ପାର୍ସଲ ବୋମା ବିସ୍ଫୋରଣ ଚଳଚ୍ଚିତ୍ର ନିର୍ମା‌ଣ ପ୍ରସଙ୍ଗ : ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ, ସେନ୍‌ସର ବୋର୍ଡ ନିକଟରେ ଆପତ୍ତି ରଖିବାକୁ ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ଚଳଚ୍ଚିତ୍ର ମାମଲାର ଶୁଣାଣିରେ ହାଇକୋର୍ଟ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ ନେଇ ଆପତ୍ତି ଉଠାଇଥିବା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ସେନ୍‌ସର ବୋର୍ଡ ନିକଟରେ ଆପତ୍ତି ରଖିବେ ଏବଂ ସେନ୍‌ସର୍ ବୋର୍ଡ ଶ୍ରୀମତୀ ମେହେରଙ୍କୁ ଏହି ପ୍ରସଂଗରେ ପକ୍ଷ ରଖିବାକୁ ସୁଯୋଗ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ଶ୍ରୀମତୀ ମେହେରଙ୍କ ଆପତ୍ତି ଶୁଣିବା ପରେ ଏହି ଚଳଚ୍ଚିତ୍ର ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ରକୁ ବିରୋଧରେ କରି ଶ୍ରୀମତୀ ମେହେରଙ୍କ ପକ୍ଷରୁ ଦାୟର ଆବେଦନର ଆଜି ଶୁଣାଣି କରିଥିଲେ।

ମାମଲାର ଶୁଣାଣି ସମୟରେ ଚଳଚ୍ଚିତ୍ର ‌ପ୍ରଯୋଜକ ଓ ଓଡ଼ିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ୍ ନିଜ ପକ୍ଷ ରଖିଥିଲେ। ଚଳଚ୍ଚିତ୍ର ନିର୍ମାତାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ଏକପ୍ରକାର ଶେଷ ହୋଇଛି। ଏପରି ପରିସ୍ଥିତିରେ ସେନସର୍ ବୋର୍ଡ ନିକଟରେ ନିଜ ଆପତ୍ତି ରଖିବାକୁ ଆବେଦନକାରୀଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ରେଞ୍ଜ ରୟାଲ ସିନେ ଲାବ୍‌ ପକ୍ଷରୁ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଶୀଧର ମାର୍ଥା ହୋଇଥିବାବେଳେ ନିର୍ଦ୍ଦେଶନା ଦା‌ୟିତ୍ବ ନେଇଥିଲେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭର‌୍‌। କାହାଣୀରେ ପୁଞ୍ଜିଲାଲ ଚରିତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତାଙ୍କୁ ଦେଖିବାକୁ ମିଳିବ ‌ବୋଲି ଚର୍ଚ୍ଚା ହୋଇଥିଲା। ପରବର୍ତ୍ତୀ ସମୟରେ ପାର୍ସଲ ବୋମା ବିସ୍ପୋରଣରେ ପ୍ରାଣ ହରାଇଥିବା ସୌମ୍ୟଶେଖରଙ୍କ ପରିବାର ପକ୍ଷରୁ ମଧ୍ୟ ଏପରି ଚଳଚ୍ଚିତ୍ର ନିର୍ମାଣକୁ ବିରୋଧ କରାଯାଇଥିଲା।

ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ଏହି ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯିବା ଗ୍ରହଣୀୟ ନୁହେଁ। ଏହାଦ୍ବାରା ମାମଲାର ଶୁଣାଣି ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର