ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ : ଶିଳ୍ପ ପାଇଁ ହେବ ମାନସମନ୍ଥନ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ପକ୍ଷରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ ରବିବାରଠାରୁ ଜନତା ମଇଦାନଠାରେ ଆରମ୍ଭ ହେଉଛି। ଗତ କିଛିଦିନ ହେଲା ଏହାର ଅବଗଣନା ଆରମ୍ଭ ହୋଇସାରିଛି। ରାତି ପାହିଲେ ଜନତା ମଇଦାନରେ ଆରମ୍ଭ ହୋଇଯିବ ଏହି ସମ୍ମିଳନୀ। ୫ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚି ସାରିଲେଣି ଦେଶବିଦେଶର ଅନେକ ଶିଳ୍ପପତି ଓ ଉଦ୍ୟୋଗଜଗତର ବିଶେଷଜ୍ଞ। ସହର ମଧ୍ୟ ବିଦେଶୀ ଅତିଥିଙ୍କୁ ଆକର୍ଷିତ କରିବା ପାଇଁ ସଜେଇ ହୋଇ ସାରିଛି। ସରକାର ମେକ୍ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣକୁ କେବଳ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଲାଗି ଆୟୋଜନ କରିନାହାନ୍ତି, ବରଂ ଓଡ଼ିଶାର ଶକ୍ତି ଓ ସାମର୍ଥ୍ୟକୁ ବିଦେଶୀ ନିବେଶକମାନଙ୍କୁ ଜଣାଇବା ପାଇଁ ଏହାର ଆୟୋଜନ କରିଛନ୍ତି। ଫଳରେ ଏହା ଶିଳ୍ପପତିଙ୍କ ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ଯୋଗାଇବ ବୋଲି ଆଶା ରହିଛି।

କେଉଁଦିନ କ’ଣ

ନଭେମ୍ବର ୧୧: ପୂର୍ବାହ୍ନ ୬ଟାରେ ଚନ୍ଦ୍ରଭାଗାରେ କୋଷ୍ଟାଲ ଫନ୍ ରନ୍‌। ୬ଟା ୩୦ରେ ଭୁବନେଶ୍ବରର ଖଣ୍ଡଗିରି ଉଦୟଗିରିରେ ଐତିହ୍ୟ ପଦଯାତ୍ରା, ପୂର୍ବାହ୍ନ ୯ଟାରେ ଗଲ୍ଫ କ୍ଲବରେ ଗଲ୍ଫ ଟୁର୍ଣ୍ଣାମେଣ୍ଟ, ସଂଧ୍ୟା ୬ଟାରେ ମେକ୍ ଇନ୍ ଓଡ଼ିଶା ଏକ୍ସପୋ ଉଦଘାଟନ
ନଭେମ୍ବର ୧୨: ସକାଳ ୧୦ଟା ୩୦ରେ ପ୍ଲେନାରୀ ଅଧିବେଶନ ଓ ବିଜନେସ ଲିଡରସିପ୍ ସମ୍ମିଳନୀ, ,୩ଟାରୁ ୫ଟା ପର୍ଯ୍ୟନ୍ତ ଜାପାନ ସେମିନାର, ଖାଦ୍ୟ ପ୍ରକ୍ରିୟାକରଣ, ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟସିଟି, ଲଜିଷ୍ଟିକ୍ ଓ ଭିତ୍ତିଭୂମି ଉପରେ ଅଧିବେଶନ, ପର୍ଯ୍ୟଟନ ପୁଞ୍ଜିନିବେଶ ସେମିନାର, ସଂଧ୍ୟା ୫ଟା ୩୦ରୁ ୭ଟା ୩୦ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଏକ୍ସିଲେନ୍ସ କାର୍ଯ୍ୟକ୍ରମ (କ୍ରୀଡ଼ା) ପାଇଁ ଏମଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମ
ନଭେମ୍ବର ୧୩: ସକାଳ ୧୦ଟା ୩୦ରୁ ସ୍ବାସ୍ଥ୍ୟସେବା ପୁଞ୍ଜିନିବେଶ ଉପରେ ଅଧିବେଶନ, ବୟନ ଓ ପୋଷାକ କ୍ଷେତ୍ର ଉପରେ ଅଧିବେଶନ, ଧାତବ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ ଉପରେ ଅଧିବେଶନ, ଏମଏସଏମଇ ପୁଞ୍ଜିନିବେଶ ଅଧିବେଶନ, ରସାୟନ ଓ ପେଟ୍ରୋରସାୟନ ଅଧିବେଶନ, ଟେକ୍ ଟକ୍, ଷ୍ଟାର୍ଟଅପ୍ ଟକ୍, ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ଉପରେ ଅଧିବେଶନ, କୃଷି ବ୍ୟବସାୟ ପୁଞ୍ଜିନିବେଶ, ଦକ୍ଷତା ବିକାଶ ଅଧିବେଶ, ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ଉଦଯାପନୀ ଉତ୍ସବ
ନଭେମ୍ବର ୧୪: ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ୩୦ ମଧ୍ୟରେ ମହିଳା ଔଦ୍ୟୋଗିକ ପ୍ଲେନାରି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, କୃଷି ବିପଣନ, କମ୍ପାନି ସାମାଜିକ ଦାୟିତ୍ବବୋଧ (ସିଏସଆର), ଏକାଡେମିକ୍ ମିଟ୍ ପ୍ଲେନାରି, ଏକାଡେମିକ୍ ମିଟ୍ ଥିମ୍ ଅଧିବେଶନ, ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍
ନଭେମ୍ବର ୧୫ : ସକାଳ ୧୦ଟା ୩୦ରୁ ସଂଧ୍ୟା ୫ଟା ମଧ୍ୟରେ ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍, ବାୟୋଟେକ୍ନୋଲୋଜି ‌କ୍ଷେତ୍ରରେ ପୁଞ୍ଜିନିବେଶ, ମିଡିଆ ଓ ମନୋରଞ୍ଜନ ଅଧିବେଶନ

