ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କ‌ନ୍‌କ୍ଲେଭ୍‌ ୨୦୨୫ ଆସନ୍ତାବର୍ଷ ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁମ୍ବାଇରେ ରୋଡ୍‌ ସୋ’ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଛନ୍ତି। ସେମାନଙ୍କ ମଧ୍ୟରେ ରିଲାନ୍ସ ବୋର୍ଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନି, ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଗୋଦ୍‌ରେଜ୍‌ ଅଧ୍ୟକ୍ଷ ନାଦିର ଗୋଦରେଜ୍‌, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ରବି ଗୋଏଙ୍କା, ‌ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ମୁଖ୍ୟ ସଜ୍ଜନ ଜିନ୍ଦଲ, ୱେଲସ୍ପନର ବିଜୟ ଗୋଏଙ୍କା ଓ ବାଳକୃଷ୍ଣ ଗୋଏଙ୍କା ପ୍ରମୁଖ ରହିଛନ୍ତି।
   

Advertisment

ବେଦାନ୍ତ ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ରାଜ୍ୟରେ କମ୍ପାନିର ସଂପ୍ରସାରଣ ଏବଂ ବିଦ୍ୟୁତ୍‌ ଯାନ (ଇଭି) ନିର୍ମାଣରେ ରହିଥିବା ସୁଯୋଗ ଉପରେ ମତ ବିନିମୟ କରିଥିଲେ। ଏହି ଅବସରରେ ବେଦାନ୍ତ ଅଧ୍ୟକ୍ଷଙ୍କ ପକ୍ଷରୁ ରାଜ୍ୟରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ଘୋଷଣା କରାଯାଇଛି। ସେହିଭଳି ‌ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟା‌କରଣ କ୍ଷେତ୍ରରେ ଥିବା ସୁଯୋଗ ପରିପ୍ରେକ୍ଷୀରେ ସମ୍ଭାବ୍ୟ କାରଖାନା ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୋଦ୍‌ରେଜ୍‌ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ଲକ୍ଷ୍ମୀ ଅର୍ଗାନିକ୍‌ ପକ୍ଷରୁ ଜଗତସିଂହପୁରରେ ହେବାକୁ ଥିବା ସିନ୍ଥେଟିକ୍ କେମିକାଲ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ନେଇ କମ୍ପାନି ଅଧ୍ୟକ୍ଷ ଶ୍ରୀ ଗୋଏଙ୍କାଙ୍କ ସହ ମୁଖ୍ୟମନ୍ତ୍ରୀ ମତ ବିନିମୟ କରିଛନ୍ତି। ସେହିଭଳି ଜେଏସ୍‌ଡବ୍ଲୁ ଗ୍ରୁପ୍‌ ମୁଖ୍ୟ ଶ୍ରୀ ଜିନ୍ଦଲଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

କଟକର ନରାଜ ଏବଂ ପାରାଦୀପଠାରେ ହେବାକୁ ଥିବା ସମନ୍ବିତ ବିଦ୍ୟୁତ୍‌ ଯାନ ଉତ୍ପାଦନ ଏବଂ ଲିଥିୟମ ଆୟନ ବ୍ୟାଟେରି ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ଆରମ୍ଭ କରିବାକୁ ଶ୍ରୀ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ୱେଲସ୍ପନ୍‌ର ବିଜୟ ଗୋଏଙ୍କା ଏବଂ ବାଳକୃଷ୍ଣ ଗୋଏଙ୍କା ସହିତ ସେମାନଙ୍କ ଓଡ଼ିଶା ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। କମ୍ପାନି ପକ୍ଷରୁ ଚୌଦ୍ବାରରେ ହେବାକୁ ଥିବା ସମନ୍ବିତ ବୟନ ଶିଳ୍ପ ପାର୍କ ପ୍ରକଳ୍ପ ଏବଂ ସମ୍ବଲପୁରର ନୀଳଡୁଙ୍ଗୁରିଠାରେ ହେବାକୁ ଥିବା ଡିଆଇ ପାଇପ୍‌ ଉତ୍ପାଦନ ୟୁନିଟ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି। ବୟନଶିଳ୍ପ ପ୍ରକଳ୍ପରେ ନିଯୁକ୍ତିକୁ ତ୍ବରାନ୍ବିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।  ଏହି ଅବସରରେ ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଇଣ୍ଡିଆ କେମ୍‌ ୨୦୨୪ରେ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ଦ୍ବିବାର୍ଷିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାରେ ରସାୟନ ଓ ପେଟ୍ରୋରସାୟନ କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋଦୟକୁ ଗୁରୁତ୍ବ ଦେଉଛନ୍ତି। ବିକଶିତ ଭାରତ ପାଇଁ ରହିଥିବା ଏହି ଯୋଜନାରେ ଓଡ଼ିଶାକୁ କେନ୍ଦ୍ରବିନ୍ଦୁରେ ରଖାଯାଇଛି। ଓଡ଼ିଶାରେ ରସାୟନ ଏବଂ ପେଟ୍ରୋରସାୟନ କ୍ଷେତ୍ରରେ ଉନ୍ନତ ପରିବେଶ ରହିଛି। ପାରାଦୀପଠାରେ ଆଇଓସିଏଲ୍‌ର ବିଶୋଧନାଗାର ସହିତ ପାରାଦୀପ ଫସଫେଟ୍‌ସ ଏବଂ ଇ‌ଫକୋ ଭଳି ସାର କାରଖାନା ରହିଛି। ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ ନିବେଶକଙ୍କ ପାଇଁ ଆମେ ବିଶ୍ବଶ୍ରେଣୀର ଭିତ୍ତିଭୂମି ସ୍ଥାପନ କରିଛୁ। ପିସିପିଆଇଆର୍‌ ପାରାଦୀପ ଏ କ୍ଷେତ୍ରରେ ଓଡ଼ିଶାର ଅଭିଳାଷକୁ ଆଗକୁ ବଢ଼ାଇଛି।

