ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ଆସିବେନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୧୧ରୁ ୧୫ ତାରିଖ ଯାଏଁ ଏଠାରେ ଅନୁଷ୍ଠିତ ହେଉଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ଦେଶର ଶତାଧିକ ବଡ଼ ବଡ଼ ଶିଳ୍ପପତି, ପୁଞ୍ଜିନିବେଶକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୁଂଜି ନିବେଶ ନିମନ୍ତେ ସେମାନଙ୍କୁ ସ୍ୱାଗତ କରିବାକୁ ରାଜ୍ୟ ସରକାର ବିଛାଇ‌ ଦେଇଛନ୍ତି ରେଡ୍ କାର୍ପେଟ୍। କିନ୍ତୁ ଏଥିରେ କେହି କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ନଥିବା ଆପାତତଃ ଜଣାପଡ଼ୁଛି। ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଏହା ପଛର ମୁଖ୍ୟ ପ୍ରସଙ୍ଗ ହେଉଛି, ଏଭଳି ଶିଳ୍ପ ମହାକୁମ୍ଭରେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ। ଏ ନେଇ ବିଜେଡି-ବିଜେପି ମଧ୍ୟରେ ରାଜନୈତିକ ବିବାଦ ସରଗରମ ହେଉଛି।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, ଆମେ କେନ୍ଦ୍ରମନ୍ତ୍ରୀଙ୍କୁ ଡାକିଥାନ୍ତୁ। କିନ୍ତୁ ସ୍ଥାନୀୟ ବିଜେପି ନେତା ବିରୋଧ କରୁଛନ୍ତି। ସେପଟେ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି, ରାଜ୍ୟ ସରକାରଙ୍କ ମନ ଛୋଟ। ବିକାଶ କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଡକାଯାଉନି, ତେଣୁ ଓଡିଶାର ବିକାଶରେ ବାଧା ଉପୁଜୁଛି। ରାଜ୍ୟରେ ରେଳବାଇ ବିକାଶକୁ ନେଇ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ ଉପରେ ଶାଣିତ ଆକ୍ରମଣ କରିଛି ରାଜ୍ୟ ବିଜେପି। ଦଳ କହିଛି, ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା କନକ୍ଲେଭ୍ କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏକ ନିର୍ବାଚନୀ ଧୂଆଁବାଣ।

ରାଜ୍ୟ ସରକାରଙ୍କ ଏଭଳି କନ୍‌କ୍ଲେଭ୍‌ ଆୟୋଜନକୁ ନେଇ ଆରମ୍ଭରୁ ବିଜେପି ଭିନ୍ନ ମତ ପୋଷଣ କରୁଛି। ସମ୍ଭବତଃ ଏହି କାରଣରୁ କେନ୍ଦ୍ର ସରକାରଙ୍କ ସହଯୋଗ ନ ନେଇ କନ୍‌କ୍ଲେଭର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ଏହାକୁ ବିଜେପି ସହଜେ ହାତଛଡ଼ା ନ କରି ବିଜେଡିକୁ ଆକ୍ରମଣ କରିବାକୁ ଯୋଜନା କରିଥିବା ମନେ ହେଉଛି।

ସମ୍ବନ୍ଧିତ ଖବର