ଭୁବନେଶ୍ବର : ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦେଶବିଦେଶର ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଦେଶବିଦେଶର ଶିଳ୍ପପତିମାନଙ୍କୁ ଡାକି ଭୁବନେଶ୍ବରରେ ଯେଉଁ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଆୟୋଜନ କରାଯାଇଥିଲା ତାହାକୁ ବିରାଟ ସଫଳତା ମିଳିଛି। କନକ୍ଲେଭର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଓଡ଼ିଶାକୁ ମୋଟ ସାଢ଼େ ଦଶ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ରାଜ୍ୟରେ ସାଢ଼େ ଦଶ ଲକ୍ଷ ଜଣଙ୍କ ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ରାଜ୍ୟକୁ ଆସିଥିବା ନିବେଶ ସଂପର୍କରେ ସରକାରଙ୍କ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇ କୁହାଯାଇଛି ୩ ଦିନ ମଧ୍ୟରେ ମୋଟ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ବାରା ୧୦ ଲକ୍ଷ ୩୭ ହଜାର ୭୦୧ ଜଣଙ୍କୁ ନିଯୁକ୍ତି ମିଳିବ। ମୋଟ ୭୪୧ଟି ସଂସ୍ଥା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ପ୍ରଥମ ଏବଂ ଦ୍ବିତୀୟ ସଂସ୍କରଣରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତେଣୁ ଚଳିତ ସଂସ୍କରଣରେ ଗତ ଦୁଇଟିଯାକ ସଂସ୍କରଣ ଅପେକ୍ଷା ପ୍ରାୟ ୭୫ ପ୍ରତିଶତ ଏବଂ ୨୦୧୮ ସଂସ୍କରଣ ତୁଳନାରେ ୨୫୦ ପ୍ରତିଶତ ଅଧିକ ନିବେଶ ପ୍ରତିଶ୍ରୁତି ମିଳିଛି। ସର୍ବାଧିକ ନିବେଶ ପ୍ରତିଶ୍ରୁତି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନରେ ଜେଏସଡବ୍ଲୁ ରହିଛି। ଆର୍ସେଲର ମିତ୍ତଲ ୧ ଲକ୍ଷ ୬୦ ହଜାର କୋଟି ଏବଂ ଜେଏସଡବ୍ଲ୍ୟୁ ୧ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

publive-image
ଏଥିସହିତ ଚଳିତଥର ଅନେକ ନୂଆ ନୂଆ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ପ୍ରସ୍ତାବ ଆସିଛି ଯାହାକି ରାଜ୍ୟ ପାଇଁ ଏକ ଭଲ ଖବର।
ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମଧ୍ୟରୁ ସର୍ବାଧିକ ୫ ଲକ୍ଷ ୪୯ ହଜାର ୭୬୪ କୋଟି ଟଙ୍କା ଖଣିଜ, ଧାତବ ଏବଂ ଏସଂକ୍ରାନ୍ତ ଆନୁଷଙ୍ଗିକ ଶିଳ୍ପରେ ଆସିଛି। ଏହା ପଛକୁ ଶକ୍ତି, ଅକ୍ଷୟ ଶକ୍ତି ଏବଂ ସବୁଜ ଶକ୍ତି କ୍ଷେତ୍ରରେ ୨ ଲକ୍ଷ ୩୮ ହଜାର ୪୫୫ କୋଟି, ଲଜିଷ୍ଟ୍ରିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧ ଲକ୍ଷ ୧୯ ହଜାର ୧୯୭ କୋଟି; ସାର, ପେଟ୍ରୋରସାୟନ, ରସାୟନ ଏବଂ ପ୍ଲାଷ୍ଟିକରେ ୭୬ ହଜାର ୮୦ କୋଟି, ମାନୁଫ୍ୟାକଚରିଂରେ ୨୧ ହଜାର ୬୩୪ କୋଟି, ପର୍ଯ୍ୟଟନରେ ୮୨୩୫ କୋଟି, ଆଇଟି ଏବଂ ଇଏସଡିଏମ୍‌ କ୍ଷେତ୍ରରେ ୭୭୪୦ କୋଟି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୭୨୪୯ କୋଟି; କାଗଜ, କାଠ ଏବଂ ଜଙ୍ଗଲଜାତ ସାମଗ୍ରୀ କ୍ଷେତ୍ରରେ ୫୩୦୬ କୋଟି, ସିମେଣ୍ଟରେ ୫୦୧୨ କୋଟି, ସ୍ବାସ୍ଥ୍ୟସେବା ଓ ଫାର୍ମା କ୍ଷେତ୍ରରେ ୩୯୩୫ କୋଟି, ଏରୋସ୍ପେସ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ୨୦୫୫ କୋଟି, ଇଲେକ୍ଟ୍ରିକ ଯାନ କ୍ଷେତ୍ରରେ ୫୦୦ କୋଟି, ଷ୍ଟାର୍ଟଅପ୍‌ରେ ୨୮୦ କୋଟି; ସେରାମିକ୍ସ, ଗ୍ଲାସ, ମାର୍ବଲ ଓ ଗ୍ରାନାଇଟରେ ୨୦୦ କୋଟି, ବର୍ଜ୍ୟବସ୍ତୁ ପରିଚାଳନାରେ ୧୬୯‌ କୋଟି, କୃଷି ବିପଣନରେ ୧୨୧ କୋଟି, ଶିକ୍ଷାରେ ୬୬ କୋଟି, ସିନେମା ଓ ଆମୋଦପ୍ରମୋଦରେ ୧୫ କୋଟି ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ ୬୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି।

ପ୍ରସ୍ତାବ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସର୍ବାଧିକ ୧୪୫ଟି ଧାତବ ଏବଂ ଖଣିଜ କ୍ଷେତ୍ରରୁ ଏବଂ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣରେ ୧୦୨ଟି, ସାର, ପେଟ୍ରୋରସାୟନ, ରସାୟନ ଏବଂ ପ୍ଲାଷ୍ଟିକରେ ୯୩ଟି, ଲଜିଷ୍ଟିକ୍ସ ଓ ଭିତ୍ତିଭୂମିରେ ୮୭ଟି ଏବଂ ପର୍ଯ୍ୟଟନରେ ୪୧ଟି, ଆଇଟି ଓ ଇଏସଡିଏମରେ ୩୭ଟି ପ୍ରସ୍ତାବ ଆସିଛି ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

publive-image

ଏତଦ୍‌ବ୍ୟତୀତ ରାଜ୍ୟ ସରକାରଙ୍କୁ ନିକଟରେ ନିବେଶ ପାଇଁ ବ୍ରିଟେନର ଏସରାମ୍ ଓ ଏମ୍‌ରାମ୍‌ ଟେକ୍ନୋଲୋଜିଜ୍ ଲିମିଟେଡ ପକ୍ଷରୁ ୨ ଲକ୍ଷ କୋଟି ଟଙ୍କାର ନିବେଶ ନେଇ ଉକ୍ତସଂସ୍ଥାର ଅଧିକାରୀମାନେ ଆଲୋଚନା ଚଳାଇଛନ୍ତି। ଏମାନେ ଓଡ଼ିଶାରେ ଚିପ୍ ଓ ସେମିକଣ୍ଡକ୍ଟର ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବଡ଼କଥା ହେଉଛି ଏମାନେ ୨ ଲକ୍ଷ କୋଟି ଟଙ୍କାର ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭୁବନେଶ୍ବରରୁ ୧୦ କିମି ଦୂରରେ କୌଣସି ଏକ ସ୍ଥାନରେ ଏମାନେ ଜମି ମାଗୁଛନ୍ତି। ଏହି କାରଖାନା ସ୍ଥାପନ ହେଲେ ଓଡ଼ିଶାରୁ ଦେଶବିଦେଶକୁ ଚିପ୍ ଓ ସେମିକଣ୍ଡକ୍ଟର ଯୋଗାଇ ଦିଆଯାଇ ପାରିବ। ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କା ନିବେଶ କରି ପ୍ରଥମେ ଏଠାରୁ ଚିପ୍‌ ନିର୍ମାଣ କରିବ ବୋଲି କମ୍ପାନିର ଉପାଧ୍ୟକ୍ଷ ଗୁରୁଜୀ କୁମାର ସ୍ବାମୀ ଓ ଓଡ଼ିଶା ପ୍ରକଳ୍ପର ସ୍ବୀକୃତିପ୍ରାପ୍ତ ପ୍ରତିନିଧି ଡି ସିଂହଦେଓ କହିଚନ୍ତି। ବ୍ରିଟେନର ଏହି କମ୍ପାନି ରାଜ୍ୟରେ କାରଖାନା ସ୍ଥାପନ କରିଲେ ଓଡ଼ିଶାରେ ଏହା ହେବ ସର୍ବବୃହତ୍ ଏଫଡିଆଇ ବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ। ତେବେ ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କ କହିବାନୁଯାୟୀ ଏହି ପ୍ରସ୍ତାବ ଶେଷ ମୁହୂର୍ତ୍ତରେ ଆସିଛି। ତାହା ଉପରେ ଆଲୋଚନା ଚାଲିଛି। ତେଣୁ ଏହାକୁ କନକ୍ଲେଭରେ ମିଳିଥିବା ନିବେଶ ପ୍ରତିଶ୍ରୁତିରେ ବିଚାରକୁ ନିଆଯାଇନାହିଁ। ଆଗାମୀ ଦିନରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।