆ, ମହାନଦୀ ଓ ଚିଲିକା ସୁରକ୍ଷା ବିଷୟରେ ଆଲୋଚନା କରିବା ସହ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ପ୍ରତିନିଧି ଦଳ ଦର୍ଶାଇଛନ୍ତି ଯେ ଦୟା ନଦୀ ପାଣିର ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି। ଏହାଦ୍ବାରା ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ହଇଜା ବ୍ୟାପିବା ସହ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ୭ ଜଣଙ୍କର ମୃତ୍ୟୁ ହେବା ଅତ୍ୟନ୍ତ  ଉଦ୍‌ବେଗର ବିଷୟ। ଭୁବନେଶ୍ବର ଦେଇ ପ୍ରବାହିତ ଗଙ୍ଗୁଆର ପାଣି ଦୟା ନଦୀକୁ ପ୍ରଦୂଷିତ କରୁଛି, ଯାହାକି ପରବର୍ତ୍ତୀ ସମୟରେ ଚିଲିକାକୁ ପ୍ରଦୂଷିତ କରୁଛି। ତେଣୁ ଗଙ୍ଗୁଆ, ଦୟାକୁ ପ୍ରଦୂଷଣ ମୁକ୍ତ କରିବା ସହ ଦୟା ଓ ଏହାର ଶାଖା ନଦୀ ଯଥା-ମକରା, ରାଜୁଆ, ଲୁଣା ଆଦିର ପୁନରୁଦ୍ଧାର, ଜବରଦଖଲ ମୁକ୍ତ, ଦଳ ନିଷ୍କାସନ ଓ ମାଛ ଧରିବାକୁ ବେଆଇନ ବସା/ଘେରି ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯାଉ। ଦୟା ଓ ଚିଲିକା ମୁହାଣ ଖନନ କରାଯିବା ସହ ବଡ଼ଗୋଠରେ ଥିବା ତ୍ରିବେଣୀ ସଙ୍ଗମର ପୁନରୁଦ୍ଧାର କରାଯାଉ। ଦୟା ନଦୀ କୂଳରେ ଥିବା ୨୦୦ରୁ ଅଧିକ ଗ୍ରାମ ବର୍ତ୍ତମାନ ପାନୀୟ ଜଳ ସଙ୍କଟର ସାମ୍ନା କରୁଛନ୍ତି। ସେମାନଙ୍କ ପାଇଁ ଯଥାଶୀଘ୍ର ବିକଳ୍ପ ପାନୀୟ ଜଳ ବ୍ୟବସ୍ଥା କରିବାକୁ ପ୍ରତିନିଧି ମଣ୍ଡଳୀ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନଦୀ ସଙ୍ଗଠନ
ଗଙ୍ଗୁଆକୁ ନଦୀର ମାନ୍ୟତା ଦିଆଯାଉ
ମହାନଦୀ ଜଳ ବିବାଦର ସମାଧାନ ହେଉ

ସହର, ଜନବସତି, ଡାକ୍ତରଖାନା ଓ ଶିଳ୍ପ ସଂସ୍ଥାରୁ ବାହାରୁ ଥିବା ବର୍ଜ୍ୟ ନଦୀକୁ ସିଧାସଳଖ ଛଡ଼ାଯିବା ଦ୍ବାରା ନଦୀଗୁଡିକ ପ୍ରଦୂଷିତ ହେଉଛି। ଏହାକୁ ବନ୍ଦ କରାଯିବା ସହିତ ଯେଉଁମାନେ ଏହାର ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପୌରାଣିକ, ଐତିହାସିକ ତଥ୍ୟ ଓ ପ୍ରଶାସନିକ ଦସ୍ତାବିଜ୍‌ରେ ଗଙ୍ଗୁଆ ‘ଏକାମ୍ର ଗଙ୍ଗା’ ବା ଗନ୍ଧବତୀ/ଗଙ୍ଗବତୀ ନଦୀ ଭାବେ ଉଲ୍ଲେଖ ରହିଛି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଏବେ ସରକାରୀ ଦସ୍ତାବିଜ୍‌ରେ ଏହାକୁ ଗଙ୍ଗୁଆ ନାଳ ଭାବେ ଦର୍ଶାଯାଇଛି। ତେଣୁ ଗଙ୍ଗୁଆର ପୁନରୁଦ୍ଧାର ଦିଗରେ ପଦକ୍ଷେପ ସହିତ ଏହାକୁ ତୁରନ୍ତ ନଦୀର ମାନ୍ୟତା ଦେବାକୁ ସେମାନେ ଦାବି ରଖିଛନ୍ତି। ସେହିପରି ଏସିଆର ଦ୍ବିତୀୟ ବୃହତ୍ତମ ହ୍ରଦ ‘ଚିଲିକା’ କ୍ରମଶଃ ପ୍ରଦୂଷିତ ଓ ସଙ୍କୁଚିତ ହେବାରେ ଲାଗିଛି। ୧୧୦୦ ବର୍ଗ କିମିରୁ ସଙ୍କୁଚିତ ହୋଇ ୭୫୦ ବର୍ଗ କିମିରେ ପହଞ୍ଚିଲାଣି। ରାମସାର କ୍ଷେତ୍ର ହିସାବରେ ଅନ୍ତର୍ଜାତୀୟ ମାନ୍ୟତା ପାଇଥିବା ଏହି ହ୍ରଦର ସୁରକ୍ଷା ଏବେ ଅତ୍ୟନ୍ତ ଜରୁରି ହୋଇପଡ଼ିଛି। ସାଗରମାଳା ପ୍ରକଳ୍ପ ଅଧୀନରେ ଚିଲିକା ଉପରେ ଯଦି ଉପକୂଳ ଜାତୀୟ ରାଜପଥ ନିର୍ମାଣ କରାଯାଏ, ତେବେ ଚିଲିକାର ଜୈବ ବିବିଧତା ଓ ପର୍ଯ୍ୟାବରଣ ଉପରେ ଗଭୀର ପ୍ରଭାବ ପଡ଼ିବ। ତେଣୁ ପରିବେଶବିତ୍‌ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ଏବଂ ବିକଳ୍ପ ଭାବେ ଗୋପାଳପୁରରୁ ରମ୍ଭା, ବାଲୁଗାଁ, ଭୂଷଣ୍ଡପୁର ଦେଇ ଜାଗୁଳେଇପଦରରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ନିଆଗଲେ ଚିଲିକାର କୌଣସି କ୍ଷତି ହେବ ନାହିଁ ବୋଲି ପ୍ରତିନିଧି ଦଳ କହିଛନ୍ତି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ବିକଳ୍ପ ରାସ୍ତା ଆପଣାଇବା ଦରକାର। କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଥିବା ବେଳେ ଛତିଶଗଡ଼ ଓ ଓଡ଼ିଶାରେ ମଧ୍ୟ ସେହି ଦଳର ସରକାର ରହିଛି। ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ବିକଳ୍ପ ସମାଧାନର ପନ୍ଥା ଆପଣେଇବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ‘ନଦୀ ନୀତି’ ପ୍ରଣୟନ ସହ ନଦୀଗୁଡ଼ିକର ପୁନରୁଦ୍ଧାର ପାଇଁ ‘ନଦୀ ମିସନ୍‌’ ଗଠନ, ନଦୀଗୁଡ଼ିକର ସାରଣୀ ପ୍ରକାଶ, ବିଭିନ୍ନ ନଦୀ ଶଯ୍ୟା ଓ ପଠାଜମି ଜବରଦଖଲ ମୁକ୍ତ କରିବା, ପ୍ରତି ନଦୀର ଜମିକୁ ଚିହ୍ନଟ କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରତିନିଧି ଦଳଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ପଦକ୍ଷପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିନିଧି ଦଳରେ କୃଷ୍ଣଚନ୍ଦ୍ର ଜଗଦେବ, ସୁଦର୍ଶନ ଦାସ, ସଚିକାନ୍ତ ପ୍ରଧାନ, ଅଶୋକ ପ୍ରଧାନ, ଜୟକୃଷ୍ଣ ପାଣିଗ୍ରାହୀ, ବିଜୟ କୁମାର ପ୍ରଧାନ, ପ୍ରସନ୍ନ ବିଷୋଇ, ଆଦିକନ୍ଦ ଶ୍ରୀଚନ୍ଦନ ପ୍ରମୁଖ ସାମିଲ ହୋଇଥିଲେ।