ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ଆଜି ୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ବଲାଙ୍ଗୀର ଜିଲ୍ଲାର ୧୦୦ଟି ହାଇସ୍କୁଲ, ସମ୍ବଲପୁରର ୬୧ଟି, ପୁରୀର ୫୩ଟି, କେନ୍ଦ୍ରାପଡ଼ାର ୫୬ଟି ହାଇସ୍କୁଲ ଓ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲ ରହିଛି। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ଦୁଇ ଦିନରେ ସମୁଦାୟ ୬୮୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ୩ଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।
ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହ ଆଭାସୀ ଜରିଆରେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ୫-ଟିର ଉପଯୋଗ ସଂପର୍କରେ ବୁଝାଇ ସମୟ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ସମୟର ଉପଯୋଗ ଠିକ୍ ଭାବେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବ। ବର୍ତ୍ତମାନର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ। ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢ଼ିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍ ୱାର୍କ ଅତି ଜରୁରୀ। ସେହିପରି ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଇଥାଏ। ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା। ୫-ଟି ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ ନିଜ ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ।
୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ
୫ଟି ଜିଲ୍ଲାର ୩୨୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଟେକ୍ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରିର ବିକାଶ କରାଯାଇଛି। ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍ ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍ ସମୟରେ ଶେଷ କରାଯାଇଛି। କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି। ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଜଳସଂପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ କିଶୋର ଚନ୍ଦ୍ର ନାୟକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ସେମାନଙ୍କ ମତାମତ ରଖିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ପିଲାମାନଙ୍କ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁସବୁ ନିର୍ଦେଶ ଦେଉଛନ୍ତି, ସେଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ଉନ୍ନୟନ କମିସନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ। ଓସେପାର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶ ଧନ୍ୟବାଦ ଦେଇଥିଲେ।