ସିସିଟିଭି ନଜରରେ ସମଗ୍ର ଅଞ୍ଚଳ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଦିଗ ଉପରେ ଗୁରତ୍ବ ଦେବା ସହ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି। ଚେକିଂ ଓ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏହି ୫ଦିନ ପାଇଁ ସାରା ଅଞ୍ଚଳକୁ ପୁଲିସ ଛାଉଣି କରିଦିଆଯିବ। ୧୫ ପ୍ଲାଟୁନ୍‌ ପୁଲିସ ଜଗିରହିବେ ‌। ସେହିପରି ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରଖାଯାଇଛି। ପଡ଼ିଆର ବିଭିନ୍ନ ସ୍ଥାନରେ ଏବଂ କନ୍‌କ୍ଲେଭ ସ୍ଥାନରେ ଶତାଧିକ ସିସିଟିଭି ଖଞ୍ଜାଯାଇଛି। ଏଥିପାଇଁ ୩୦ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ପଡ଼ିଆ ଭିତରେ ଓ ବାହାରେ ୨ଟି ସ୍ବତନ୍ତ୍ର ଅସ୍ଥାୟୀ ପୁଲିସ କ‌‌ଣ୍ଟ୍ରୋଲ ରୁମ୍ କରାଯାଇଛି। ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ସେଠାରୁ ବିଭିନ୍ନ ଦିଗ ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ ବୋଲି ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ଏହି ସମୟରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଟ୍ରାଫିକ୍‌ରେ ସମସ୍ୟା ‌ସୃଷ୍ଟି ନହେବା ପାଇଁ ଯୋଜନା ମଧ୍ୟ କରାଯାଇଥିବା ସିପି ଶ୍ରୀ ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ମହାକୁମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଯିବା ଆସିବା ପାଇଁ ସ୍ବତନ୍ତ୍ର ପାଇଲଟିଂ ବ୍ୟବସ୍ଥା କରାଯାଇଛି। କଡ଼ା ସୁରକ୍ଷା ବଳୟରେ ଅତିଥିମାନଙ୍କୁ କନ୍‌‌େକ୍ଲଭରୁ ହୋଟେଲ୍‌ ‌ଏବଂ ହୋଟେଲ୍‌ରୁ କନ୍‌କ୍ଲେଭ ଅଣାଯିବ। କୌଣସି ଅନ୍ତର୍ଘାତୀ ଆକ୍ରମଣ ହୁଏ ଏଥିପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ ରହିଛି। ଏଥିପାଇଁ ଏସ୍‌ଓଜି, ଷ୍ଟ୍ରାଇକି˚ ଫୋର୍ସ, ଏନ୍‌ଡିଆର‌୍‌ଏଫ୍‌, କୁଇକ୍‌ ଆକ୍ସନ ଟିମ୍‌ ମଧୢ ନଜର ରଖି‌େବ। ସାଦା ପୋଷାକରେ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପଇଁତରା ମାରିବ।

ଅଗ୍ନିଶମ ବିଭାଗ ସଜାଗ
ମହାକୁମ୍ଭ ସମୟରେ ପୁଲିସ ଯେଭଳି ସୁରକ୍ଷାକୁ ଗୁରୁତ୍ବ ଦେଇଛି ସେଭଳି ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ହୋଇ ଉଠିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ୨୪ ଘଣ୍ଟିଆ ପ୍ରସ୍ତୁତ ରହିଛି। ଏଥିପାଇଁ ୬ଜଣ ଅଗ୍ନିଶମ ଅଧିକାରୀ ଓ ୬୦ଜଣ ଆଗ୍ନିକ ଦାୟୀତ୍ବରେ ରହିଛନ୍ତି। ସେହିପରି ୪ଟି ଅତ୍ୟାଧୁନିକ ଦମକଳ ସେଠାରେ ରଖାଯାଇଛି। ବାଲି, ଅଗ୍ନି ନିର୍ବାପକଯନ୍ତ୍ର, ଫୋମ ପର୍ଯ୍ୟାପ୍ତ ପରିମାଣରର ରଖାଯାଇଥିବା ସହ ଅଗ୍ନିଶମ ଅଧିକାରୀ ସରୋଜ ବେହେରା କହିଛନ୍ତି।

ପ୍ରବେଶ ପାଇଁ ୩ଟି ଗେଟ୍
ଜନତା ମଇଦାନରେ ଶିଳ୍ପପତି, ବିଶେଷଜ୍ଞ, ସାଧାରଣ ଲୋକ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପ୍ରବେଶ ପାଇଁ ୩ଟି ଭିନ୍ନ ଭିନ୍ନ ଗେଟ୍ କରାଯାଇଛି। ସେଗୁଡ଼ିକ ହେଲା କଳିଙ୍ଗ, ଏକାମ୍ର ଓ ବାରବାଟି ଗେଟ୍। କଳିଙ୍ଗ ଗେଟ୍ ଦେଇ ସାଧାରଣ ଲୋକ ସମ୍ମିଳନୀ ସ୍ଥଳକୁ ପ୍ରବେଶ କରିବେ। ସ୍ୟାଣ୍ଡିସ ଟାୱାର ପଟେ ଏହି ଗେଟ୍‌ଟି ରହିଛି। ସେହିଭଳି ଏକାମ୍ର ଗେଟ୍‌ଟି ସ୍ବସ୍ତି ପ୍ରିମ୍ରିୟମ ପଟେ ହୋଇଛି। ଏହି ଗେଟ୍ ଦେଇ ଭିଭିଆଇପି ବା ମଞ୍ଚରେ ବସିବାକୁ ଥିବା ଅତିଥିମାନେ ପ୍ରବେଶ କରିବେ। ସ୍ବସ୍ତି ପ୍ରିମିୟମ ରାସ୍ତାରେ ଏକାମ୍ର ଗେଟଠାରୁ କିଛି ଦୂରରେ ବାରବାଟି ଗେଟ୍ ରହିଛି। ଏହି ଗେଟ୍‌ ଦେଇ କେବଳ ସାମ୍ବାଦିକ ମାନେ ଭିତରକୁ ପ୍ରବେଶ କରିବେ।

ମୁଖ୍ୟ ଆକର୍ଷଣ ଦେଓମାଳୀ ଗମ୍ବୁଜ
ଚଳିତବର୍ଷ କନକ୍ଲେଭର ମୁଖ୍ୟ ଆକର୍ଷଣ ହେଉଛି ଏକ ବୃହଦାକାର ଗମ୍ବୁଜ। ଏହି ଗମ୍ବୁଜର ନାମ ଦେଓମାଳୀ ରଖାଯାଇଛି। ଏଠାରେ ଓଡ଼ିଶା ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦର୍ଶିତ ହେବ। ଚଳିତବର୍ଷର କନକ୍ଲେଭ ପାଇଁ ନଦୀ ଗୁଡ଼ିକ ନାମରେ ହ୍ୟାଙ୍ଗର ନିର୍ମାଣ ହୋଇଛି। ସେଗୁଡ଼ିକ ମଧ୍ୟରେ ପ୍ଲେନାରି ସେସନ ସର୍ବବୃହତ୍ ମହାନଦୀ ହ୍ୟାଙ୍ଗରରେ ହେବ। ଅନ୍ୟ ହ୍ୟାଙ୍ଗର ଗୁଡ଼ିକ ହେଲା ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ସୁବର୍ଣ୍ଣରେଖା । ସମ୍ମିଳନୀବେଳେ ବିଭିନ୍ନ ସେମିନାର ଏହି ହ୍ୟାଙ୍ଗର ଗୁଡ଼ିକରେ ଅନୁଷ୍ଠିତ ହେବ। ସେହିଭଳି ଏକ୍ସପୋ ପାଇଁ ୩ଟି ହ୍ୟାଙ୍ଗର ରାଜ୍ୟର ୩ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ଚିଲିକା, ଶିମିଳିପାଳ ଓ ଭିତରକନିକା ନାମରେ ପ୍ରସ୍ତୁତ ହୋଇଛି। ଏହି ହ୍ୟାଙ୍ଗରରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କର ଏକ୍ସପୋ ବା ପ୍ରଦର୍ଶନୀ କରିବେ।

ସମ୍ବନ୍ଧିତ ଖବର