ଇସ୍ପାତ, ଆଲୁମିନିୟମ ଏବଂ ପେଟ୍ରୋରସାୟନ ରାଜ୍ୟର ପ୍ରମୁଖ ନିବେଶ କ୍ଷେତ୍ର ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ଅନ୍ୟାନ୍ୟ କ୍ଷେତ୍ରକୁ ନିବେଶ ପରିବ୍ୟାପ୍ତ କରୁଛନ୍ତି।  ଟେକ୍ନିକାଲ ଟେକ୍ସଟାଇଲ୍‌ସ, ପ୍ଲାଷ୍ଟିକ୍ ଏବଂ ପ୍ୟାକେଜିଂ, ଫାର୍ମା କେମିକାଲ, ବ୍ୟାଟେରି ଓ ଇଭି ବଜାର ପାଇଁ ଆନୋଡ ଏବଂ କ୍ୟାଥୋଡ କେମିକାଲ, ସବୁଜ ଶକ୍ତି ପାଇଁ ସବୁଜ ଇନ୍ଧନ ଉତ୍ପାଦନ ଆଦି କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶାରେ ପ୍ରଚୁର ସମ୍ଭାବନା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।  

ରସାୟନ ଏବଂ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଓଡ଼ିଶାରେ ଆଖିଦୃଶିଆ ନିବେଶ ହୋଇଛି। ଦେଶର ପ୍ରମୁଖ କମ୍ପାନି ଯଥା ଗ୍ରାସିମ୍‌, ବର୍ଜର ପେଣ୍ଟ୍‌ସ, ଶାଲିମାର ପେଣ୍ଟ୍‌ସ ଭଳି ରଙ୍ଗ କମ୍ପାନି ସହିତ ସୁପ୍ରିମ, ଆଶୀର୍ବାଦ,  ଅଷ୍ଟ୍ରାଲ, ସିନଟେକ୍ସ, ଶ୍ରୀଚକ୍ର ପଲିପ୍ଲାଷ୍ଟ ଭଳି ପ୍ଲାଷ୍ଟିକ କମ୍ପାନି ରାଜ୍ୟରେ ସେମାନଙ୍କ ବ୍ୟବସାୟକୁ ସଂପ୍ରସାରଣ କରିଛନ୍ତି। ସେହିଭଳି ଟେକ୍ନିକାଲ ଟେକ୍ସଟାଇଲ କ୍ଷେତ୍ରରେ ଏପିକ୍ ଏବଂ ମାସ୍‌ ଗ୍ରୁପ୍; ପ୍ରିମିୟର ‌ଏକ୍ସପ୍ଲୋସିଭସ ଏବଂ ସିଡିଇଟି ଭଳି ବିସ୍ଫୋରକ ଉତ୍ପାଦନକାରୀ; ସ୍ପେସାଲିଟି ‌କେମିକାଲ କ୍ଷେତ୍ରରେ ଏଟରନିସ୍, ଏପସିଲନ, ସାନଭିର, ସାଇଲକ୍ସ, ଏପିଗ୍ରାଲ, ହିମାଦ୍ରି, କିରି ଇଣ୍ଡଷ୍ଟ୍ରିଜ, ଭିସିଆଇ କେମିକାଲ୍ସ ଆଦି କମ୍ପାନି ଓଡ଼ିଶାକୁ ଏକ ଅନୁକୂଳ ରାଜ୍ୟ ଭାବେ ଚୟନ କରିଛନ୍ତି। 

ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ହେଉ କିମ୍ବା ଉତ୍ତମ ମାନବ ସମ୍ବଳ ଉପଲବ୍ଧତା କିମ୍ବା ଶିଳ୍ପ ଭିତ୍ତିଭୂମି ଓଡ଼ିଶାକୁ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ନିବେଶ କ୍ଷେତ୍ରରେ ଏକ ଉତ୍ତମ ବିକଳ୍ପ ଭାବେ ବିବେଚନା କରାଯାଉଛି। ବିଶ୍ବରେ ରାସାୟନିକ ସାମଗ୍ରୀର ଚାହିଦା ବଢ଼ୁଥିବାରୁ ଓଡ଼ିଶା ଏହାକୁ ପୂରଣ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ ଓଡ଼ିଶାରେ ନିବେଶ କରି ରାଜ୍ୟର ବିକାଶରେ ସହଭାଗୀ ହେବାକୁ ସେ ନିବେଶକମାନଙ୍କୁ ଆହ୍ବାନ କରିଛନ୍ତି।

ବେଦାନ୍ତ ଆଉ ଲକ୍ଷେ କୋଟି ନିବେଶ କରିବ

ଭୁବନେଶ୍ବର: ଘରୋଇ ଆଲୁମିନିୟମ୍‌ କମ୍ପାନି ବେଦାନ୍ତ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ ପାଇଁ ଆୟୋଜିତ ରୋଡ୍‌ ସୋ’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ବେଳେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଏହି ଘୋଷଣା କରିଛନ୍ତି।  ରାଜ୍ୟରେ ବାର୍ଷିକ ୬ ନିୟୁତ ଟନ୍ ଆଲୁମିନା ରିଫାଇନାରି ଏବଂ ୩ ନିୟୁତ ଟନ୍‌ର ଆଲୁମିନିୟମ୍‌ ଉତ୍ପାଦନ ପାଇଁ ଏହି ପୁଞ୍ଜିନିବେଶ ହେବ। ମୁଖ୍ୟତଃ ଅକ୍ଷୟ ଶକ୍ତିକୁ ବିନିଯୋଗ କରି ସବୁଜ ଆଲୁମିନିୟମ ଉତ୍ପାଦନ କରାଯିବ। ଏହାଫଳରେ ରାଜ୍ୟରେ ଡାଉନଷ୍ଟ୍ରିମ୍ ଶିଳ୍ପ ପାଇଁ ଶିଳ୍ପ ସ୍ଥାପନର ବ୍ୟାପକ ସମ୍ଭାବନା ଏବଂ ୨ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ପରିକଳ୍ପନା ପ୍ରତି ଓଡ଼ିଶାର ନୂତନ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୦ ସୁଦ୍ଧା ଓଡ଼ିଶାକୁ ଅଧ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଆମେ ନୂଆ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବିଶ୍ୱକୁ ଆମନ୍ତ୍ରଣ କରୁଛୁ।  ଆଜିର ରୋଡ୍ ସୋ’ରେ ଆମେ ବେଦାନ୍ତ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲଙ୍କ ସହ ଫଳପ୍ରଦ ଆଲୋଚନା କରିଛୁ। ସେ ଆମ ସରକାରଙ୍କ ସହ ହାତ ମିଳାଇ ଓଡ଼ିଶାରେ ପୁଞ୍ଜିନିବେଶକୁ ଦ୍ୱିଗୁଣିତ କରିଛନ୍ତି। ଏହି ନୂତନ ବିନିଯୋଗ ପାଇଁ ଶ୍ରୀ ଅଗ୍ରୱାଲଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। କମ୍ପାନିର ପ୍ରକଳ୍ପଗୁଡିକର ବିକାଶ ଦିଗରେ ରାଜ୍ୟ ସରକାର ପୂର୍ଣ୍ଣ ସହଯୋଗ କରିବେ ବୋଲି ମୁଖ୍ୟମନ୍ତୀ କହିଛନ୍ତି।

ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ କମ୍ପାନିର ଅଭିବୃଦ୍ଧିରେ ଓଡ଼ିଶା ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଆମେ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯୋଗଦାନ ଜାରି ରଖିବୁ। ନିଲାମ ଜରିଆରେ ବେଦାନ୍ତ ସିଜିମାଳି ଖଣି ମଧ୍ୟ ପାଇଛି। ଏଠାରେ ବିପୁଳ ମାତ୍ରାରେ ବକ୍ସାଇଟ୍ ମହଜୁଦ ଥିବା କମ୍ପାନି ପକ୍ଷରୁ କୁହାଯାଇଛି।  ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ବେଦାନ୍ତ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିଛି। ଏହାଦ୍ବାରା ରାଜ୍ୟରେ କମ୍ପାନି ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ଓଡ଼ିଶା ଦେଶର ଏକ ବିକଶିତ ରାଜ୍ୟରେ ପରିଣତ ହେବା ଲକ୍ଷ୍ୟ ରଖିଛି। ଏଥିପାଇଁ ୨୦୩୦ ସୁଦ୍ଧା ଅଧ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା ଆଶା ମଧ୍ୟ ପୋଷଣ କରିଛି। ଏଭଳି ସ୍ଥିତିରେ ଝାରସୁଗୁଡ଼ା ଭଳି ରାୟଗଡ଼ାକୁ ମଧ୍ୟ ବେଦାନ୍ତ ଏକ ସମୃଦ୍ଧ ଅଞ୍ଚଳରେ ପରିଣତ କରିବା ଯୋଜନା ରଖିଛି।