ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ: ଆଉ ଲକ୍ଷେ ୭୦ ହଜାର କୋଟି ଆସିଲା

୧୮୦ କମ୍ପାନିଙ୍କଠାରୁ ଆସିଛି ପ୍ରସ୍ତାବ, ୨ ଦିନରେ ମୋଟ ୯ ଲକ୍ଷ କୋଟି

ଭୁବନେଶ୍ବର : ଓଡ଼ିଶାରେ ନିବେଶ ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଦୁଇଦିନରେ ପାଖାପାଖି ୯ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିବା ଏବଂ ୩୨୫ଟି ସଂସ୍ଥା ଏଥିପାଇଁ ଆଗେଇ ଆସିବା ଏହାର ଏକ ଦୃଷ୍ଟାନ୍ତ। ଏଥିପାଇଁ ଓଡ଼ିଶାର ଉଦ୍ୟୋଗ ଜଗତରେ ବିପୁଳ ଉତ୍ସାହ ଭରିଛି। ପ୍ରଥମ ଦିନରେ ଦେଶର ଖ୍ୟାତନାମା ଶିଳ୍ପପତିମାନେ ଆସି ୭ ଲକ୍ଷ ୨୬ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାଦ ଦେଇଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ନିବେଶମାନଙ୍କ ମଧ୍ୟରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କିଛି କମ୍‌ ଆଗ୍ରହ ଦେଖାଦେଇନାହିଁ। ଶୁକ୍ରବାର ୧୮୦ଟି କମ୍ପାନି ରାଜ୍ୟରେ ମୋଟ ୧ ଲକ୍ଷ ୭୦ ହଜାର କୋଟି ୨୬୦ କୋଟି ୮୫ ଲକ୍ଷ ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ନିବେଶଗୁଡ଼ିକ ମୁଖ୍ୟତଃ ଶ୍ରମଭିତ୍ତିକ ଶିଳ୍ପରେ ଆସିଛି।

ଗତକାଲି ରାଜ୍ୟକୁ ଅଧିକ ମୂଲ୍ୟର ନିବେଶ ପ୍ରସ୍ତାବ ଆସିଥିଲେ ମଧ୍ୟ ସେଗୁଡ଼ିକ ମୁଖ୍ୟତଃ କ୍ୟାପିଟାଲ ଇଣ୍ଟେନସିଭ ଶିଳ୍ପରେ ଆସିଥିବାରୁ କମ୍ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା। ୭ ଲକ୍ଷ ୨୬ ହଜାର କୋଟି ଟଙ୍କାର ନିବେଶରେ ୩ ଲକ୍ଷ ୨୦ ହଜାର ୭୪୧ ଜଣଙ୍କ ପାଇଁ ନିବେଶ ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଦ୍ବିତୀୟ ଦିନରେ ଆସିଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବରେ ଏହାଠାରୁ ଯଥେଷ୍ଟ ଅଧିକ ଅର୍ଥାତ୍‌ ୩ ଲକ୍ଷ ୭୮ ହଜାର ୪୪୬ କୋଟି ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆକଳନ କରାଯାଇଛି। ଗତକାଲି ୧୪୫ଟି କମ୍ପାନିଠାରୁ ୭ ଲକ୍ଷ ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତେଣୁ ଦୁଇଦିନକୁ ମିଶାଇଲେ ରାଜ୍ୟକୁ ମେକ୍‌ ଇନ୍ କନକ୍ଲେଭ ଜରିଆରେ ୩୨୫ଟି କମ୍ପାନି ଜରିଆରେ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି।

