ଡ୍ରେନ୍‌ ସଫା ସହିତ ମଶା ମାରିବା ନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କର

୫ ମହାନଗର ନିଗମକୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ମୌସୁମୀ ଓ ଏହାର ପରବର୍ତୀ ସମୟରେ ଡେଙ୍ଗୁ, ଚିକିନଗୁନିଆ, ମ୍ୟାଲେରିଆ ଭଳି ରୋଗ ବ୍ୟାପିଥାଏ। ତେଣୁ ଡ୍ରେନ୍‌ ଓ ଅଳିଆ ଅବର୍ଜନାକୁ ତୁରନ୍ତ ହଟାଇବା ସହିତ ମଶାମରା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉ। ଏହି କାର୍ଯ୍ୟ କିଭଳି ଠିକଣା ଢଙ୍ଗରେ ଚାଲିବ ସେଥିପାଇଁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା ଲାଗି କୁହାଯାଇଛି। ଆଜି ଏ ସଂକ୍ରାନ୍ତରେ ରାଜ୍ୟର ୫ ମହାନଗର ନିଗମ ଓ ପୁରୀ ମ୍ୟୁନିସିପାଲଟିକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଜାରି ହୋଇଛି। ତେବେ ମହାନଗର ନିଗମମାନଙ୍କୁ ଏହି ଚିଠି ନୂଆ ନୁହେଁ। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ରାଜ୍ୟରେ ମଶା ନିୟନ୍ତ୍ରଣ ନେଇ ସବୁ ଜିଲ୍ଲା ଓ ମହାନଗରକୁ ଚିଠି ଲେଖିଥିଲେ ବି ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ।

ରାଜ୍ୟରେ ଡେଙ୍ଗୁସ୍ଥିତି ଚିନ୍ତାଜନକ ରହିଛି। ବିଶେଷକରି ଭୁବନେଶ୍ବର ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ସେହିପରି ରାଜ୍ୟରେ ଫାଇଲେରିଆସ୍ଥିତି ମଧ୍ୟ ସଂଗୀନ ରହିଛି। ଜାତୀୟ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ୬୭ବର୍ଷରେ ମାତ୍ର ୬ଟି ଜିଲ୍ଲା ଫାଇଲେରିଆ ମୁକ୍ତ ହୋଇପାରିଛନ୍ତି। ରାଜ୍ୟରେ ଫାଇଲେରିଆ ନିୟନ୍ତ୍ରଣ ନ ହେବା ପଛରେ ମୁଖ୍ୟ କାରଣ ହେଉଛି ମାଶା ନିୟନ୍ତ୍ରଣରେ ବିଫଳତା। ମଶା ନିୟନ୍ତ୍ରଣ ଲାଗି ସ୍ବାସ୍ଥ୍ୟ ବିଭାଗ ସହିତ ନଗର ଉନ୍ନୟନ ବିଭାଗର ବଡ଼ ଭୂମିକା ରହିଛି। ମାତ୍ର ଦୁଇ ବିଭାଗର ସମନ୍ବୟ ଅଭାବରୁ ମଶାମରା କାର୍ଯ୍ୟକୁ ସଫଳତା ମିଳୁନାହିଁ। ବର୍ଷ ବର୍ଷ ଧରି ଧର୍ମକୁ ଆଖିଠାର ଭଳି କାଁ ଭାଁ ମଶା ଧୂଆଁ କିମ୍ବା ମଶାମରା ତେଲ ପକାଯାଉଛି। ଫଳରେ ମଶା ସ୍ଥିତିରେ ବିଶେଷ ପରିବର୍ତ୍ତନ ଆସୁନାହିଁ।

ସମ୍ବନ୍ଧିତ ଖବର