ଭୁବନେଶ୍ବର : ଭୁବନେଶ୍ବର ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨। ଶିଳ୍ପପତିମାନଙ୍କ ଏହି ୫ ଦିନିଆ ମହାସମାବେଶକୁ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ମହିଳା ଉଦ୍ୟୋଗ, ଷ୍ଟାର୍ଟଅପ୍, ସବୁଜ ଶକ୍ତି, ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ, ପ୍ରତିରକ୍ଷା ଏବଂ ବିମାନସେବା, ସ୍ବାସ୍ଥ୍ୟସେବା ଓ ଫାର୍ମା, ରିଅଲ ଇଷ୍ଟେଟ, ଜୈବପ୍ରଯୁକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ୍ସ ଆଦି ପ୍ରସଙ୍ଗ ଉପରେ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନା କରିବେ।
/sambad/media/post_attachments/wp-content/uploads/2022/12/make-in-odisha3aaa-750x430.jpg)
ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ଲାଗି ଆୟୋଜିତ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଆସିବା ନେଇ ସରକାର ଆଶା ରଖିଛନ୍ତି। ସରକାର ୨୦୧୬ରେ ଆୟୋଜନ କରିଥିବା ମେକ୍ ଇନ୍ ଓଡ଼ିଶାର ପ୍ରଥମ ଏବଂ ୨୦୧୮ରେ କରିଥିବା ଦ୍ବିତୀୟ ସଂସ୍କରଣରେ ଆସିଥିବା ମୋଟ ନିବେଶ ତୁଳନାରେ ଚଳିତ ଥର ଅଧିକ ନିବେଶ ଆସିବ। ବେଦାନ୍ତର ଅନିଲ ଅଗ୍ରୱାଲ, ଆର୍ସେଲର ମିତ୍ତଲର ଲକ୍ଷ୍ମୀ ନିବାସ ମିତ୍ତଲ, ଜେଏସପିଏଲର ନବୀନ ଜିନ୍ଦଲ, ଜେଏସଡବ୍ଳୁର ସଜ୍ଜନ ଜିନ୍ଦଲଙ୍କ ସମେତ ବହୁ ଖ୍ୟାତନାମା ଶିଳ୍ପପତି ଗୁରୁବାର ପୂର୍ବାହ୍ନରେ ହେବାକୁ ଥିବା ଅଧିବେଶନରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ନିଜେ ଏହି ଉତ୍ସବରେ ଯୋଗଦେଇ ଶିଳ୍ପପତିମାନଙ୍କ ସହିତ ମତ ବିନିମୟ କରିବେ। ଓଡ଼ିଶାର ସାମର୍ଥ୍ୟ, ଶକ୍ତି, ସଂପଦ ଏବଂ ଦକ୍ଷତା ବିଷୟରେ ସେମାନଙ୍କୁ ଅବଗତ କରାଇବେ।
/sambad/media/post_attachments/wp-content/uploads/2022/12/make-in-odisha-m15-750x430.jpg)
ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଷ୍ଟଲଗୁଡ଼ିକୁ ବୁଲି ଦେଖିଥିଲେ। ସେ ମଞ୍ଚ ନିକଟରୁ ବ୍ୟାଟେରି ଚାଳିତ ଗାଡ଼ିରେ ଷ୍ଟଲଗୁଡ଼ିକ ବୁଲି ଦେଖିବା ପରେ ପୁନଶ୍ଚ ମୁଖ୍ୟ ମଞ୍ଚ ନିକଟକୁ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଗୁରୁ ଅରୁଣା ମହାନ୍ତି ଓ ତାଙ୍କ ଟିମ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ କଳାକାରମାନଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ। ଉତ୍ସବରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଭୁବନେଶ୍ବର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂଙ୍କ ସମେତ ସହଯୋଗୀ ଦେଶ ଭାବେ ଜାପାନର ରାଷ୍ଟ୍ରଦୂତ ହିରୋସି ସୁଜୁକି, ନରୱେର ରାଷ୍ଟ୍ରଦୂତ ହନ୍ସ ଜ୍ୟାକବ ଫ୍ରିଡେନଲଣ୍ଡ, ନେପାଳର ରାଷ୍ଟ୍ରଦୂତ ଡ ଶଙ୍କର ପ୍ରସାଦ ଶର୍ମା, କଲିକତାରେ ଅବସ୍ଥାପିତ ଜର୍ମାନୀର କନସୁଲ ଜେନେରାଲ ମାନଫ୍ରେଡ ଅଷ୍ଟର, ରାଜ୍ୟ ସରକାର ୫ଟି ସଚିବ ଭିକେ ପାଣ୍ଡିୟାନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, କର୍ପୋରେଟ୍ ଜଗତର କର୍ମକର୍ତ୍ତା ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ୫୦ରୁ ଅଧିକ ବିଦେଶୀ ଅତିଥି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଏଥିରେ ଟାଟା ପାୱାର ଏମ୍ଡି ତଥା ସିଇଓ ଡ. ପ୍ରବୀର ସିହ୍ନା ବି ଯୋଗଦେଇଥିଲେ।
/sambad/media/post_attachments/wp-content/uploads/2022/12/make-in-odisha-m16-750x430.jpg)
ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ସୂଚନା ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ଓଡ଼ିଶା ନବୀନ ପଟ୍ଟନାୟଙ୍କ ସରକାର ଅମଳରେ କିଭଳି ନିରନ୍ତର ପ୍ରଗତି ହାସଲ କରିଛି ଏବଂ ଓଡ଼ିଶାର ସକାରାତ୍ମକ ପରିବର୍ତ୍ତନ ହୋଇଛି ତାହାକୁ ଆଜି ନୃତ୍ୟଗୀତ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ କରି ଆସୁଥିବା କାର୍ଯ୍ୟରେ ଯେଉଁ ସଫଳତା ମିଳିଛି ତାହାକୁ ଏଠାରେ ଆଲୋକପାତ କରାଯାଇଛି। ଆଜି ଦେଶବିଦେଶର ବହୁ ଖ୍ୟାତନାମା ଶିଳ୍ପପତି ଏହି ଉତ୍ସବରେ ଯୋଗଦେବେ। ପ୍ଲେନାରି ଅଧିବେଶନ ପୂର୍ବାହ୍ନରେ ଆରମ୍ଭ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବେ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
/sambad/media/post_attachments/wp-content/uploads/2022/12/makein-odisha-3aa-750x430.jpg)
ମନମୋହିଲା ଡ୍ରୋନ ସୋ’ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣର ଉଦ୍ଘାଟନୀ ଉତ୍ସବରେ ଡ୍ରୋନ ଏବଂ ଲେଜର ସୋ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପ୍ରଥମେ ଭାରତ ନିର୍ମିତ ୬୦୦ ଡ୍ରୋନ ଜରିଆରେ ଓଡ଼ିଶାର କୋଣାର୍କ ମନ୍ଦିର, ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ପୁରୀର ତିନି ତିନିଟି ରଥ, ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ମୁଦ୍ରା ଦର୍ଶକଙ୍କ ମନ ମୋହିଛି। ଆକାଶରେ ଆଲୋକର ଏହି ଛିଟା ଜନତା ମଇଦାନରେ ଉପସ୍ଥିତ ଦର୍ଶକ ଏବଂ ରାଜଧାନୀର ଅନ୍ୟ କିଛି ଅଞ୍ଚଳର ଲୋକଙ୍କୁ ବିଭୋର କରିଥିଲା। ସେହିଭଳି ପରଦାରେ ଲୋକମାନେ ଅଲିଭ ରିଡଲେ ଏବଂ ହାତୀ ଆଦି ପ୍ରାଣୀ ସଂପଦକୁ ମଧ୍ୟ ଦେଖିଥିଲେ।