୪ କମ୍ପାନିର ପ୍ରକଳ୍ପ ଶିଳାନ୍ୟାସ, ୪ର ଉଦ୍‌ଘାଟନ

ଏହାସହିତ ଦୁଇଦିନ ମଧ୍ୟରେ ରାଜ୍ୟରେ ୪ଟି କମ୍ପାନିର ନୂଆ ପ୍ରକଳ୍ପ ଉଦ୍‌ଘାଟନ ଓ ୪ଟି କମ୍ପାନିର ଭିତ୍ତିଭୂମି ସ୍ଥାପନ ହୋଇଛି।
ଅର୍ଥାତ୍ ମୋଟ ୮ଟି କମ୍ପାନିର ଉଦଘାଟନ ଓ ଶିଳାନ୍ୟାସ ବାବଦରେ ମୋଟ ୪୪୨୩ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହୋଇଛି। ଏହାଦ୍ବାରା ୧୪୨୭୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଉଦ୍‌ଘାଟନ ହୋଇଥିବା ପ୍ରକଳ୍ପ ମଧ୍ୟରେ ଅଲ୍ଟ୍ରାଟେକର କଟକ ସ୍ଥିତ ସିମେଣ୍ଟ କାରଖାନା, ଜୟଭାରତ ସ୍ପାଇସ୍ପେସ ଓ ଆଷ୍ଟ୍ରାଲ ପାଇପ ପକ୍ଷରୁ କଟକ ରାମଦାସପୁର ଠାରେ ଦୁଇଟି ପ୍ରକଳ୍ପ ଏବଂ ଖୋର୍ଦ୍ଧାରେ ବ୍ରିଟାନିଆ କମ୍ପାନିର ସଂପ୍ରସାରଣ ପ୍ରକଳ୍ପ ରହିଛି। ଜୟଭାରତ ସ୍ପାଇସେସ ପକ୍ଷରୁ ରେଡି ଟୁ ଇଟ୍ ଖାଦ୍ୟ ଏବଂ ଶୀତଳ ଭଣ୍ଡାର ପ୍ଲାଣ୍ଟ ପାଇଁ ୫୦ କୋଟି, ଆଷ୍ଟ୍ରାଲ ପକ୍ଷରୁ ୧୫୦ କୋଟି ଟଙ୍କା ନିବେଶ କରାଯିବ। ସେହିଭଳି ବ୍ରିଟାନିଆ କମ୍ପାନି ସଂପ୍ରସାରଣ ପାଇଁ ୯୩ କୋଟି ନିବେଶ କରିବ। ଅନ୍ୟପକ୍ଷରେ କଟନ ୱାଲର୍ଡ ଡାନିଏଲି କୋରସ ରିଫ୍ରାକ୍ଟରିଜ୍, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ପାର୍କ ଏବଂ ବେଦାନ୍ତ ଆଲୁମିନିୟମର ‌ଝାରସୁଗୁଡ଼ା ଆଲୁମିନିୟମ ପାର୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି।

ଦ୍ବିତୀୟ ଦିନରେ ଆସିଥିବା ୧୮୦ଟି ନିବେଶ ପ୍ରସ୍ତାବ ମଧ୍ୟରୁ ୪୬ଟି ଖଣି ଏବଂ ଧାତବ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପରେ, ୪୩ଟି କୃଷି ଏବଂ ଖାଦ୍ୟ ପକ୍ରିୟାକରଣ, ୨୪ଟି ସୂଚନା ପ୍ରଯୁକ୍ତି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି ରସାୟନିକ ଏବଂ ପ୍ଲାଷ୍ଟିକ କ୍ଷେତ୍ରରେ ୧୪ଟି କୃଷି ବ୍ୟବସାୟ କ୍ଷେତ୍ରରେ ୯ଟି ବୟନଶିଳ୍ପ ଏବଂ ପୋଷାକ କ୍ଷେତ୍ରରେ ୫ଟି କୃଷି ବିପଣନ କ୍ଷେତ୍ରରେ ଆସିଛି। ଖଣି ଓ ଧାତବ କ୍ଷେତ୍ରର ଶିଳ୍ପରେ ସର୍ବାଧିକ ୭୮ ହଜାର କୋଟି ଟଙ୍କାର ପ୍ରସ୍ତାବ ଆସିଥିବାବେଳେ ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ୫୧ ହଜାର କୋଟି, ରସାୟନ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୨୯ ହଜାର କୋଟି, ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ୬ ହଜାର କୋଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୩୫୦୦ କୋଟି, ବୟନଶିଳ୍ପ ଏବଂ ‌ପୋଷାକ କ୍ଷେତ୍ରରେ ୨୧୦୦ କୋଟି, କୃଷି ବ୍ୟବସାୟ କ୍ଷେତ୍ରରେ ୬୫୦ କୋଟି ନିବେଶ ହୋଇଛି। ଏଥିସହିତ ଆଜି ଦକ୍ଷତା ବିକାଶ ବିଭାଗ ପକ୍ଷରୁ ମଧ୍ୟ ଅଣ ନିବେଶ ସଂକ୍ରାନ୍ତ ୫ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି। ଆଜି ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟରେ ଏକ ବଡ଼ ନିବେଶ ପ୍ରସ୍ତାବ ମିଳିଛି। ଢେଙ୍କାନାଳ ଜିଲ୍ଲାରେ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ଏକ ସୋଲାର ପ୍ୟାନେଲ ପ୍ଲାଣ୍ଟ ନିର୍ମାଣ ହେବ। ୱାରି ଗ୍ରୁପ୍ ଏଥିପାଇଁ ଆଗ୍ରହ ଦେଖାଇଛି ବୋଲି କୁହାଯାଇଛି। ଶନିବାର ମଧ୍ୟ ପର୍ଯ୍ୟଟନ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଆଉ କିଛି ନିବେଶ ପ୍ରସ୍ତାବ ଆସିବା ନେଇ ସରକାର ଆଶା ରଖିଛନ୍ତି ବୋଲି ଶ୍ରୀ ଶର୍ମା ଏହି ଅବସରରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର