ଶିଳ୍ପ ମହାକୁମ୍ଭ ଆଜିଠାରୁ

ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ ରବିବାରଠାରୁ ଭୁବନେଶ୍ବରରେ‌ ଆରମ୍ଭ ହେଉଛି। ଦ୍ବିତୀୟ ଥର ପାଇଁ ଆୟୋଜନ କରାଯାଇଥିବା ଏହି ଦ୍ବିବାର୍ଷିକ କାର୍ଯ୍ୟକ୍ରମକୁ ଚଳିତ ଥର ରାଜ୍ୟ ସରକାର ବ୍ୟାପକ ରୂପ ଦେଇଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ଏହି ଶିଳ୍ପ ମହାକୁମ୍ଭକୁ ରବିବାର ସଂଧ୍ୟାରେ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁ‌ଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଏହି ଅବସରରେ ଆୟୋଜିତ ଏକ୍ସପୋ ମଧ୍ୟ ଉଦ‌୍‌ଘାଟିତ ହେବ। ଚଳିତଥର ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୮୦୦ ଶିଳ୍ପପତି ଓ ୧୫୦ ବିଶେଷଜ୍ଞ ଯୋଗଦେବେ।

ଏତଦ୍‌ବ୍ୟତୀତ ରବିବାର ସକାଳେ କୋଣାର୍କରେ କୋଷ୍ଟାଲ ଫନ୍ ରନ୍, ଖଣ୍ଡଗିରି ଓ ଉଦୟଗିରିରେ ହେରିଟେଜ୍ ୱାକ୍ ଆୟୋଜନ କରାଯାଇଛି। ସେହିଦିନ ଗଲ୍ଫ ଟୁର୍ଣ୍ଣାମେଣ୍ଟ, ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ ଓ କଳାଭୂମି ଟୁର୍ (ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ) ଆଦି କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସୋମବାର ଦିନ ଜନତା ମଇଦାନରେ ଉଦଘାଟନୀ ଅଧିବେଶନ ଏବଂ ବିଜନେସ ଲିଡରସିପ୍ ସମ୍ମିଳନୀ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଆରମ୍ଭ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିରେ ଜାପାନର ରାଷ୍ଟ୍ରଦୂତ ଯୋଗଦେବେ। ଏହାପରେ ବିଜନେସ ଲିଡରସିପ ସମ୍ମିଳନୀ ହେବ। ଏଥିରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଯୋଗଦେବେ। ଷ୍ଟାର ବକ୍ତାଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ଉଦବୋଧନ ଦେବେ। ଏମାନଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସେ‌ାର୍ସେସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନଙ୍କ ସମେତ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ପ୍ରମୁଖ ଯୋଗଦେବେ। ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୧୮ର ଶିଳ୍ପ ‌ସହଯୋଗୀ ଫିକି ଥିବ‌ାବେଳେ ଜାପାନ୍‌ ସହଯୋଗୀ ଦେଶ ରହିଛି।

ସମ୍ବନ୍ଧିତ ଖବର