ହାଇଦ୍ରାବାଦ୍‌ରେ ଓଡ଼ିଶାର ରୋଡ୍‌-ସୋ : ୫୦ରୁ ଅଧିକ ଉଦ୍ୟୋଗୀ, ନିବେଶକ ଯୋଗଦେଲେ

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୧୮କୁ ଦୃଷ୍ଟିରେ ରଖି ଆଜି ହାଇଦ୍ରାବାଦ୍‌ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ନିବେଶକ ସମ୍ମିଳନୀ, ରୋଡ୍‌-ସୋରେ ୫୦ରୁ ଅଧିକ ଉଦ୍ୟୋଗୀ, ନିବେଶକ ଯୋଗ ଦେଇଥିଲେ। ଏହା ସହିତ ରାଜ୍ୟରେ ପୁଞ୍ଜିନିବେଶ କ୍ଷେତ୍ରକୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୨୪ଟି ହାଇଦ୍ରାବାଦ୍‌ଭିତିକ କମ୍ପାନିଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିଥିଲେ। ଆଲୋଚନା ଅବସରରେ ରାଜ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ କରିବା, ନିବେଶକଙ୍କ ପାଇଁ ପ୍ରୋତ୍ସାହନ, ସମର୍ପିତ କ୍ଷେତ୍ରଭିତ୍ତିକ କ୍ଲଷ୍ଟର ଓ ଶିଳ୍ପ ବିକାଶ ପାଇଁ ଉପଲବ୍ଧ ୧.୨୧ ଲକ୍ଷ ଏକରର ଜମି ବ୍ୟାଙ୍କ ଭଳି ଓଡ଼ିଶାର ସୁଯୋଗ ସୁବିଧା ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯାଇଥିଲା। ରାଜ୍ୟର ଫୋକସ୍‌ କ୍ଷେତ୍ର ଯଥା: ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଖାଦ୍ୟ, ମେଟାଲ୍‌ କ୍ଷେତ୍ରରେ ଆନୁଷଙ୍ଗିକ ଓ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ, ବୟନ ଶିଳ୍ପ, ଇଏସ୍‌ଡିଏମ୍‌ ମାନୁଫ୍ୟାକ୍ଚରିଂ, କେମିକାଲ୍‌ସ, ପ୍ଲାଷ୍ଟିକ୍‌ ଓ ପେଟ୍ରୋକେମିକାଲ୍‌ସ କ୍ଷେତ୍ରରେ ରହିଥିବା ଆକର୍ଷଣୀୟ ଅଭିବୃଦ୍ଧି ସୁଯୋଗ ସଂପର୍କରେ ସେହି ନିବେଶକମାନେ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର