ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ମେକ୍‌ ଇନ୍‌ ଓଡ଼ିଶା ଆୟୋଜନରୁ ଓହରିଯିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି। ଏ ସଂକ୍ରାନ୍ତରେ ଆଜି ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ମେକ୍‌ ଇନ୍‌ ଓଡ଼ିଶାର ଶିଳ୍ପ ସହଯୋଗୀ (ପାର୍ଟନର୍‌) କିଏ ହେବ ତାହା ଏ ଯାଏ ନିଷ୍ପତ୍ତି ହୋଇନାହିଁ। ନିଷ୍ପତ୍ତି ନେବା ପରେ ଆମେ ଉକ୍ତ ସଂସ୍ଥାର ନାଁ ସାର୍ବଜନୀନ କରିବୁ। ସିଆଇଆଇ ହେଉ କିମ୍ବା ଅନ୍ୟ କୌଣସି ସଂସ୍ଥା ସେମାନେ କେବଳ ଫାସିଲିଟେଟର ଭାବେ କାର୍ଯ୍ୟ କରିଥାନ୍ତି। ତେଣୁ ସେମାନେ ରୁହନ୍ତୁ କିମ୍ବା ନରୁହନ୍ତି ତାହାର ଫରକ କିଛି ପଡ଼ିବନି। ମେକ୍‌ ଇନ୍‌ ଓଡ଼ିଶା ରାଜ୍ୟ ସରକାର ଆୟୋଜନ କରିବେ। ଏଥର ବହୁତ ଭଲଭାବେ ତାହାକୁ ଆୟୋଜନ କରାଯିବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି। ମେକ୍‌ ଇନ୍‌ ଓଡ଼ିଶାକୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମେକ୍‌ ଇନ୍‌ ଓଡ଼ିଶାରେ କ’ଣ ସବୁ କାର୍ଯ୍ୟକ୍ରମ ରହିବ ଓ କେଉଁ କମିଟି ସବୁ ଗଠନ କରାଯିବ ତାହାକୁ ନେଇ ଆଲୋଚନା ହୋଇଥିଲା।