ନୃତ୍ୟ ଓ ସଙ୍ଗୀତରେ ଓଡ଼ିଶାର ବିକାଶ ମେକ୍ ଇନ୍ ଓଡ଼ିଶାର ଉଦ୍ଘାଟନୀ ଉତ୍ସବରେ ଆଜି କଳାକାରମାନେ ନୃତ୍ୟ, ସଙ୍ଗୀତ ମାଧ୍ୟମରେ ଓଡ଼ିଶାର ରୂପାନ୍ତରକୁ ଉପସ୍ଥାପନ କରି ଦର୍ଶକଙ୍କ ମନ ମୋହିଛନ୍ତି। ଓଡ଼ିଶାର ଧର୍ମ, କଳା, ସଂସ୍କୃତି, କ୍ରୀଡ଼ା, ଚିତ୍ରକଳା, ପ୍ରାକୃତିକ ସଂପଦ, ପ୍ରାକୃତିକ ବିପର୍ଯ୍ୟୟ ଫନି ଏବଂ ତାହାର ମୁକାବିଲା, ଶିକ୍ଷା, ସାହିତ୍ୟ, ପାରମ୍ପରିକ କାରିଗରୀ କାର୍ଯ୍ୟ, ଚିତ୍ରକଳା, ଐତିହ୍ୟ, ମହିଳା ସଶକ୍ତୀକରଣ ଆଦି ବିଷୟକୁ ନିଖୁଣଭାବେ ଉପସ୍ଥାପିତ କରାଯାଇଥିଲା।
/sambad/media/post_attachments/wp-content/uploads/2022/12/DSC_4748-750x430.jpg)
ଧର୍ମ କ୍ଷେତ୍ରରେ ନୀଳମାଧବ ମନ୍ଦିରରୁ ଆରମ୍ଭ କରି ଜଗନ୍ନାଥ ଚେତନା, ଦେବୀଙ୍କ ଆରାଧନା, ଶିକ୍ଷା କ୍ଷେତ୍ରରେ ସତ୍ୟବାଦୀସ୍ଥିତ ବକୁଳ ବନ ବିଦ୍ୟାଳୟରୁ ମୋ ସ୍କୁଲ ଓ କଲେଜ, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଫକୀର ମୋହନଙ୍କ ରେବତୀ ଗଳ୍ପଠାରୁ ଆରମ୍ଭ କରି ସ୍ମାର୍ଟ ସ୍କୁଲ, ମୋ ସ୍କୁଲ, ମୋ କଲେଜ, ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଉଚ୍ଚମାନର ଶିକ୍ଷା, ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଗଢ଼ିଉଠିଥିବା ଅନେକ ଘରୋଇ ବିଶ୍ବବିଦ୍ୟାଳୟ, ରାଜନୀତି କ୍ଷେତ୍ରରେ ଓଡ଼ିଶାର ରାଇରଙ୍ଗପୁରରୁ ଦିଲ୍ଲୀର ରାଇସିନା ହଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା, ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ଗରିବ ରାଜ୍ୟଭାବେ ଏକଦା ପରିଗଣିତ ଓଡ଼ିଶା ଦେଶର ଭାତହାଣ୍ଡିରେ ପରିଣତ ହେବା; ଖଣି, ପାଣି ଓ ଜଙ୍ଗଲ ଆଦି ବିପୁଳ ପ୍ରାକୃତିକ ସଂପଦର ଉପଲବ୍ଧତା ଆଦିକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟିଏ ପରେ ଗୋଟିଏ ଉପସ୍ଥାପନ କରାଯିବା ବେଳେ ତାହା ଅନେକଙ୍କୁ ଅଭିଭୂତ କରିଥିଲା। ସେହିଭଳି ଓଡ଼ିଶା ଏବେ ଦେଶର କ୍ରୀଡା ରାଜଧାନୀରେ ପରିଣତ ହେବା ବେଳେ ହକି ଏବଂ କଳିଙ୍ଗ ଷ୍ଟାଡିୟମର ଦୃଶ୍ୟ, ମିସନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତୀକରଣ; ମାଟି, କାଠ, ତୂଳୀ ଏବଂ କଂସା ଆଦି ସାମଗ୍ରୀରେ ଓଡ଼ିଶାର କାରିଗରମାନେ କିଭଳି ଅନେକ ପ୍ରକାରର ସାମଗ୍ରୀ ନିର୍ମାଣ କରୁଛନ୍ତି ସେ ବିଷୟରେ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ଅବତାରଣା କରାଯାଇଥିଲା।
ସୂଚନାଯୋଗ୍ୟ ଯେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ହୋଇଥିବା ପ୍ରଦର୍ଶନୀକୁ ସାଧାରଣ ଜନତା ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏବଂ ୪ ତାରିଖ ଦିନ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ, ମୁମ୍ବାଇ, ଦିଲ୍ଲୀ, ଅହମଦାବାଦ, ହାଇଦ୍ରାବାଦ ଆଦି ସ୍ଥାନରେ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଥିଲେ। ୫ ଦିନିଆ ସମାବେଶ ଆସନ୍ତା ୪ ତାରିଖରେ ଉଦ୍ଯାପିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/make-in-odisha-f.jpg)