ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍-୨୦୧୮ : ମିସନ ଶକ୍ତିକୁ ସ୍ମାର୍ଟଫୋନ୍

ଭୁବନେଶ୍ବର : ରାଜ୍ୟରେ ମିସନ ଶକ୍ତି ଅଧୀନରେ ଥିବା ୬ ଲକ୍ଷରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚ୍‌ଜି)ଙ୍କୁ ରାଜ୍ୟ ସରକାର ଦେବେ ସ୍ମାର୍ଟଫୋନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ମହିଳା ସଶକ୍ତୀକରଣ ଓ ଉଦ୍ୟମିତା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ‌ଯେ ଡିଜିଟାଲ୍ ବିପ୍ଳବରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀକୁ ଗୋଟିଏ ଲେଖାଏଁ ସ୍ମାର୍ଟଫୋନ୍ ପ୍ରଦାନ କରାଯିବ। ଏହା ଜରିଆରେ ‌ସେମାନେ ନିଜ ଉତ୍ପାଦଗୁଡ଼ିକର ମାର୍କେଟିଂ ଠାରୁ ଆରମ୍ଭ କରି ଆହୁରି ବହୁତ କିଛି କାମ କରିପାରିବେ।

ଶିକ୍ଷା କ୍ଷେତ୍ରରେ ଗବେଷଣା ବଢ଼ାଇବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ଏହାର ନାମ ହେଉଛି ‘ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା’। ଏଥିରେ ପ୍ରତିବର୍ଷ ୧୩୫ ଜଣ ଛାତ୍ରଛାତ୍ରୀଙ୍କୁ ଜୁନିଅର୍ ରିସର୍ଚ ଫେଲୋସିପ୍ (ଜେଆର୍‌ଏଫ୍) ପ୍ରଦାନ କରାଯିବ। ୟୁଜିସି ଅନୁମୋଦିତ ୩୫ଟି ପିଜି ବିଷୟ ପାଇଁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ପ୍ରତି ବିଷୟ ପାଇଁ ପାଞ୍ଚଟି ଫେଲୋସିପ୍ ରହିବ ଯେଉଁଥିରୁ ୨ଟି ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯିବ। ଫେଲୋସିପ୍ ଆକାରରେ ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ଏବଂ ପ୍ରୟୋଗଶାଳା ଭିତ୍ତିକ କାର୍ଯ୍ୟ ହୋଇଥିଲେ ବର୍ଷକୁ ୨୫ ହଜାର ଟଙ୍କା ଓ ଅଣପ୍ରୟୋଗଶାଳା କାମ ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ।

ସେହିପରି ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକରେ ଥିବା ୪୦ ବର୍ଷରୁ କମ୍ ବୟସର ଅଧ୍ୟାପକମାନଙ୍କୁ ଗବେଷଣା ନିମନ୍ତେ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ‘କ୍ୟାରିଅର ରିସର୍ଚ ଗ୍ରାଣ୍ଟ୍‌’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିରେ େସମାନଙ୍କୁ ଦୁଇ ବର୍ଷର ଗବେଷଣା ନିମନ୍ତେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆନ୍ତର୍ଜାତିକ ସ୍ତରର ଜର୍ଣ୍ଣାଲ୍‌ରେ ନିଜ ଲେଖା ପ୍ରକାଶ କରିବା ପାଇଁ ମଧ୍ୟ ଗବେଷକଙ୍କୁ ସରକାର ପାଣ୍ଠି ଯୋଗାଇ ଦେବେ ବୋଲି ଆଜି ଘୋଷଣା କରିଛନ୍ତି।

କୃଷି-ମାର୍କେଟିଂରେ ୧୪୧୨ କୋ‌ଟି ଟଙ୍କା ଓ ସୂଚନା ପ୍ରଯୁକ୍ତି (ଆଇଟି)ରେ ୩୯୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ରିଲାଏନ୍ସ ଫ୍ରେସ୍ ୩୦୦ କୋଟି ଟଙ୍କା, ଆଇଟିସି ୫୨୦ କୋଟି ଟଙ୍କା, ଓୟାରହାଉସିଂ ଡେଭେଲପ୍‌ମେଣ୍ଟ୍‌ ଆଣ୍ଡ୍‌ ରେଗୁଲେଟୋରି ଅଥରିଟି ୩୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି। କଣ୍ଟ୍ରାକ୍ଟ ଫାର୍ମିଂ କ୍ଷେତ୍ରରେ ମଧ୍ୟ ୧୧୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଗୋପାଳପୁରରେ ଟାଟା ଗ୍ଲୋବାଲ୍ ବେ‌ଭରେଜେସ୍‌ ଏକ ଚା’ ପ୍ୟାକେଜିଂ ୟୁନିଟ୍ ସ୍ଥାପନ କରିବ। ଏନେଇ ଟାଟା ଗ୍ଲୋବାଲ୍ ବେଭରେଜେସ୍ ଓ ଟାଟା ଷ୍ଟିଲ୍ ଏସ୍‌ଇଜେଡ୍ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।

ଆଜି କନ୍‌କ୍ଲେଭ୍‌ର ବିଭିନ୍ନ ଅଧିବେଶନରେ ଚାରିଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ନାଫେଡ୍-ରାଜ୍ୟ ସମବାୟ, ଓୟାରହାଉସିଂ ଡେଭେଲପ୍‌ମେଣ୍ଟ୍‌ ଆଣ୍ଡ୍ ରେଗୁଲେଟୋରି ଅଥରିଟି ଓ ରାଜ୍ୟ ସମବାୟ, ରାୟଗଡ଼ାର ମିଟସ୍‌ ମେଗା ଫୁଡ୍‌ ପାର୍କ ସହିତ ସ୍ବଲୋକମ୍ ବାୟୋଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍‌ ଓ କେଂଟ୍‌ଲି ଫୁଡସ୍ ପ୍ରାଇଭେଟ୍ ଲିମିଟେଡ୍ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।

ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ରିଲାଏନ୍ସ ଜିଓ ୩୦୦୦ କୋଟି ଟଙ୍କା ଓ ସାକ୍ ରୋବୋଟିକ୍ସ ୩୦୦ କୋଟି ଟଙ୍କା ନିବେଶ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର